କୃଷି ବିଲକୁ ବିରୋଧ କରି ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ଘରେ ବିଷ ପିଇଲେ କୃଷକ


ମୋଦି ସରକାରଙ୍କ କୃଷି ବିଲକୁ ନେଇ ବଢିଛି ଅସନ୍ତୋଷ। ହରିୟାଣା ଓ ପଞ୍ଜାବର କୃଷକମାନେ ରାସ୍ତା ଉପରେ ଓ କୃଷି ସମ୍ପର୍କିତ ୩ଟି ବିଲକୁ ଫେରାଇ ଆଣିବାର ଦାବି କରୁଛନ୍ତି। ଏହା ଭିତରେ ପଞ୍ଜାବର ମୁକ୍ତସର ସ୍ଥିତ ବାଦଲ ଗାଁରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଜଣେ କୃଷକ ବିଷ ପିଇଦେଇଛନ୍ତି। ସବୁଠାରୁ ବଡ କଥା ହେଉଛି ଏହା ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଗାଁ ଓ ତାଙ୍କ ଘର ବାହାରେ କୃଷକମାନେ ଧାରଣା ଦେଉଥିଲେ।

କୁହାଯାଉଛି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଘର ବାହାରେ ଧାରଣାରେ ବସିଥିବା ପ୍ରୀତମ ସିଂ ନାମକ ଜଣେ କୃଷକ ଆଜି ସକାଳ ସା​ଢେ ୬ଟା ସମୟରେ ବିଷ ପିଇଦେଇଥିଲେ। ସେ ମାନସାର ଅକାଳୀ ଗାଁରେ ରହୁଥିଲେ। ପ୍ରୀତମ ସିଂଙ୍କୁ ସବୁଠାରୁ ପ୍ରଥମେ ଗାଁର ସରକାରୀ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା। ଏହାପରେ ତାଙ୍କୁ ଭଟିଣ୍ଡାର ମ୍ୟାକ୍ସ ହସ୍ପିଟାଲ ଅଣାଯାଇଥିଲା। ତାଙ୍କର ସ୍ଥିତି ଗମ୍ଭୀର ରହିଛି।

ଏହି ପୁରା ବିବାଦ କେନ୍ଦ୍ରର ସେହି ୩ଟି କୃଷି ବିଲକୁ ନେଇ ରହିଛି। ଯେଉଁଥିରେ ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ ଅଧ୍ୟାଦେଶ, ଆବଶ୍ୟକୀୟ ବସ୍ତୁ ସଂଶୋଧିତ ଅଧ୍ୟାଦେଶ ଏବଂ ସଶକ୍ତିକରଣ ଓ ସଂରକ୍ଷଣ ଅନ୍ତର୍ଗତ କୃଷି ସେବା ବୁଝାମଣା ଅଧ୍ୟାଦେଶ। ଗୁରୁବାର ଲୋକସଭାରେ ଏହି ବିଲ୍ ଆଗତ ହେବା ପରେ ଶିରୋମଣି ଅକାଳୀ ଦଳ ସାଂସଦ ସୁଖବୀର ସିଂ ବାଦଲ ଏହାକୁ ବିରୋଧ କରିଛନ୍ତି। ଶିରୋମଣି ଅକାଳୀ ଦଳର ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ କୃଷି ବିଧେୟକ ଓ ଅଧ୍ୟାଦେଶକୁ ବିରୋଧ କରି ମୋଦି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଆଜି ଏହି ବିଲ୍ ଲୋକସଭାରେ ପାସ୍ ହୋଇଛି।


Share It

Comments are closed.