ଇରାନ-ଆମେରିକା ଯୁଦ୍ଧରେ କାହା ପକ୍ଷରେ ରହିବ ଭାରତ ?


ଇରାନର ସେନା କମାଣ୍ଡର ମେଜର ଜେନେରାଲ କ୍ବାସିମ ସୁଲେମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଏବେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଆମେରିକା ଉପରେ ପ୍ରତିଶୋଧ ନେବାକୁ ଆଗେଇ ଆସିଛି ଇରାନ । ଏପରିକି ଇରାକରେ ଥିବା ଆମେରିକାର ଦୂତାବାସ ଉପରେ ରକେଟ ମାଡ଼ କରି ଇରାନ ଯୁଦ୍ଧ ପାଇଁ ଏକପ୍ରକାର ଆହ୍ୱାନ ଦେଉଛି । ଏଭଳିସ୍ଥଳେ ଆମେରିକା ମଧ୍ୟ ଆଉ ଚୁପ୍ ବସିନାହିଁ । ଇରାନ ତରଫରୁ ଆଉ ଯଦି ଆକ୍ରମଣ ହୁଏ ତେବେ ଚିହ୍ନଟ ହୋଇଥିବା ଇରାନର ୫୨ଟି ସ୍ଥାନକୁ କ୍ଷଣିକରେ ଧ୍ୱଂସ କରି ଦିଆଯିବ ବୋଲି ଟ୍ରମ୍ପ କହିଛନ୍ତି । ଏଭଳି ସ୍ଥିତିରେ ଯୁଦ୍ଧ ହୁଏ ତେବେ ଏହା କେବଳ ଇରାନ-ଆମେରିକା ମଧ୍ୟରେ ସୀମିତ ରହିବ ନାହିଁ । ଏହା ମଧ୍ୟପ୍ରାଚ୍ୟ କ୍ଷେତ୍ରରେ ଭୟଙ୍କର ସ୍ଥିତି ଉପୁଜାଇବ । ଇରାନ-ଆମେରିକାର ଏଭଳି ତିକ୍ତତାକୁ ନେଇ ଏବେ ବିଶ୍ୱର ଅଧିକାଂଶ ଦେଶ ନିଜର ସୁରକ୍ଷା ପାଇଁ ସକ୍ରିୟ ହୋଇ ଉଠିଲେଣି । ତେବେ ସବୁଠୁ ବଡ଼ କଥା ହେଉଛି ଯଦି ଯୁଦ୍ଧ ହୁଏ ତେବେ କେଉଁ ଦେଶ କାହା ସପକ୍ଷରେ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
ଇରାନ ସହ ତିକ୍ତତା ଭିତରେ ଆମେରିକା ଭାରତକୁ ନିଜ ସପକ୍ଷକୁ ନେବାକୁ ଚାହୁଁଛି । ତେବେ ଭାରତ ପକ୍ଷରୁ ଏଯାଏଁ ଇରାନ-ଆମେରିକା ବିବାଦ ନେଇ କୌଣସି ମତ ଦିଆଯାଇନାହିଁ । ସେହିଭଳି ୟୁରୋପୀୟ ସଂଘ ଉଭୟ ଦେଶକୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛି । ଏସବୁ ଭିତରେ ଇସ୍ରାଏଲ କିନ୍ତୁ ଆମେରିକା ସପକ୍ଷରେ ଯିବା ଏକପ୍ରକାର ନିଶ୍ଚିତ । କାରଣ ସୁଲେମାନିକୁ ଇସ୍ରାଏଲ ସବୁବେଳେ ନିଜର ଶତ୍ରୁ ବୋଲି ଭାବି ଆସିଛି । ଯେଉଁଥିପାଇଁ ସୁଲେମାନିର ହତ୍ୟା ପରେ ଆମେରିକାକୁ ଖୋଲା ସମର୍ଥନ କରିଥିଲା ଇସ୍ରାଏଲ । ସେହିଭଳି ଇରାନ କୁର୍ଦ୍ଦଶ ସେନାର ମୁଖ୍ୟ ସୁଲେମାନିର ହତ୍ୟା ପରେ ଇଂଲଣ୍ଡ, ଫ୍ରାନ୍ସ, ସାଉଦି ଆରବ, ଜୋର୍ଡାନ ଓ ୟୁଏଇ ମଧ୍ୟ ଆମେରିକା ସପକ୍ଷରେ ଆସିପାରନ୍ତି ।

ସେହିଭଳି ଚୀନ୍ ଓ ଋଷ, ଆମେରିକା ସେନାର ଏଭଳି କାର‌୍ୟ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି । ଯାହା ଦର୍ଶାଉଛି ଯେ ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଇରାନ ସପକ୍ଷରେ ଯାଇପାରନ୍ତି । ଏପରିକି ଗତ ସପ୍ତାହରେ ଚୀନ୍, ଇରାନ ଓ ଋଷର ନୌସେନା ମିଳିତ ଭାବେ ସାମରିକ ଅଭ୍ୟାସ କରିଥିଲେ । ଏହାଛଡା ୟେମନ, ଲେବାନନ, ସିରିଆ ଓ ଫିଲିସ୍ତାନ ମଧ୍ୟ ଇରାନକୁ ସମର୍ଥନ କରୁଛନ୍ତି । ତେଣୁ ଯୁଦ୍ଧ ହେଲେ ଏହାର ଭୟାବହତା ପୂରା ବିଶ୍ୱକୁ ବ୍ୟାପିପାରେ ।


Share It

Comments are closed.