ଗୁଜରାଟରେ ଇସୁଦାନ ଗଢବୀ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ


ଆମ ଆଦମୀ ପାର୍ଟି(ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍ ଗୁଜରାଟରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। କେଜ୍ରିୱାଲ୍ ୨୯ ଅକ୍ଟୋବରରେ ସୁରଟ୍‌ରେ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ପଚାରିଥିଲେ ସେ କାହାକୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହାନ୍ତି। ଜନତାଙ୍କ ଦ୍ବାରା ମଗା ଯାଇଥିବା ରାୟ ଆଧାରରେ ପୂର୍ବତନ ସାମ୍ବାଦିକ ଇସୁଦାନ ଗଢବୀଙ୍କ ନାଁ ଘୋଷଣା କରାଯାଇଛି। ଏହା ପୂର୍ବରୁ ଗୁଜରାଟରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ପାଟିଦାର ନେତା ଗୋପାଳ ଇଟାଲିୟା, ଅଳ୍ପେଶ କଥେରିୟା, କଂଗ୍ରେସ ଛାଡି ଆପ୍‌ରେ ସାମିଲ ଇନ୍ଦ୍ରନିଲ ରାଜଗୁରୁ, ମନୋଜ ସୁରାଥିୟାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ଶେଷରେ ଜନତାଙ୍କ ରାୟକୁ ଗ୍ରହଣ କରି କେଜ୍ରିୱାଲ୍ ଇସୁଦାନଙ୍କୁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛନ୍ତି।

ଇସୁଦାନ ଏବେ ଆପ୍‌ର ନ୍ୟାସନାଲ ଜଏଣ୍ଟ ଜେନେରାଲ ସେକ୍ରେଟରୀ ଅଛନ୍ତି। କେଜ୍ରିୱାଲ୍ କହିଛନ୍ତି, ଗୁଜରାଟର ୧୬ ଲକ୍ଷ ୪୮ ହଜାର ୫୦୦ ଲୋକ ନିଜର ରାୟ ଦେଇଛନ୍ତି। ଗୁଜରାଟର ୧୬ ଲକ୍ଷରୁ ଅଧିକ ଲୋକଙ୍କ ରାୟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଏଠାର ଜନତା ଇସୁଦାନଙ୍କୁ ଚୟନ କରିଛନ୍ତି। ତେଣୁ ଆମ ଦଳର ସେ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। ସେ କହିଛନ୍ତି, ଗୁଜରାଟ ପରିବର୍ତ୍ତନ ଦିଗରେ ବଢୁଛି। ଆପ୍‌ର ନୂଆ ଇଞ୍ଜିନ, ନୂଆ ଆଶା।କେଜ୍ରିୱାଲ୍ ୨୯ ଅକ୍ଟୋବରରେ ସୁରଟରେ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ପଚରିଥିଲେ ସେମାନେ କାହାକୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହାନ୍ତି। ସେ ଜନତାଙ୍କ ରାୟ ଜାଣିବା ପାଇଁ ଏକ ନମ୍ବର ଜାରି କରିଥିଲେ, ଯେଉଁଥିରେ କଲ୍‌ ଓ ହ୍ବାଟସଆପ୍‌ ଜରିଆରେ ଲୋକ ୩ ନଭେମ୍ବର ଅର୍ଥାତ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ନିଜର ରାୟ ଦେଇ ପାରନ୍ତି।

ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟରେ ୮୯ ସିଟ୍‌ରେ ୧ ଡିସେମ୍ବର, ଦ୍ବିତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ୫ ଡିସେମ୍ବରରେ ଭୋଟିଂ ହେବ। ସେଭଳି ଗୁଜରାଟ ନିର୍ବାଚନର ଫଳାଫଳ ହିମାଚଳ ପ୍ରଦେଶ ସହିତ ୮ ଡିସେମ୍ବରରେ ଆସିବ। ମୁଖ୍ୟ ନିର୍ବାଚନ କମିଶନ୍‌ର ରାଜୀବ କୁମାର ଓ ନିର୍ବାଚନ କମିଶନ୍ ଅନୁପ ଚନ୍ଦ୍ର ପାଣ୍ଡେୟ କହିଛନ୍ତି, ଏଥର ୫୧୭୮୨ ପୋଲିଂ ଷ୍ଟେସନ୍‌ରେ ୪.୯ କୋଟି ଭୋଟର ଭୋଟ ଦେବେ। ଏଥର ଗୁଜରାଟରେ ୩,୨୩,୪୨୨ ନୂଆ ଭୋଟର ଜୋଡି ହୋଇଛନ୍ତି।


Share It

Comments are closed.