ଓଡ଼ିଶା ସରକାରଙ୍କ ପକ୍ଷରୁ ନୀଳାଚଳ ଇସ୍ପାତ ନିଗମରେ ରାସାୟନିକ ବିପର୍ଯ୍ୟୟ ପ୍ରସ୍ତୁତି ନେଇ ପୂର୍ଣ୍ଣାଙ୍ଗ ମକ୍ ଡ୍ରିଲ ଅନୁଷ୍ଠିତ

Share It

ରାସାୟନିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ଓ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ନୀଳାଚଳ ଇସ୍ପାତ ନିଗମ ଠାରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ଉପରେ ଏକ ରାଜ୍ୟସ୍ତରୀୟ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓଏସଡିଏମଏ)ର ସହଯୋଗରେ ଆୟୋଜିତ ଏହି ମକ୍ ଡ୍ରିଲ୍ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିଳ୍ପ, ସରକାରୀ ଏଜେନ୍ସି ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଦଳଗୁଡିକ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା। ନୀଳାଚଳ ଇସ୍ପାତ ନିଗମ, ଟାଟା ଷ୍ଟିଲ କଳିଙ୍ଗନଗର ଓ ଜିନ୍ଦଲ ଷ୍ଟେନଲେସ୍ ସମେତ ଏହି ଅଞ୍ଚଳର ଅନ୍ୟ ଇସ୍ପାତ ଉତ୍ପାଦନକାରୀ କମ୍ପାନୀମାନେ ପାରସ୍ପରିକ ସହଯୋଗୀ ସହାୟକ ଭାବେ ଏହି ମକ ଡ୍ରିଲରେ ଅଂଶଗ୍ରହଣ କରିଥିଲେ।

ଏହି ମକ୍ ଡ୍ରିଲକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟରର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଶୋକ କୁମାର ବେହେରା ସଂଯୋଜନା କରିଥିଲେ। ନୀଳାଚଳ ଇସ୍ପାତ ନିଗମ କାରଖାନା ଭିତରେ ଥିବା ପାୱାର ପ୍ଲାଣ୍ଟରେ ଥିବା ଲାଇଟ୍ ଡିଜେଲ ଅଏଲ (ଏଲଡିଓ) ଟ୍ୟାଙ୍କ ଷ୍ଟୋରେଜରେ ସମ୍ଭାବ୍ୟ ଲାଇଟ୍ ଡିଜେଲ ଅଏଲ (ଏଲଡିଓ) ଲିକ୍ କ୍ଷେତ୍ରରେ ଏହାର ପ୍ରଶମନ କ୍ଷମତା ପରୀକ୍ଷା କରିବା ଏହି ମକ୍ ଡ୍ରିଲର ଉଦେଶ୍ୟ ଥିଲା।

ଏହାର ଅର୍ଥ ପ୍ରକୃତରେ କୌଣସି ଅଘଟଣ ଘଟିନଥିଲେ ମଧ୍ୟ ନିରାପତ୍ତା, ଅଗ୍ନିଶମ ବାହିନୀ, ମେଡିକାଲ, ସିକ୍ୟୁରିଟି ଆଣ୍ଡ ଅପରେସନ୍ ସମେତ ବିଭିନ୍ନ ଟିମ ଏଥିପାଇଁ କେତେ ପ୍ରସ୍ତୁତ ତାହା ପରୀକ୍ଷା କରିବା ପାଇଁ ବିଭିନ୍ନ ଦିଗକୁ ଲକ୍ଷକରି ଏହି ମକ୍ ଡ୍ରିଲରେ ସେହିପରୀ ପରିସ୍ଥିତି ସୃଷ୍ଟିି କରାଯାଇଥିଲା। ମକ୍ ଡ୍ରିଲ୍ ସମୟରେ ଟିମ୍ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବା, ନିର୍ଦ୍ଦିଷ୍ଟ ସ୍ଥାନରୁ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବା, ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ କରିବା, ସମ୍ଭାବ୍ୟ ସଙ୍କଟକୁ ଠିକ୍ ସମୟରେ ତଦାରଖ କରି ନିୟନ୍ତ୍ରଣ କରିବା ପାଇଁ ବ୍ୟବହାରିକ ପ୍ରଶିକ୍ଷଣ ପ୍ରୋଟୋକଲ୍ ଅଭ୍ୟାସ କରାଯାଇଥିଲା।

ଏହି ମକ୍ ଡ୍ରିଲରେ ଯାଜପୁର ଜିଲା ଦାନଗଦୀ ତହସିଲଦାର ରଣଜିତ କୁମାର ମଲ୍ଲିକ, କାରଖାନା ଓ ବଏଲରର ଉପନିର୍ଦ୍ଦେଶକ ଗଣେଶ୍ୱର ମାର୍ଡି, ଓଏସପିସିବିର ଆଞ୍ଚଳିକ ଅଧିକାରୀ ମଦନ ମୋହନ ସାହୁ, ଯାଜପୁର ଆଞ୍ଚଳିକ କାର୍ଯ୍ୟାଳୟର ସହକାରୀ ପରିବେଶ ବୈଜ୍ଞାନିକ ହିମାଂଶୁ ଶେଖର ସାହୁ, ଓଡିଆରଏଫ୍ ର ସହକାରୀ କମାଣ୍ଡାଣ୍ଟ ନରେଶ ବେହେରା, ଯାଜପୁର ରୋଡ ଅଗ୍ନିଶମ କେନ୍ଦ୍ର, ସହକାରୀ ଅଗ୍ନିଶମ ଅଧିକାରୀ ତଥା ଟିମ୍ ଲିଡର ତାପସ କୁମାର ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୀଳାଚଳ ଇସ୍ପାତ ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Share It

Comments are closed.