ସ୍ୱାସ୍ଥ୍ୟ ପାଇଁ ହିତକାରୀ ଡାଳିମ୍ବ, ଜାଣନ୍ତୁ ଏହାର ଉପକାରିତା


ଡାଳିମ୍ବ ଏକ ଫଳ ହେଲେ ମଧ୍ୟ ଏହା ବହୁ ବର୍ଷ ଧରି ଦହିବରା, ଚାଟ୍, ଲସି, ଫଳ ରସ ଇତ୍ୟାଦିରେ ସ୍ୱତନ୍ତ୍ର ସ୍ୱାଦ ପାଇଁ ବ୍ୟବହାର ହୋଇଆସୁଛି । ଏଥିରେ ବହୁ ଆୟୁର୍ବେଦିକ ଗୁଣ ରହିଥିବାରୁ ଏହା ବିଭିନ୍ନ ଆୟୁର୍ବେଦିକ େଓøଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ । ଏହା ବିଭିନ୍ନ ମିନେରାଲ, ଫାଇବର, ଭିଟାମିନ ଏ, ସି, ଇ ଏବଂ ଫଲିକ ଏସିଡର ଉତ୍ତମ ସ୍ରୋତ ।
ଡାଳିମ୍ବର ଥିବା ବିଭିନ୍ନ ପ୍ରକାରର ପୋଷଣ ପାଇଁ ଏହାକୁ ସୁପର ଫୁଡ ମଧ୍ୟ କୁହାଯାଏ । ଗୋଟିଏ କପ ଡାଳିମ୍ବ ରସରେ ୭ଗ୍ରାମ ଫାଇବର, ୩ଗ୍ରାମର ପ୍ରୋଟିନ, ୩୦ ପ୍ରତିଶତ ଭିଟାମିନ ସି, ୩୬ ପ୍ରତିଶତ ଭିଟାମିନ କେ ଏବଂ ୧୨ ପ୍ରତିଶତ ପୋଟାସିୟମ ରହିଛି । ଏହା ମଧ୍ୟରେ ଥିବା ବିଭିନ୍ନ ଭିଟାମିନ ଏବଂ ମିନେରାଲ ବିଭିନ୍ନ ରୋଗରୁ ମୁକ୍ତି ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା ଏହି ଡାଳିମ୍ବର ବିଭିନ୍ନ ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।

୧- ପେଟ ଜନିତ ସମସ୍ୟାରୁ ମୁକ୍ତି –

ଡାଳିମ୍ବର ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପାଇଁ ତାହା ବହୁ ପେଟ ଜନିତ ରୋଗ ତଥା ଡାଇରିଆ, ଡିସେଣ୍ଟ୍ରି ଏବଂ କଲେରା ପରି ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । ଡାଳିମ୍ବ ଗଛର ପତ୍ରକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ହଜମ କ୍ରିୟା ଭଲ ରହିଥାଏ । ଡାଳିମ୍ବ ମଞ୍ଜିର ରସ ଖାଇବା ଦ୍ୱାରା କିମ୍ବା ଜୁସ ପିଇବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ । ଡାଇରିଆ ଜନିତ ସମସ୍ୟାରୁ ମୁକ୍ତି ପ୍ରାଦନ ପାଇଁ ଏହାର ଚୋପା ମଧ୍ୟ ଖୁବ ଉପକାରୀ । ଏହାର ଚୋପାକୁ ଛେଚି ଏହାର ରସ ସେବନ ଦ୍ୱାରା ତୁରନ୍ତ ଡାଇରିଆରୁ ମୁକ୍ତି ମିଳିବ ।

୨- ଓଜନ ହ୍ରାସରେ ସାହାଯ୍ୟ କରିଥାଏ –

ଗବେଷଣା ଅନୁଯାୟୀ, ଡାଳିମ୍ବ ରସ ମୋଟାପଣ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିରେ ଅଧିକମାତ୍ରାର ଫାଇବର ଏବଂ କମ ପରିମାଣରେ କ୍ୟାଲେରି ରହିଛି ଯାହା ଖାଇବା ପରେ ଅଧିକ ସମୟ ପର୍ଯ୍ୟନ୍ତ ପେଟ ଫୁଲ ଥିବାର ଅନୁଭୂତି ପ୍ରଦାନ କରିଥାଏ । ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ନିଜର ଡାଏଟରେ ଡାଳିମ୍ବ ନିଶ୍ଚୟ ଖାଆନ୍ତୁ ।

