ଖୁବ ଶୀଘ୍ର ବିଜେପିରେ ଯୋଗ ଦେବେ ରବୀନ୍ଦ୍ର ଜାଡେଜା


ଗୁଜରାଟ ନିର୍ବାଚନରେ ନାମାଙ୍କନ ଦାଖଲ ପୂର୍ବରୁ ଜାମନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ତାଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ରିଭାବା ଜାଡେଜା। ସୋମବାର ଆୟୋଜିତ କାର୍ଯ୍ୟକ୍ରମରେ ରିଭାବା ହଳଦିଆ ରଙ୍ଗର ଶାଢୀ ପିନ୍ଧିଥିବା ବେଳ ଜାଡେଜା ଗେରୁଆ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି। ଜାଡେଜାଙ୍କ କୁର୍ତ୍ତା ରଙ୍ଗକୁ ଦେଖି ସେ ମଧ୍ୟ ବିଜେପିରେ ଶୀଘ୍ର ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି। ତାଙ୍କ ପତ୍ନୀ ରିଭାବା ବିଜେପି ଟିକେଟରେ ଜାମନଗର ଆସନରୁ ନିର୍ବାଚନ ଲଢୁଛନ୍ତି।

ଏହା ପୂର୍ବରୁ ରବୀନ୍ଦ୍ର ଜାଡେଜା ରବିବାର ଜାମନଗରରେ ନିଜ ପତ୍ନୀ ରିଭାବାଙ୍କ ପାଇଁ ପ୍ରଚାର କରି ଜନତାଙ୍କଠୁ ଭୋଟ୍ ଭିକ୍ଷା କରିଥିଲେ। ଜାଡେଜା ଏକ ଭିଡିଓ ଟ୍ଵିଟ୍ କରି ଜାମନଗରବାସୀ ଏବଂ ତାଙ୍କ ପ୍ରଶଂସକଙ୍କୁ ନିଜ ପତ୍ନୀଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କରିଛନ୍ତି। ଆଉ ଆଜି ଗେରୁଆ କୁର୍ତ୍ତା ପିନ୍ଧି ପତ୍ନୀଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତାଙ୍କର ଏମିତି ବ୍ୟବହାର ଦେଖି ସେ ବିଜେପିରେ ଯୋଗ ଦେବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ଉଲ୍ଲେଖନୀୟ ରାଜ୍ୟରେ କ୍ଷମତାସୀନ ବିଜେପି ବଡ ପଦକ୍ଷେପ ନେଇ ଜାମନଗର ଉତ୍ତରରୁ ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ପ୍ରାର୍ଥୀ କରିଛି। ରିଭାବାଙ୍କ ରାଜନୀତିରେ ନିର୍ବାଚନ ଲଢିବାର କୌଣସି ଅନୁଭବ ନାହିଁ। ବିଜେପି ଏହି ଆସନରୁ ବର୍ତ୍ତମାନର ବିଧାୟକ ଧର୍ମେନ୍ଦ୍ର ସିଂହ ଜାଡେଜାଙ୍କ ଟିକଟ୍ କାଟିଛି।

ଗୁଜରାଟର ୧୮୨ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଡିସେମ୍ବର ୧ ଏବଂ ୫ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଭୋଟ୍ ଗଣତି ଡିସେମ୍ବର ୮ରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନରେ ମତଦାନ ହେଉଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୯୨ଟି ଆସନରେ ଭୋଟିଂ ହେବ।


Share It

Comments are closed.