ସଫଳ ହେଲା ଭରତଙ୍କ ସ୍ବପ୍ନ, ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଟାଙ୍ଗରା ଭୂଇଁ ପାଲଟିଲା ଫଳ ଉଦ୍ୟାନ


ଗଞ୍ଜାମ ଜିଲ୍ଲା ଛତ୍ରପୁର ଅନ୍ତର୍ଗତ ବିପିଲିଙ୍ଗି ଗ୍ରାମର ଚାଷୀ ଭରତ ରେଡ୍ଡୀଙ୍କ ସ୍ବପ୍ନ ପୂରଣ ହୋଇଛି। ଟାଟା ଷ୍ଟିଲ ଫାଉଣ୍ଡେସନର (ଟିଏସ୍ଏଫ୍) ସହଯୋଗ ଓ ନିଜର କଠିନ ପରିଶ୍ରମ ଦ୍ଵାରା ସେ ପ୍ରାୟ ଦେଢ଼ ଏକରରୁ ଊର୍ଦ୍ଧ୍ୱ ଜମିରେ ଫଳାଇ ପାରିଛନ୍ତି ସୁନାର ଫସଲ। ଦିନେ ଟାଙ୍ଗରା ହୋଇ ପଡିରହିଥିବା ଏହି ଜମିରେ ଏବେ ଦେଖିବାକୁ ମିଳୁଛି ମନଲୋଭା ପିଜୁଳି ଆଉ ଲେମ୍ବୁ ଗଛ। ଏହି ଜମି ଏବେ ଫଳ ଉଦ୍ୟାନରେ ପରିଣତ ହୋଇଛି।

ତେବେ ଭରତଙ୍କ ପାଇଁ ଏସବୁ ଏତେ ସହଜ ନଥିଲା। ଜମିରେ କେଉଁ କିସମର ଗଛ ଲଗାଇଲେ ଭଲ ହେବ ଓ ଚାରା କେଉଁଠୁ ଆସିବ ଆଦି ବିଭିନ୍ନ ପ୍ରକାର ଚିନ୍ତା କରୁଥିଲେ ସେ। ଆଉ ଠିକ୍ ସେହି ସମୟରେ ସହଯୋଗର ହାତ ବଢ଼ାଇଥିଲା ଟାଟା ଷ୍ଟିଲ ଫାଉଣ୍ଡେସନ। ଉନ୍ନତ କିସମର ପିଜୁଳି ଆଉ ଲେମ୍ବୁ ଚାରା ଯୋଗାଇଦେବା ସହ ଏହାର ଚାଷ ପଦ୍ଧତି ସମ୍ପର୍କରେ ଟିଏସ୍ଏଫ୍ ଭରତଙ୍କୁ ପ୍ରଶିକ୍ଷଣ ମଧ୍ଯ ଦେଇଥିଲା। ଟିଏସ୍ଏଫ୍ ପକ୍ଷରୁ ଭରତଙ୍କୁ ଯୋଗାଇ ଦିଆଯାଇଥିଲା ତାଇୱାନ ପିଙ୍କ୍ କିସମର ପିଜୁଳି ଚାରା ଓ ଜୈବ ଉର୍ବରକ। ପ୍ରତିକୂଳ ଜଳବାୟୁରେ ମଧ୍ଯ ଭଲଭାବେ ବଢୁଥିବା ଏହି ଚାରାର ବିଶେଷତ୍ଵ ହେଲା ଯେ ଚାରା ରୋପଣର ମାତ୍ର ଏଗାର ମାସରେ ଏହା ପାକଳ ଫଳ ଧରିଥାଏ।

ବାସ୍, ଆଉ ତା’ପରେ ଜମିରେ ୧୧୦୦ ପିଜୁଳି ଗଛ ଓ ୧୫୦ ଲେମ୍ବୁ ଗଛ ଲଗାଇ ମାତ୍ର ମାସ କେଇଟାରେ ଏହି ଟାଙ୍ଗରା ଭୁଇଁକୁ ଏକ ସୁନ୍ଦର ସବୁଜ ଫଳ ବଗିଚାରେ ପରିଣତ କରିଦେଇଥିଲେ ସେ। ଚଳିତ ବର୍ଷ ଏହି ବଗିଚାରୁ ତିନି ଶହ କେଜିରୁ ଉର୍ଦ୍ଧ୍ବ ପିଜୁଳି ଉତ୍ପାଦନ ହୋଇ ସାରିଥିବା ବେଳେ ଆଗାମୀ କିଛିଦିନରେ ଲେମ୍ବୁ ମଧ୍ଯ ତୋଳାଯିବା ପାଇଁ ପ୍ରସ୍ତୁତ ହୋଇଯିବ। ସ୍ଥାନୀୟ ବଜାରରେ ପିଜୁଳି କେଜି ପିଛା ୭୦ ଟଙ୍କାରେ ବିକ୍ରିକରି ସେ ଏହି ବର୍ଷ ୨୨,୦୦୦ ଟଙ୍କା ଆୟ କରିପାରିଛନ୍ତି ବୋଲି କହିଛନ୍ତି ଭରତ।
ନିଜ ପରିବାରର ଆୟ ବୃଦ୍ଧି କରି ଆର୍ଥିକ ସ୍ବାବଲମ୍ବୀ ହୋଇପାରିଥିବାରୁ ଟାଟା ଷ୍ଟିଲ ଫାଉଣ୍ଡେସନକୁ ସେ ଧନ୍ୟବାଦ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାର ଚାଷୀ ମାନଙ୍କୁ ସଶକ୍ତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଥିବା ଟିଏସ୍ଏଫ୍, ସ୍ଥାନୀୟ ଲୋକଙ୍କ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ତଥା ଦୀର୍ଘମିଆଦୀ ଲାଭ ପାଇଁ ଏପରି ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଛି। ଅଞ୍ଚଳର କୃଷକ ସମ୍ପ୍ରଦାୟ ଏବଂ କୃଷିର ଉନ୍ନତି ପାଇଁ ଫାଉଣ୍ଡେସନ ପକ୍ଷରୁ ଅନେକ ଅଭିନବ କାର୍ଯ୍ୟକ୍ରମ ଜରିଆରେ ସହଭାଗିତା ଜାରି ରହିଛି।


Share It

Comments are closed.