୩- ରକ୍ତ ଚାପ ନିୟନ୍ତ୍ରଣ –

ଡାଳିମ୍ବରେ ଥିବା ପ୍ୟୁନିସିକ ଏସିଡ କୋଲେଷ୍ଟ୍ରୋଲ କମ କରିବା ସହିତ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଡାଳିମ୍ବରେ ଥିବା ବିଭିନ୍ନ ପ୍ରକାରର ଆଣ୍ଟି-ଅକ୍ସିଡାଣ୍ଟ ଏବଂ ବାୟୋଆକ୍ଟିଭ ପଲିଫିନଲ ଶରୀରରେ କାର୍ଡିଓଭାସକୁଲାର କ୍ରିୟା ବୃଦ୍ଧି କରିଥାଏ ।

୪- ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି –

ଡାଳିମ୍ବ ଗଛରେ ଥିବା ଆଣ୍ଟି-ଇନଫ୍ଲାମେଟୋରି ପ୍ରଭାବ ଆଣ୍ଠୁଗଣ୍ଠି ଜନିତ ବାତ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । ବହୁ ଗବେଷକଙ୍କ ମତ ଅନୁଯାୟୀ ଏହା ଗଣ୍ଠିରେ ଥିବା ବ୍ଲକ ଏନଜାଇମକୁ ଦୂର କରିଥାଏ ଯାହା ଆଣ୍ଠୁଗଣ୍ଠି ଜନିତ ବାତ ସମସ୍ୟାକୁ ଦୂର କରିଥାଏ ।

୫- ଦାନ୍ତ ସମସ୍ୟାରୁ ମୁକ୍ତି –

ଏହି ଫଳର ଆଣ୍ଟି-ଫଙ୍ଗାଲ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଦାନ୍ତ ମାଢିକୁ ଶକ୍ତ କରିବା ସହିତ ମୁହଁର ସଂକ୍ରମଣକୁ କମ କରିଥାଏ ।

୬- ଏଜିଙ୍ଗ ସମସ୍ୟା ଦୂର କରିଥାଏ –

ଡାଳିମ୍ବର ଆଣ୍ଟି-ଆକ୍ସିଡାଣ୍ଟ ଗୁଣ ତ୍ୱଚାକୁ ସ୍ୱଚ୍ଛ କରିଥାଏ । ଏହା ତ୍ୱଚାର ଭାଙ୍ଗ, ବ୍ରଣ ସମସ୍ୟା, କଳା ଦାଗ ଏବଂ ସନ ଟ୍ୟାନ ସମସ୍ୟାକୁ ଦୂର କରିଥାଏ । ଆପଣ ତ୍ୱଚା ଜନିତ ସମସ୍ୟାକୁ ଦୂର କରିବା ପାଇଁ ଡାଳିମ୍ବ ମଞ୍ଜିର ଜୁସ ପିଇବା ସହିତ ଏହାକୁ ଫେସ ପ୍ୟାକ ପରି ମଧ୍ୟ ବ୍ୟବହାର କରିପାରିବେ ।

୭- ଶରୀରକୁ ହାଇଡ୍ରେଟ କରିଥାଏ –

ଡାଳିମ୍ବ ଭିଟାମିନ ସିର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ତ୍ୱଚା ଏବଂ କେଶକୁ ହାଇଡ୍ରେଟଡ ରଖିବାରେ ସାହାଯ୍ୟ କରିଥାଏ । ଗୋଟିଏ ଡାଳିମ୍ବରେ ୮୨ ପ୍ରତିଶତ ଜଳ ରହିଥାଏ ତେଣୁ ଏହା ତ୍ୱଚାର ମସୃଣତାକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

୮- କେଶ ବୃଦ୍ଧିରେ ସାହାଯ୍ୟ –

ଏହାର ପ୍ୟୁନିସିକ ଏସିଡ କେଶର ମୂଳକୁ ଶକ୍ତିଶାଳୀ କରିବା ସହିତ ରକ୍ତ ସଞ୍ଚାଳନକୁ ଠିକ କରିଥାଏ । ଆପଣ ମଧ୍ୟ ଡାଳିମ୍ବ ତେଲକୁ କେଶରେ ମସାଜ କରିପାରିବେ ଯାହା କେଶ ଝଡା, ରୁପି ସମସ୍ୟା ଦୂର କରିବା ସହିତ ପ୍ରାକୃତିକ କଣ୍ଡିସନର ଭାବେ କାର୍ଯ୍ୟ କରିଥାଏ ।


Share It

Comments are closed.