ବୁମରାଙ୍କୁ ନେଇ ଭବିଷ୍ୟବାଣୀ କଲେ ମ୍ୟାକ୍‌ଗ୍ରାଥ, କହିଲେ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ବୋଲର ପାଇଁ ତାଙ୍କ ପାଖରେ ରହିଛି ସମସ୍ତ ଦକ୍ଷତା


ଭାରତୀୟ ଦଳର ଚର୍ଚ୍ଚିତ ପେସ୍‌ ବୋଲର ଜଶପ୍ରୀତ ବୁମରା ବିଶ୍ୱର ଶ୍ରେଷ୍ଠ ପେସ୍‌ ବୋଲରଙ୍କ ମଧ୍ୟରେ ଗଣା ହେବେ ବୋଲି ମ୍ୟାକ୍‌ଗ୍ରାଥ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ, ବୁମରାଙ୍କ ନିକଟରେ ପ୍ରଚୁର ଦକ୍ଷତା ରହିଛି । ମୁଁ ତାଙ୍କ ସହ ଅନେକ ଥର ଆଲୋଚନା କରିଛି। ତାଙ୍କ ବୋଲିଂ ମୋତେ ବେଶ ପ୍ରଭାବିତ କରିଛି। ସର୍ବକାଳୀନ ଶ୍ରେଷ୍ଠ ପେସ୍‌ ବୋଲରଙ୍କ ମଧ୍ୟରେ ସ୍ଥାନ ପାଇବା ପାଇଁ ତାଙ୍କ ନିକଟରେ ସମସ୍ତ ଦକ୍ଷତା ରହିଛି । ୬/୭ ମାସ ଧରି ଟେଷ୍ଟ କ୍ରିକେଟ୍‌ ଖେଳି ନଥିଲେ ହେଁ ଏହା ବୁମରାଙ୍କ ଲୟକୁ ପ୍ରଭାବିତ କରିବ ନାହିଁ। କିଛି ମାତ୍ର ଓଭର ମଧ୍ୟରେ ସେ ଲୟ ଫେରି ପାଇବେ। ଏଥର ଟେଷ୍ଟ ସିରିଜରେ ବୁମରାଙ୍କ ବୋଲିଂ ଦେଖିବାକୁ ଅପେକ୍ଷା କରିଛି।

ଅପରପକ୍ଷେ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କେବଳ ପ୍ରଥମ ଟେଷ୍ଟ ଖେଳି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । ତାଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ପରବର୍ତ୍ତୀ ୩ଟି ଯାକ ଟେଷ୍ଟରେ ଦଳର ନେତୃତ୍ୱ ନେବେ । କୋହଲିଙ୍କ ଅନୁପସ୍ଥିତି ରୋହିତ ଶର୍ମାଙ୍କ ପାଇଁ ସୁଯୋଗ ଆଣିବ ବୋଲି କିମ୍ବଦନ୍ତୀ ପେସ୍‌ ବୋଲର ଗ୍ଲେନ୍‌ ମ୍ୟାକ୍‌ଗ୍ରା ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ବିରାଟ ପ୍ରଥମ ଟେଷ୍ଟ ଖେଳି ଭାରତ ଫେରିଯିବେ । ତାଙ୍କ ଅନୁପସ୍ଥିତି ଟେଷ୍ଟ ସିରିଜକୁ ପ୍ରଭାବିତ କରିବା ସ୍ୱାଭାବିକ୍‌ । ହେଲେ ଭାରତୀୟ ଦଳରେ ପ୍ରତିଭାବାନ ବ୍ୟାଟ୍ସମ୍ୟାନଙ୍କ ଅଭାବ ନାହିଁ । ମୋ ନଜରରେ କୋହଲିଙ୍କ ଅନୁପସ୍ଥିତିରେ ବ୍ୟାଟିଂ ବିଭାଗ ରୋହିତଙ୍କ ଉପରେ ନ୍ୟସ୍ତ ରହିବ । ରୋହିତ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ସୀମିତ ଓଭର କ୍ରିକେଟ୍‌ରେ ସେ ଅନେକ ରେକର୍ଡ ଓ ସଫଳତା ଅର୍ଜନ କରିସାରିଛନ୍ତି । ହେଲେ ଟେଷ୍ଟ କ୍ରିକେଟ୍‌ରେ ସେ ଏପର୍ଯ୍ୟନ୍ତ ଦକ୍ଷତା ଦେଖାଇବାରେ ବିଫଳ ହୋଇଛନ୍ତି । ଦକ୍ଷତା ଦୃଷ୍ଟିରୁ ସେ କୋହଲିଙ୍କ ସମକକ୍ଷ । ତେଣୁ କୋହଲିଙ୍କ ଅନୁପସ୍ଥିତି ତାଙ୍କ ପାଇଁ ସୁଯୋଗ ଆଣିବ । ସେ ବ୍ୟାଟିଂ ବିଭାଗ ସମ୍ଭାଳିବା ପାଇଁ ପ୍ରୟାସ କରିବେ । ସୁଯୋଗର ସଦୁପଯୋଗ କରି ସେ ଟେଷ୍ଟ କ୍ରିକେଟ୍‌ରେ ସଫଳ ହେବାର କ୍ଷମତା ରଖିଥିବା ପ୍ରମାଣ କରିବେ ବୋଲି ମୁଁ ଆଶା କରୁଛି ।


Share It

Comments are closed.