ଓଡ଼ିଆ ଜାତିର ମହାନ ପର୍ବ ଅକ୍ଷୟ ତୃତୀୟାର ମାହାତ୍ମ୍ୟ
ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପାଳନ କରାଯାଇଥାଏ ଓଡ଼ିଆ ଜାତିର ଅନନ୍ୟ ପର୍ବ ଅକ୍ଷୟ ତୃତୀୟା । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାବେଳେ ଏଠାରେ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ତେଣୁ ଓଡ଼ିଶାରେ ପାଳନ କରାଯାଉଥିବା ଅନେକ ପର୍ବ ପର୍ବାଣୀ କୃଷି ସହିତ ଜଡ଼ିତ । ଅକ୍ଷୟ ତୃତୀୟା ଦିନ ଚାଷ ଜମିରେ ହୋଇଥାଏ ଅକ୍ଷିମୁଠି ଅନୁକୂଳ । ଅକ୍ଷୟ ତୃତୀୟା ଦିନ ପ୍ରତ୍ୟୁଷରେ ଚାଷୀ ଭାଇ ହଳଦୀ, ଚନ୍ଦନ ଏବଂ ସିନ୍ଦୁରବୋଳା ଧାନ ବିହନରେ ପରିପୂର୍ଣ୍ଣ ଏକ ନୂତନ ଗଉଣୀ ଏବଂ ଅନ୍ୟ ଏକ ଟୋକେଇରେ ପିଠା ଧରି ଯାଇଥାଏ ଚାଷ ଜମିକୁ । ସେଠାରେ ଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନାକରି କ୍ଷେତରେ େ ଐଶାନ୍ୟ କୋଣରେ ତାହାକୁ ପୋତିଥାଏ । ତାପରେ ବିହନ ବୁଣାର ଶୁଭାରମ୍ଭ ହୋଇଥାଏ । କଥିତ ରହିଛିକି ଅକ୍ଷୟ ତୃତୀୟା ଦୁନିରୁ ହିଁ ଚାଷ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏହି ଦିନକୁ ଅତ୍ୟନ୍ତ ଶୁଭ ମନାଯାଉଥିବାରୁ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ, ବ୍ରତୋପନୟନ ଇତ୍ୟାଦି ଶୁଭକାର୍ଯ୍ୟ ସମ୍ପାଦନ ହୋଇଥାଏ ।
ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ଦିନ ଆରମ୍ଭ ହୋଇଥାଏ ବାହାର ଚନ୍ଦନ ଯାତ୍ରା । ଏହି ଯାତ୍ରା ୨୧ ଦିନ ଧରି ଅନୁଷ୍ଠିତ ହେଉଥିବାବେଳେ ମନ୍ଦିରରୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ ମୋହନ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବିଜେକରି ନରେନ୍ଦ୍ର ପୁଷ୍କରିଣୀକୁ ଚାପ ଖେଳିବା ପାଇଁ ଯାତ୍ରା କରିଥାନ୍ତି । ଏଥିପାଇଁ ଏକ ବର୍ଣ୍ଣାଢ୍ୟ ଶୋଭା ଯାତ୍ରା ବାହାରେ ବଡ଼ ଦାଣ୍ଡରେ ଯେଉଁଥିରେ ଦାଣ୍ଡ ସଙ୍ଗୀତ ବୋଲାଯାଏ । ବାଟରେ ଠାକୁରଙ୍କୁ ଠାଏ ଠାଏ ଅର୍ପଣ କରାଯାଏ ପନ୍ତି ଭୋଗ । ଶ୍ରୀଜିଉମାନେ ନରେନ୍ଦ୍ର ଚକଡ଼ାରେ ପହଞ୍ଚିବା ପରେ ବିଧିବିଧାନ ସହକାରେ ଚାପରେ ବସାଇ ନୌକା ବିହାର କରିଥାନ୍ତି ।
