୩୩ ବର୍ଷରେ ପାଦ ଥାପିଲେ ବିରାଟ


ପଡିଆକୁ ଓହ୍ଲାଇଲେ ଦର୍ଶକଙ୍କ ଆଖି ଲାଖିଯାଏ । ତାଙ୍କ ବ୍ୟାଟର ଗତି ଉପରେ ରହିଥାଏ ସମସ୍ତଙ୍କ ନଜର । ବିଶ୍ୱର ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ ।  ‘ ଆତ୍ମ ବିଶ୍ୱାସକୁ ପାତେଞ କରି ଆଗକୁ ବଢିଥିଲେ ଆଉ ପାଲଟିଗଲେ କ୍ରିକେଟ ଦୁନିଆଁର ବେତାଜ୍ ବାଦଶାହା । ଆଉ ବିଶ୍ୱ କ୍ରିକେଟରେ ଭାରତକୁ ଦେଇଛନ୍ତି ଅନେକ ସଫଳତାର ଭେଟି । ସେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ।ଆଜି  ବିରାଟଙ୍କର ଜନ୍ମଦିନ । ୩୩ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟ ଦଳର ଏହି ଫିଟ ମ୍ୟାନ ।କେମିତି ଥିଲା ବିରାଟଙ୍କ ସଫଳ ଯାତ୍ରା । ୫ ନଭେମ୍ବର ୧୯୮୮ ମସିହା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବିରାଟ । ତାଙ୍କ ବାପା ପ୍ରେମ କୋହଲି ହେଉଛନ୍ତି ଜଣେ କ୍ରିମିନାଲ ଲୟର ଓ ମାଙ୍କ ନାଁ ସରୋଜ କୋହଲି । ପରିବାର ଲୋକଙ୍କ କହିବାଅନୁଯାୟୀ ବିରାଟ ପିଲା ବେଳୁ କ୍ରିକେଟ ପ୍ରତି ଆକର୍ଷିତ ଥିଲେ । ୧୯୯୮ ମସିହାରେ ସ୍କୁଲରେ ପାଠ ପଢୁଥିବା ବେଳେ ୱେଷ୍ଟ ଦିଲ୍ଲୀ କ୍ରିକେଟ ଏକାଡେମୀରେ ବିରାଟ ଯୋଗ ଦେଇଥିଲେ ।

ପରେ ସେ ଆରମ୍ଭ କରିଥିଲେ ତାଙ୍କ କ୍ରିକେଟ କ୍ୟାରିୟର । ୨୦୦୨ ମସିହାରେ ଦିଲ୍ଲୀ ପକ୍ଷରୁ ୧୫ ବର୍ଷରୁ କମ କ୍ରିକେଟ ଟିମରେ ଖେଳିଥିଲେ । ପରେ ୨୦୦୬ରେ ବିରାଟ ୧୯ ବର୍ଷରୁ କମ ଭାରତୀୟ ଦଳରେ ସାମିଲ ହୋଇଥିଲେ । ୨୦୦୮ରେ ୧୯ ବର୍ଷରୁ କମ ବିଶ୍ୱକପ ବିଜେତା ହୋଇଥିଲା ଭାରତ । ଏହି ଟିମର ଅଧିନାୟକ ଥିଲେ ବିରାଟ କୋହଲି । ପରେ ସେହି ବର୍ଷ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ସେ ଟିମ ଇଣ୍ଡିଆରେ ଡେବ୍ୟୁ କରିଥିଲେ ।୨୦୦୮ରୁ ଆଜି ପର୍ୟ୍ୟନ୍ତ ବିରାଟ ଅନେକ ସଫଳତା ହାସଲ କରିଛନ୍ତି । ତାଙ୍କ ନାଁରେ ଅନେକ ରେକର୍ଡ ସାମିଲ ହୋଇଥିବା ବେଳେ ବଡ ବଡ କ୍ରିକେଟରଙ୍କ ରେକର୍ଡ ମଧ୍ୟ ସେ ଭାଙ୍ଗିଛନ୍ତି ।ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ । ଅନ୍ତର୍ଜାତୀୟ ୱାନଡେ କ୍ରିକେଟରେ ଦ୍ରୁତତମ ୮ ହଜାର, ୯ ହଜାର , ୧୦ ହଜାର ଓ ୧୧ ହଜାର ରନ ପୂରଣ କରିବାରେ କୋହଲି ସାରା ବିଶ୍ୱରେ ପ୍ରଥମ । ଦିନିକିଆ କ୍ରିକେଟରେ ଲଗାତାର ୩ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ହେଉଛନ୍ତି ବିରାଟ । ବିରାଟ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ୭ ଥର ଦ୍ୱିଶତକ ହାସଲ କରିଛନ୍ତି । ଏଥିରେ ସେ ସଚିନ ଓ ସେହୱାଗଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏଭଳି ଅନେକ ରେକର୍ଡର ମାଇଲ ଖୁଣ୍ଟ ଛିଡା କରିଛନ୍ତି ଏହି ଭାରତୀୟ କ୍ରିକେଟର । ବର୍ତ୍ତମାନ ବିରାଟ ଦିନିକିଆ କ୍ରିକେଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ତାଲିକାର ଶୀର୍ଷରେ ରହିଛନ୍ତି ।୩୩ ତମ ଜନ୍ମଦିନରେ ତାଙ୍କୁ ଦେଶ ବିଦେଶରୁ ଅନେକ ପ୍ରଶଂସାର ଭେଟି ମିଳୁଥିବାବେଳେ ଆଜି ଭାରତକୁ ସେ କ’ଣ ଭେଟି ଦେଉଛନ୍ତି ତାରି ଉପରେ ସମସ୍ତଙ୍କ । ଦୁବାଇରେ ଚାଲୁଥିବା ଆଇସିସି ଟି -୨୦ ବିଶ୍ୱ କପ୍ ୨୦୨୧ରେ ଆଜି ସ୍କଟଲ୍ୟାଣ୍ଡକୁ ଭେଟିବ ଭାରତ । ପୂର୍ବରୁ ୩ଟି ମ୍ୟଚରୁ ମାତ୍ର ଗୋଟିଏରେ ଭାରତ ଜିତିଥିବାବେଳେ ଆଜିର ଏହି ମ୍ୟାଚରେ ବିରାଟଙ୍କ ବ୍ୟାଟକୁ ସମସ୍ତଙ୍କ ଅପେକ୍ଷା ।


Share It

Comments are closed.