ଓଡ଼ିଶାକୁ ମିଳିଲା ୫୨୪ କୋଟି ଜିଏସଟି କ୍ଷତିପୂରଣ ଟଙ୍କା


ଭୁବନେଶ୍ୱର: ଏପ୍ରିଲରୁ ଜୁନ୍‌, ୨୦୨୨ ଅବଧି ପାଇଁ ବଳକା ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥରାଶି ନଭେମ୍ବର ୨୪, ଗୁରୁବାର ଦିନ ଜାରି କରାଯାଇଛି । ଉପରୋକ୍ତ ପରିମାଣ ସମେତ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୧,୧୫,୬୬୨ କୋଟି ଟଙ୍କାର କ୍ଷତିପୂରଣ ଯୋଗାଇ ଦିଆଯାଇଛି ।

ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ୫୨୪ କୋଟି ଟଙ୍କା ମିଳିଛି ।

ଅକ୍ଟୋବର ୨୦୨୨ ସୁଦ୍ଧା ମୋଟ୍‌ ୭୨,୧୪୭ କୋଟି ଟଙ୍କାର ସେସ୍‌ ବା ଉପକର ସଂଗ୍ରହ ହୋଇଥିବା ସତ୍ତ୍ବେ କେନ୍ଦ୍ର ସରକାର ନିଜସ୍ବ ଉତ୍ସରୁ ବଳକା ୪୩,୫୧୫ କୋଟି ଟଙ୍କାର କ୍ଷତିପୂରଣ ରାଶି ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାର ଏହି ଅର୍ଥରାଶି ଜାରି କରିବା ସହିତ ଚଳିତ ଆର୍ଥିକ ବର୍ଷର ମାର୍ଚ୍ଚ ସୁଦ୍ଧା ସଂଗ୍ରହ କରାଯିବାକୁ ଥିବା ଆନୁମାନିକ ସେସର ସମ୍ପୂର୍ଣ୍ଣ ପରିମାଣ, ଅଗ୍ରୀମ ଆକାରରେ, ରାଜ୍ୟମାନଙ୍କୁ କ୍ଷତିପୂରଣ ଭାବେ ଯୋଗାଇ ଦେଇଛନ୍ତି । ରାଜ୍ୟମାନଙ୍କୁ ସେମାନଙ୍କର ସମ୍ବଳ ପରିଚାଳନାରେ ସହାୟତା ଲାଗି ଏହି ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ ସେମାନେ ଚଳିତ ଆର୍ଥିକ ବର୍ଷରେ ନିଜର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ, ବିଶେଷ କରି ପୁଞ୍ଜି ବ୍ୟୟ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରିପାରିବେ ।

ଚଳିତ ବର୍ଷ ମେ’ ମାସରେ, ଜିଏସଟି କ୍ଷତିପୂରଣ ପାଣ୍ଠିରେ ମାତ୍ର ୨୫ ହଜାର କୋଟି ଟଙ୍କା ଥିବା ସତ୍ତ୍ବେ କେନ୍ଦ୍ର ସରକାର ଫେବୃଆରୀ-ମେ’ ୨୦୨୨ରେ ରାଜ୍ୟମାନଙ୍କୁ ପ୍ରାରମ୍ଭିକ ଜିଏସଟି କ୍ଷତିପୂରଣ ଆକାରରେ ୮୬ ହଜାର ୯୧୨ କୋଟି ଟଙ୍କା ଯୋଗାଇ ଦେଇଥିଲେ । ଏଥିପାଇଁ କେନ୍ଦ୍ର ସରକାର ନିଜସ୍ବ ଉତ୍ସରୁ ୬୨ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରିଥିଲେ ।


Share It

Comments are closed.