ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ମେ’ରେ ୪,୯୨,୦୪୭ ଗାଡ଼ି ବିକ୍ରି


ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ୨୦୨୪ ମେ’ ମାସ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଛି। ଏହି ମାସରେ କମ୍ପାନି ୪,୯୨,୦୪୭ଟି ଗାଡ଼ି ବିକ୍ରି କରିଛି । ଫଳରେ କମ୍ପାନି ବାର୍ଷିକଭିତିରେ ୪୯ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ଦେଶ ଭିତରେ କମ୍ପାନି ୪,୫୦,୫୮୯ ଗାଡ଼ି ବିକ୍ରି କରିଥିବା ବେଳେ ୪୧,୪୫୮ ଗାଡ଼ି ରପ୍ତାନି କରିଛି । ଦେଶ ଭିତର ବିକ୍ରିରେ କମ୍ପାନି ୪୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ରପ୍ତାନିରେ ୧୨୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ।
ମେ’ ମାସରେ କମ୍ପାନି ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି । ହୋଣ୍ଡା ଆରଆଣ୍ଡଡି (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ପକ୍ଷରୁ ଭାରତରେ ଇଲେକ୍ଟ୍ରିକ ଯାନର ଗ୍ରହଣୀୟତା ବଢ଼ାଇବା ଲାଗି କର୍ଣ୍ଣାଟକର ବେଙ୍ଗାଲୁରୁରେ ନୂଆ ଆରଆଣ୍ଡଡି କେନ୍ଦ୍ର ସ୍ଥାପନ କରିଛି । ଏଚଏମଏସଆଇ ପକ୍ଷରୁ ଏହି ମାସରେ ସାଇନ ୧୦୦ର ପ୍ରଥମ ବାର୍ଷିକୀ ପାଳନ କରାଯାଇଛି । ବର୍ତମାନ ସୁଦ୍ଧା କମ୍ପାନି ୩ ଲକ୍ଷରୁ ଅଧିକ ସାଇନ ୧୦୦ ବିକ୍ରି କରିଛି । ୨୦୨୩-୨୪ରେ ୧୦୦-୧୧୦ ସିସି ବର୍ଗରେ ଏଚଏମଏସଆଇ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି ।
ଏଚଏମଏସଆଇ ପକ୍ଷରୁ ସାଇନ ୧୨୫, ଏସପି ୧୨୫ ଭଳି ୧୨୫ ସିସି ମୋଟରସାଇକଲ ବର୍ଗରେ ପୂର୍ବ ଭାରତର ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତର ପୂର୍ବ ରାଜ୍ୟଗୁଡ଼ିକରେ ୩୦ ଲକ୍ଷରୁ ଅଧିକ ଗ୍ରାହକ ମାଇଲଖୁଂଟ ଅତିକ୍ରମ କରିଛି । ଏହି ମାସରେ କମ୍ପାନି ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଏହାର ରେଡ ୱିଙ୍ଗ ସେଲ୍‌‌ସ ଆଣ୍ଡ ସର୍ଭିସ୍ ଆଉଟଲେଟ ସ୍ଥାପନ କରିଛି ।
ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ କମ୍ପାନି ପକ୍ଷରୁ ମଧ୍ୟପ୍ରଦେଶର ଭୋପାଳ, ହରିୟାଣାର ଗୁରୁଗ୍ରାମ, ତାମିଲନାଡୁର ତିରୁନେଲଭେଲି, ଆସାମର ଗୋହାଟି, ଉତରପ୍ରଦେଶର ଲକ୍ଷ୍ନ, କର୍ଣ୍ଣାଟକର ମାଙ୍ଗାଲୋର, ଓଡ଼ିଶାର ରାଉରକେଲା, ତେଲେଙ୍ଗାନାର ୱାରାଙ୍ଗଲ, ମହାରାଷ୍ଟ୍ରର ସୋଲାପୁର ଓ ଧୁଲେ ଏବଂ ଗୁଜରାଟର ଭଦୋଦରାରେ ସଡ଼କ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କମ୍ପାନି ପକ୍ଷରୁ ସ୍ତ୍ରୀ ସାରଥୀ ନାମକ ମହିଳା ସଶକ୍ତୀକରଣ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ହରିୟାଣାର କର୍ଣାଲରେ ଇନଷ୍ଟିଚ୍ୟୁଟ ଅଫ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚରୁ ମହିଳା କ୍ୟାବ ଡ୍ରାଇଭରଙ୍କ ପ୍ରଥମ ବ୍ୟାଚ ଆରମ୍ଭ କରାଯାଇଛି ।


Share It

Comments are closed.