ମୁମ୍ବାଇରେ ଭୀଷଣ ବର୍ଷା, ବର୍ଷା ପାଣିରେ ଉବୁଡୁବୁ ସାରା ସହର


ମୁମ୍ବଇରେ ତାଣ୍ଡବ ରଚିଛି ବର୍ଷା। ରାତିସାରା ପ୍ରବଳ ବର୍ଷା ହେବା କାରଣରୁ ଗୁରୁବାର ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ରହିଛି। ରେଳ ଧାରଣା ପାଣିରେ ବୁଡ଼ି ରହିଥିବାରୁ ଉମ୍ବରମାଲି ଏବଂ କସାରା ମଧ୍ୟରେ ମୁମ୍ବଇ ଲୋକାଲ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି।

କେନ୍ଦ୍ରୀୟ ରେଳବାଇ ମୁଖ୍ୟ ଲୋକସଂପର୍କ ଅଧିକାରୀଙ୍କ କହିବାନୁସାରେ, ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ପାଣିରେ ବୁଡ଼ିଯିବା କାରଣରୁ ଉମ୍ବରମାଲି ରେଳ ଷ୍ଟେସନ ଏବଂ କସାରା ମଧ୍ୟରେ ଲୋକାଲ ଟ୍ରେନ୍ ସେବା ବନ୍ଦ ହୋଇଯାଇଛି। ସେ ଆହୁରି କହିଛନ୍ତି ଯେ, ଜଳସ୍ତର ଯୋଗୁଁ ଇଗତପୁରିଆ ଏବଂ ଖର୍ଦି ମଧ୍ୟରେ ଟ୍ରେନ୍ ସେବା ସାମୟିକ ଭାବେ ବନ୍ଦ ହୋଇଯାଇଛି।
ମୁମ୍ବଇରେ ପ୍ରବଳ ବର୍ଷା ଯୋଗୁଁ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖା ଦେଇଥିଲା। ମଲାଡ-ଯୋଗେଶ୍ୱରୀ, ଇଷ୍ଟର୍ନ ଫ୍ରିୱେ ଏବଂ ଭିଲେ ପାର୍ଲେ-ବାନ୍ଦ୍ରା ବେଲ୍ଟ ଜଳମଗ୍ନ ହୋଇଥିବା ସୂଚନା ମିଳିଛି। ଇଷ୍ଟର୍ନ ଏକ୍ସପ୍ରେସ ରାଜପଥରେ ଥିବା ଭଣ୍ଡୁପ-ମୁଲୁଣ୍ଡ ବେଲ୍ଟରେ ଜଳସ୍ତର ଓ ଖାଲ ଯୋଗୁଁ ସମସ୍ୟା ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁ ନାଶିକର ତ୍ରିମ୍ବକେଶ୍ୱର ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଯାଇଛି।

ସୂଚନାଯୋଗ୍ୟ, ବୁଧବାର ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇ, ପାଲଘର, ଥାନେ ଏବଂ ରାୟଗଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିଲେ। ନାଭି ମୁମ୍ବଇ ଏବଂ ଥାନେକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ମୁମ୍ବଇ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।


Share It

Comments are closed.