ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି ୧୦୮ କଲ୍ ସେଣ୍ଟର


ଭାତ ରାନ୍ଧିବା ବିଧି ପଚାରିବାଠାରୁ ଆରମ୍ଭ କରି ଷଣ୍ଢର ଦେହ ଖରାପ ଅଛି ବୋଲି ବାରମ୍ବାର କଲ୍ ଆସୁଛିି ୧୦୮ କଲ୍ ସେଣ୍ଟରକୁ । କିଏ କହୁଛି ଆମ ଗାଁ ଷଣ୍ଢ ପାଇଁ ଆମ୍ବୁଲାନ୍ସ ପଠାଇବେ କି, ତ ଆଉ କିଏ କହୁଛି ଆମ ସାହି ମଇଁଷି ଆହତ ହୋଇଛି । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏଗୁଡ଼ିକ ସତ୍ୟ । ଏହିଭଳି ଶହ ଶହ ଫେକ୍ କଲ୍ ଆସୁଛି ୧୦୮ କଣ୍ଟ୍ରୋଲ୍ ରୁମକୁ । ରୋଗୀଙ୍କୁ ୨୪ ଘଣ୍ଟା ଜରୁରୀକାଳୀନ ସେବା ଯୋଗାଉଥିବା ଏହି ଆମ୍ବୁଲାନ୍ସ ଜୀବନ ରକ୍ଷାର ଦେବଦୂତ ପାଲଟିଥିବାବେଳେ କାହା ପାଇଁ ଥଟ୍ଟା ମଜାର ଏକ ମାଧ୍ୟମ ପଲଟିଯାଇଛି ।
ସାଧାରଣ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସହାୟତାରେ ୨୦୧୩ ମାର୍ଚ୍ଚ ୫ରୁ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି ୧୦୮ ଆମ୍ବୁଲାନ୍ସ ସେବା । ଜିକିତ୍ସା ହେଲଥ କେୟାର ପ୍ରାଇଭେଟ ଲିମିଟେଡ ଏହାର ପରିଚାଳନା ଦାୟିତ୍ୱ ବହନ କରିଛି । ଏହାଦ୍ୱାରା ଅନେକ ରାଜ୍ୟବାସୀ ଜରୁରୀକାଳୀନ ସେବା ପାଇ ଉପକୃତ ହେଉଛନ୍ତି । କିନ୍ତୁ ବିଗତ କିଛି ଦିନ ହେବ ଦେଖିବାକୁ ମିଳୁଛି ଯେ, ଏହା ୧୦୮ ଆମ୍ବୁଲାନ୍ସ କଲ୍ ସେଣ୍ଟର୍ କେତେକ ଅସାମାଜିକ ଲୋକଙ୍କ ଟାଇମ୍ ପାସ୍ ସେଣ୍ଟରରେ ପରିଣତ ହୋଇଛି । କେତେକ କୁତ୍ସିତ ବ୍ୟକ୍ତିମାନେ ଏଠାକୁ ଦୈନିକ ଫେକ୍ କଲ୍ କରି କଣ୍ଟ୍ରୋଲ୍ ରୁମସ୍ଥିତ କର୍ମଚାରୀମାନଙ୍କୁ ଆଯଥାରେ ହଇରାଣ କରୁଛନ୍ତି । କେହି ମହିଳା କର୍ମୀ ଫୋନ୍ ଉଠାଇଲେ ସେମାନଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେବାରେ ମଧ୍ୟ ପଛାଉନାହାନ୍ତି । ସେମାନଙ୍କ ଏଭଳି କାର୍ଯ୍ୟକଳାପ ଯୋଗୁଁ ପ୍ରକୃତ ରୋଗୀମାନେ ଏହି ସେବା ପାଇବାରୁ ବଞ୍ôଚତ ହେଉଛନ୍ତି । ସେମାନେ ବାରମ୍ବାର ଫେକ୍ କଲ୍ କରି ଫୋନ୍କୁ ସବୁବେଳେ ବ୍ୟସ୍ତରେ ରଖୁଛନ୍ତି ।
ଏନେଇ ଶହିଦ ନଗର ପୋଲିସ ଷ୍ଟେସନ୍ରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁସାରେ, ପାଖାପାଖି ୧୨୦୦୦ଟି କଲ୍ ଏପରି ଆସିଛି, ଯାହା ପାଇଁ ଆମ୍ବୁଲାନ୍ସର କୌଣସି ଆବଶ୍ୟକତା ନାହିଁ । ୯୭୭୬୮୦୭୬୮୩ ନମ୍ବରୁ ଜଣେ ବୂକ୍ତି ୧୦୮ କଣ୍ଟ୍ରୋଲ୍ ରୁମ୍କୁ ୩୦୦୦ରୁ ଅଧିକ ଫେକ୍ କଲ୍ କରି କର୍ମଚାରୀମାନଙ୍କୁ ହଇରାଣ କରୁଛି । ଉକ୍ତ ନମ୍ବରକୁ ବ୍ଲକ୍ କରିଦେବାରୁ ସେ ଅନ୍ୟ ଏକ ନମ୍ବର ୮୫୯୬୦୫୬୬୮୪ ରୁ ପ୍ରାୟ ୧୮୦୦ରୁ ଅଧିକ ଥର କଲ୍ କରିସାରିଲାଣି ।
ଏଭଳି ଅସାମାଜିକ ଲୋକଙ୍କ ହୀନମନତା ପ୍ରକୃତ ରୋଗୀମାନଙ୍କ ଜୀବନକୁ ବିପଦମୂଖା କରୁଛି । କଲ୍ କରୁଥିବା ବ୍ୟକ୍ତି ମୋବାଇଲ୍ ସୁଇଚ୍ ଅଫ୍ ରଖୂଥିବାରୁ, ଅନେକ ସମୟରେ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ଯାଇ ଫେରି ଆସୁଛି । ଫୋନରେ ଦର୍ଶାଯାଇଥିବା ସ୍ଥାନରେ କୌଣସି ଦୁର୍ଘଟଣାର ମଧ୍ୟ ଚିହ୍ନବର୍ଣ୍ଣ ମିଳୁନାହିଁ । ଫଳରେ ଆମ୍ବୁଲାନ୍ସର ଆନୁପସ୍ଥିତି ଯୋଗୁଁ ପ୍ରକୃତ ରୋଗୀଙ୍କୁ ସେବା ଯୋଗାଇ ଦେବାରେ ଏହା ବିଫଳ ହେଉଛି । ତେଣୁ ଦୈନିକ ଫେକ୍ କଲ୍ କରୁଥିବା ଏହି ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମ୍ବଲାନ୍ସ ପକ୍ଷରୁ ଦାବି ହେଉଛି ।


Share It

Comments are closed.