ମହାଶିବରାତ୍ରିର ବ୍ରତରେ କ’ଣ କରିବେ ସେବନ


ଭାରତରେ ମହାଶିବରାତ୍ରିର ବ୍ରତ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଇଥାଏ । ଏହା ହିନ୍ଦୁମାନଙ୍କର ସବୁଠାରୁ ଶୁଭ ପର୍ବ ମଧ୍ୟରୁ ଗୋଟିଏ । ଗୁଜରାଟର ସୋମନାଥ ଓ ଉଜ୍ଜୈନନର ମହାକାଳେଶ୍ୱର ମନ୍ଦିର ଭଗବାନ ଶିବଙ୍କ ପ୍ରାଚୀନ ମନ୍ଦିର ହୋଇଥିବା ବେଳେ ଏଠାରେ ମହାଶିବରାତ୍ରିରେ ଲକ୍ଷ ଲକ୍ଷ ଭକ୍ତ ମହାଦେବଙ୍କୁ ଦର୍ଶନ କରିଥାନ୍ତି । ଏହି ଦିନ ଅନେକ ଭକ୍ତ ଉପବାସ ରଖିଥାନ୍ତି । କିଛି ଭକ୍ତ ନିର୍ଜଳା ବ୍ରତ ମଧ୍ୟ ରଖିଥାନ୍ତି । ବ୍ରତ ରଖିଥିବା ସମୟରେ ଲୋକେ କ’ଣ ଖାଇବେ କ’ଣ ନଖାଇବେ ତାହାକୁ ନେଇ ଦ୍ୱନ୍ଦରେ ରହିଥାନ୍ତି । ଆସନ୍ତୁ ଜାଣିବା ମହାଶିବରାତ୍ରି ବ୍ରତ ସମୟରେ କ’ଣ ସେବନ କରିବା ଉଚିତ ଓ କ’ଣ ଅନୁଚିତ ।
ଭାରତରେ ପ୍ରାୟତଃ ପ୍ରତ୍ୟେକ ପରିବାରରେ ବ୍ରତ ରଖିବାର ନିୟମ ଅଲଗା ହୋଇଥାଏ କିନ୍ତୁ କିଛି କଥା ଏମିତି ଥାଏ ଯାହାକୁ ସାଧାରଣତଃ ସମସ୍ତେ ମାନିଥାନ୍ତି । ଏହି ସମୟରେ ଲୋକେ ମାଂସାହାରୀ ଓ ଭାରି ଭୋଜନରୁ ଦୂରେଇ ରୁହନ୍ତି । ଖାଦ୍ୟରେ ପିଆଜ, ରସୁଣ ଆଦିର ବ୍ୟବହାର କରନ୍ତି ନାହିଁ । ଏହାଛଡା ବ୍ରତ ସମୟରେ ଭାତ ମଧ୍ୟ ଖିଆଯାଏ ନାହିଁ । ବ୍ରତ ସମୟରେ ତିଆରି ହୋଇଥିବା ଖାଦ୍ୟ ସମ୍ପୂର୍ଣ୍ଣ ରୂପେ ସାତ୍ୱିକ ହୋଇଥାଏ । ତାହା ଶୁଦ୍ଧ ଘିଅରେ ପ୍ରସ୍ତୁତ ହୋଇଥାଏ । ତେବେ ବ୍ରତ କରିଥିବା ଲୋକେ ଫଳ, ଦହି, ଦୁଗ୍ଧ, ଦୁଗ୍ଧଜାତ ଖାଦ୍ୟ ଓ ଡ୍ରାଏ ଫ୍ରୁଟ୍ ଆଦି ଖାଇପାରିବେ । ଏହାଛଡା ବ୍ରତ ସମୟରେ ସାଧାରଣ ଲୁଣର ବ୍ୟବହାର ନକରି ସୈନ୍ଧବ ଲୁଣର ବ୍ୟବହାର କରନ୍ତୁ । ବ୍ରତ କରିଥିବା ଲୋକେ ଅଧିକରୁ ଅଧିକ ପାଣି ପିଅନ୍ତୁ, ଯାହାଫଳରେ ଆପଣ ଡିହାଇଡ୍ରେସନ ଭଳି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ସେହିପରି ବ୍ରତ କରିଥିବା ଲୋକେ ସାଗୁରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଖାଇପାରିବେ ।


Share It

Comments are closed.