ଆଗାମୀ ୭୨ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା


ଉତ୍ତର ପୂର୍ବ ମଧ୍ୟ ପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ସେହିପରି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ଟ୍ରଫ୍ ଲାଇନ ଜାମସେଦପୁରରୁ ବାଲେଶ୍ବର ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର‌୍ୟ୍ୟନ୍ତ ରହିଛି । ଅନ୍ୟ ଏକ ଟ୍ରଫ୍ ଲାଇନ ଓଡ଼ିଶା ଦେଇ ଉପକୂଳ ଆନ୍ଧ୍ରପ୍ରଦେଶ ପର‌୍ୟ୍ୟନ୍ତ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ଓ ଲଘଚାପ ପ୍ରଭାବରେ ଏବେ ବର୍ଷା ପରିମାଣ ବୃଦ୍ଧି ପାଇଥିବା ବେଳେ ଆଉ ୭୨ ଘଣ୍ଟା ପର‌୍ୟ୍ୟନ୍ତ ବର୍ଷା ଲାଗିରହିବ । ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଓ ବଲାଙ୍ଗିର ଜିଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ଅଛି। ସେହିପରି ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ଗତ ୨୪ ଘଣ୍ଟା ଭିତରେ ମାଲକାନଗିରି ଜିଲାରେ ୧୬୫ ମିମି ବର୍ଷା ହୋଇଥିବା ବେଳେ ରାଇରଙ୍ଗପୁରରେ ୫୮ ମିମି, କୋରାପୁଟରେ ୫୧. ୮ ମିମି ଓ ନବରଙ୍ଗପୁରରେ ୩୫ ମିମି ବର୍ଷା ହୋଇଛି। ଆସନ୍ତା ତିନିରୁ ୪ ଦିନ ପର‌୍ୟ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ପ୍ରବଳ ବର୍ଷା ହୋଇପାରେ। ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା। ସେହିପରି ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ବର୍ଷା ପରିମାଣ ଅଧିକ ରହିବ ବୋଲି କୁହାଯାଇଛି।


Share It

Comments are closed.