‘LeT’ର ଧମକପୂର୍ଣ୍ଣ ପୋଷ୍ଟର, ଗୁଲାମ ନବୀ ବିଜେପି ଏଜେଣ୍ଟ!


‘ତମେ ଦେଶଦ୍ରୋହୀ । ଆଉ ଦେଶଦ୍ରୋହୀଙ୍କ ପାଇଁ ହୃଦୟରେ କୌଣସି ସ୍ଥାନ ନାହିଁ । କେବଳ ବିଶ୍ୱାସଭାଜନ ହେବାକୁ ଦେଖାଇ ହେଉଛ । ପରିଣତି ଭୟଙ୍କର ହେବ’। ଏଭଳି ପୋଷ୍ଟର ମାଧ୍ୟମରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା । ଗୁଲାମ ନବୀଙ୍କୁ ବିଜେପି ଏଜେଣ୍ଟ କହିଛନ୍ତି ଆତଙ୍କବାଦୀ ।

ଆସନ୍ତା କିଛିଦିନ ମଧ୍ୟରେ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ରାଲି କରିବା ପାଇଁ ପ୍ରସ୍ତୁତି କରିଛନ୍ତି ଗୁଲାମ ନବୀ ଆଜାଦ । ମିଶନ କାଶ୍ମୀର ନାରା ଦେଇ ଏହି ରାଲି ଆୟୋଜନ କରାଯାଇଛି । କିନ୍ତୁ ଏହାର ଠିକ୍‌ ପୂର୍ବରୁ ହିଁ ସୋସିଆଲ ମିଡିଆ ଜରିଆରେ ନବୀଙ୍କୁ ମିଳିଛି ଧମକ । ହାଫିଜ୍‌ ସଇଦ ନେତୃତ୍ୱାଧୀନ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନ ପକ୍ଷରୁ ନବୀଙ୍କୁ ଧମକ ଦିଆଯାଇଛି ।

ଲସ୍କର ପକ୍ଷରୁ ଧମକପୂର୍ଣ୍ଣ ପୋଷ୍ଟରରେ କୁହାଯାଇଛି ଯେ, ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପୂର୍ବରୁ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ଗୁପ୍ତରେ ଭେଟିଥିଲେ । ଏହା ସହିତ ବିଜେପି ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ କାଶ୍ମୀରୀ ପଣ୍ଡିତଙ୍କୁ ବ୍ୟବହାର କରୁଥିବା କହିଛି ଲସ୍କର ।

କେବଳ ସେତିକି ନୁହେଁ, କିଛିଦିନ ପୂର୍ବରୁ ଟାର୍ଗେଟ୍‌ କିଲିଂ କରି ଜାମ୍ମୁ କାଶ୍ମୀରର ହିନ୍ଦୁ ଯୁବକ ରାହୁଲ ଭଟ୍ଟକୁ ହତ୍ୟା କରିଥିଲେ ଆତଙ୍କୀ । ଆତଙ୍କୀ ସଂଗଠନ କହିଛି ଯେ, ରାହୁଲ ଭଟ୍ଟ ସିଧାସଳଖ ଭାବେ ଏନଏସ୍ଏ ଅଜିତ ଡୋଭାଲଙ୍କ ସହ ଯୋଗଯୋଗରେ ଥିଲେ । ତେଣୁ ଯେଉଁମାନେ ଜାସୁସି କରୁଛନ୍ତି ସେମାନଙ୍କୁ ଖୋଜିଖୋଜି ହତ୍ୟାକରାଯିବାକୁ ଆତଙ୍କୀ ସଂଗଠନ ଧମକ ଦେଇଛି ।

ସୂଚନାଯୋଗ୍ୟ, ନିକଟରେ ୫୦ ବର୍ଷର ସମ୍ପର୍କକୁ ଛି କହି କଂଗ୍ରେସ ଛାଡିଥିଲେ ଭେଟେରାନ୍‌ ରାଜନେତା ଗୁଲାମ ନବୀ ଆଜାଦ । ଦଳୀୟ ନେତୃତ୍ବଙ୍କୁ ଦାୟୀ କରି ସେ ଦଳଛାଡିଥିବା କହିଥିଲେ । ଇସ୍ତଫା ଦେବାର କିଛି ଦିନ ପରେ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ରାଲି କରିବା ସହ ଜନତାଙ୍କ ନିକଟକୁ ଯାଉଛନ୍ତି । ନୂଆ ଦଳ ଗଠନ କରିବାକୁ ମଧ୍ୟ କହିସାରିଛନ୍ତି ଆଜାଦ । କିନ୍ତୁ ବିଜେପି ସହ ଭିତିରି ସମ୍ପକ ଥିବା ଆଲୋଚନା ହେଉଥିବା ବେଳେ ଆତଙ୍କବାଦୀ ସଂଗଠନ ମଧ୍ୟ ଏବେ ଆଜାଦଙ୍କୁ ଧମକ ଦେବା ଆରମ୍ଭ କରିଛନ୍ତି ।


Share It

Comments are closed.