ଚଳିତ ରବିଋତୁରେ ୧୪ ଲକ୍ଷ ୪୪ ହଜାର ୧୨୧ ମେଟ୍ରିକ ଟନ ରବିଧାନ ସଂଗ୍ରହ


ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚଳିତ ରବିଋତୁରେ ମୋଟ ୧୪ ଲକ୍ଷ ୪୪ ହଜାର ୧୨୧ ମେଟ୍ରିକ ଟନ ରବିଧାନ ସଂଗ୍ରହ କରାଯାଇଛି । ରବିଧାନ ବିକ୍ରି ନିମନ୍ତେ ନାମ ପଂଜୀକୃତ କରିଥିବା ଓ ଯାଞ୍ଚ କରାଯାଇଥିବା ଚାଷୀଙ୍କ ମଧ୍ୟରୁ ୯୦.୭୫ ପ୍ରତିଶତ ଚାଷୀ ସେମାନଙ୍କ ରବିଧାନ ସରକାରଙ୍କୁ ବିକ୍ରି କରିଛନ୍ତି । କୋଭିଡ କଟକଣାକୁ ଅନୁପାଳନ କରି ରାଜ୍ୟରେ ୧୭ଟି ଜିଲ୍ଲାରେ ୧୦୨୫ଟି ଧାନ ସଂଗ୍ରହ କେନ୍ଦ୍ରରେ ବିଭାଲ ପକ୍ଷର ରବିଧାନ ସଂଗ୍ରହ କରାଯାଇଥିଲା । ରାଜ୍ୟରେ ୧୭ଟି ଜିଲ୍ଲାର ୨ ଲକ୍ଷ ୨୪ ହଜାର ୫୪୪ ଜଣ ଚାଷୀଙ୍କର ନାମ ପଂଜୀକୃତ ଓ ଯାଞ୍ଚ ହୋଇଥିବାବେଳେ ୨ ଲକ୍ଷ ୩ ହଜାର ୭୮୯ ଜଣ ଚାଷୀ ଧାନ ବିକ୍ରି କରିଥିଲେ । ୨୦୨୦ ରବି ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ପଂଜୀକୃତ ଓ ଯାଞ୍ଚ ଚାଷୀଙ୍କ ମଧ୍ୟରୁ ୮୨.୬୯ ପ୍ରତିଶତ ଚାଷୀ ରବିଧାନ ବିକ୍ରି କରିଥିଲେ । ସେହିପରି ଖରିଫରେ ୮୦.୯୫ ପ୍ରତିଶତ ପଂଜୀକୃତ ଚାଷୀ ଧାନ ବିକ୍ରି କରିଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ଚଳିତ ରବିଧାନ ସଂଗ୍ର ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆସନ୍ତା ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣ ଓ ଯାଞ୍ଚ ପ୍ରକ୍ରିୟା ନିମନ୍ତେ ସମୁଚିତ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଖରିଫ ବିପଣନ ଋତୁ ୨୦୨୦-୨୧ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୭ ମେଟ୍ରିକ ଟନ ଖରିଫ ଓ ରବିଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ ୭୭ ଲକ୍ଷ ୩୭ ହଜାର ୮୭୩ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇପାରିଛି , ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ଲକ୍ଷ ୩୭ ହଜାର ମେଟ୍ରିକ ଟନ ଅଧିକ । ସେହିପରି ଖରିଫ ବିପଣନ ଋତୁ ୨୦୧୯-୨୦ ବର୍ଷରେ ମୋଟ ୭୦ ଲକ୍ଷ ୫ ହଜାର ୫୧୪ ମେଟ୍ରିକ ଟନ ଖରିଫ ଓ ରବି ଧାନ ସଂଗ୍ରହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତ ଖରିଫ ବିପଣନ ଋତୁଠାରୁ ଚଳିତ ୨୦୨୦-୨୧ ଖରିଫ ବିପଣନ ଋତୁରେ ୬ ଲକ୍ଷ ୮୧ ହଜାର ୩୫୧ ମେଟ୍ରିକ ଟନ ଧାନ ଅଧିକ ସଂଗ୍ରହ ହୋଇଛି ।
ଚଳିତ ରବିଧାନ ସଂଗ୍ରହରେ ରାଜ୍ୟରେ ଚାଷୀମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ୨୬୯୭ କୋଟି ୬୨ ଲକ୍ଷ ଟଙ୍କା ମୂଲ୍ୟର ଧାନ ସଂଗ୍ରହ କରାଯାଇଛି । ଅଧିକ ରବିଧାନ ସଂଗ୍ରହ ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରେ ବରଗଡରୁ ୫,୧୧,୦୬୮ ମେଟ୍ରିକ ଟନ, କଳାହାଣ୍ଡିରୁ ୨,୩୦,୮୪୩ ମେଟ୍ରିକ ଟନ, ସୁବର୍ଣ୍ଣପୁର ୨,୩୪,୯୪୩ ମେଟ୍ରିକ ଟନ, କୋରାପୁଟ ୧,୨୮,୭୪୩ ମେଟ୍ରିକ ଟନ ଏବଂ ସମ୍ବଲପୁର ଜିଲ୍ଲାରୁ ୧,୨୮,୮୧୨ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି ।
ସେହିପରି ପଂଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କ ମଧ୍ୟରୁ ବରଗଡ ଜିଲ୍ଲାରେ ୯୫.୪୩ ପ୍ରତିଶତ ଚାଷୀ ସେମାନଙ୍କ ରବିଧାନ ବିକ୍ରି କରିଥିବାବେଳେ , ଝାରସୁଗୁଡାରେ ୯୪.୦୩ ପ୍ରତିଶତ , ସୁବର୍ଣ୍ଣପୁରରେ ୯୪.୭୩ ପ୍ରତିଶତ , ନୂଆପଡାରେ ୯୬.୯୪ ପ୍ରତିଶତ , ସମ୍ବଲପୁରରେ ୯୩.୯୦ ପ୍ରତିଶତ, କୋରାପୁଟରେ ୯୨.୨୨ ପ୍ରତିଶତ ଓ ଖୋର୍ଦ୍ଧାରେ ୯୩.୫୭ ପ୍ରତିଶତ ଚାଷୀ ସେମାନଙ୍କ ଧାନ ବିକ୍ରି କରିଥିଲେ ।
ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ, ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକ , ଓଡିଶା ଖାଦ୍ୟଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ କେଶରୀ ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


Share It

Comments are closed.