ହୃଦୟସ୍ପର୍ଶୀ , ପାକିସ୍ତାନରେ ନମାଜ ପଢି ଦିଲୀପ କୁମାରଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି


ବଲିଉଡର ବରିଷ୍ଠ ଅଭିନେତା ଦିଲୀପ କୁମାର ଜୁଲାଇ ୭ ବୁଧବାର ଦିନ ସବୁଦିନ ପାଇଁ ଦୁନିଆକୁ ବିଦାୟ ଦେଇଛନ୍ତି। ୯୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ବଲିଉଡ ଇଣ୍ଡଷ୍ଟ୍ରିର ତାରକା ତଥା ଦିଲୀପ କୁମାରଙ୍କ ପ୍ରଶଂସକମାନେ ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏଭଳି ପରିସ୍ଥିତିରେ ଦିଲୀପ କୁମାରଙ୍କ ପୈତୃକ ଘର ବାହାରେ ନମାଜ ମଧ୍ୟ ପଢ଼ାଯାଇଛି। ଦିଲୀପ କୁମାରଙ୍କ ପୈତୃକ ଘର ପାକିସ୍ତାନର ପେଶୱାରରେ ଅଛି। ଦିଲୀପ କୁମାର ଏହି ଘରେ ୧୯୨୨ ମସିହା ଡିସେମ୍ବର ୧୧ ତାରିଖରେ ଜନ୍ମ ହୋଇଥିଲେ ଏବଂ ତାଙ୍କର ପିଲାଦିନ ଅତିବାହିତ କରିଥିଲେ। ପେଶୱାରରେ ତାଙ୍କର ପ୍ରଶଂସକ ଏବଂ ସମ୍ପର୍କୀୟମାନେ ଦିଲୀପ କୁମାରଙ୍କ ପାଇଁ ଗାଇବାନା ନମାଜ-ଏ-ଜାନାଜା (ଅନ୍ତିମ ସଂସ୍କାର) ପଢିଥିଲେ। ଏଥିସହ ମହମବତୀ ଜଳାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଭାରତ ସହିତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଦିଲୀପ କୁମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଇମ୍ରାନ ଟ୍ୱିଟ କରି ଲେଖିଛନ୍ତି, ଦିଲୀପ କୁମାରଙ୍କ ଦେହାନ୍ତ ଖବର ଶୁଣି ସେ ବହୁତ ଦୁଃଖିତ। ମୁଁ ତାଙ୍କର ଉଦାରତାକୁ ଭୁଲି ପାରିବି ନାହିଁ। ସେ ମୋ ପିଢ଼ିର ସର୍ବଶ୍ରେଷ୍ଠ ଏବଂ ବହୁମୁଖୀ ଅଭିନେତା ଥିଲେ।

୧୯୯୮ ରେ ପାକିସ୍ତାନ ସରକାର ଦିଲୀପ କୁମାରଙ୍କୁ ନିଶାନ-ଇ-ଇମତିଆଜ ପୁରସ୍କାରରେ ସମ୍ମାନିତ କରିଥିଲେ। ଏହା ପାକିସ୍ତାନର ସର୍ବୋଚ୍ଚ ନାଗରିକ ପୁରସ୍କାର। ଏହା ବ୍ୟତୀତ ପାକିସ୍ତାନର ଦିଲୀପ କୁମାରଙ୍କ ପୈତୃକ ଘରକୁ ଜାତୀୟ ଐତିହ୍ୟ ମାନ୍ୟତା ଦିଆଯାଇଛି। ସରକାର ଏହି ଘରକୁ ସଂଗ୍ରହାଳୟରେ ପରିଣତ କରୁଛନ୍ତି।


Share It

Comments are closed.