ଅକ୍ଷୟ ତୃତୀୟା ଦିନ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରା ନିମନ୍ତେ ରଥ ନିର୍ମାଣର ଶୁଭ ଅନୁକୁଳ ହୁଏ । ପୂର୍ବରୁ ଶ୍ରୀପଞ୍ଚମୀ ଦିନ ଶ୍ରୀକ୍ଷେତ୍ରକୁ ରଥ କାଠ ଆସିଥାଏ । ଅକ୍ଷୟ ତୃତୀୟା ଦିନ ପ୍ରତ୍ୟୁଷରୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ଏଠାରେ ପ୍ରଥମେ ଆରମ୍ଭ କରାଯାଇଥାଏ ରଥ ଚକା କାର୍ଯ୍ୟ । ତାପରେ ବିଭିନ୍ନ ଦିବସରେ ବିଭିନ୍ନ ଅଂଶର ନିର୍ମାଣ କରାଯାଇଥାଏ ।
ପୁରାଣ କଥା ଅନୁଯାୟି ଅକ୍ଷୟ ତୃତୀୟାକୁ ନେଇ ଅନ୍ୟ ଏକ ବର୍ଣ୍ଣନା ମଧ୍ୟ ରହିଛି । କୁହାଯାଏ ଚାରି ଯୁଗ ମଧ୍ୟରେ ଶ୍ରେଷ୍ଠ ସତ୍ୟ ଯୁଗର ଆରମ୍ଭରୁପେ ଏହି ଦିନ ଶ୍ରେଷ୍ଠ ଅଟେ । ମାନ୍ୟତା ରହିଛିକି ଶ୍ରୀଗଣେଶ ଓ ବେଦବ୍ୟାସ ଉକ୍ତ ଦିନରେ ମହାଭାରତ ରଚନା କରିଥିଲେ ଏବଂ ଗଙ୍ଗା ମାତା ପୃଥିବୀ ପୃଷ୍ଠରେ ପ୍ରବାହିତ ହୋଇଥିଲେ । ଆହୁରି ମଧ୍ୟ ପର୍ଶୁରାମଙ୍କ ଜନ୍ମ ତିଥିରୁପେ ମଧ୍ୟ ପାଳନ କରାଯାଇଥାଏ ଏହି ଦିନକୁ । ଅକ୍ଷୟ ଅର୍ଥ ଯାହାର କ୍ଷୟ ନାହିଁ ବା ବିନିଷ୍ଠ ଯୋଗ ନାହିଁ । କିମ୍ବଦନ୍ତି ଅନୁଯାୟି ଶ୍ରୀକୃଷ୍ଣ ସଖା ସୁଦାମାଙ୍କୁ ଏହିଦିନ ଭେଟିଥିଲେ । ଦିନେ ସୁଦାମା ଶ୍ରୀକୃଷ୍ଣଙ୍କୁ ଭେଟିବାକୁ ଦ୍ୱାରୀକା ନଗରୀ ଯାଇଥିଲେ । ସଖାଙ୍କ ପାଇଁ ସୁଦାମା ଖୁଦ ଭଜାନେଇ ଯାଇଥିଲେ ମଧ୍ୟ ସଙ୍କୋଚ ବଶତଃ ତାକୁ ଲୁଚାଇ ରଖିଥିଲେ । ଅନ୍ତର୍ଯ୍ୟାମୀ ଭଗବାନ ଏହା ଜାଣିପାରି ଖୁଦ ଭଜା ମୋତେ ଦିଅ କହି ତାଙ୍କ ହାତରୁ ଛଡ଼ାଇ ନେଇଖାଇଥିଲେ । ସୁଦାମାଙ୍କ ଚାଳିଆ ଏକ ଉଆସରେ ପରିଣତ ହୋଇଥିଲା । ଏହି ଦିନରେ ବନ୍ଧୁତ୍ୱର ଏହି ଗାଥାକୁ ପ୍ରଶଂସା କରାଯାଇଥାଏ ।
Comments are closed.