ଦାଦାଙ୍କ ପରେ ଜୀବନ ହାରିଲେ ଭାଇ, ଘଟଣାର ତଦନ୍ତ ପାଇଁ ପୋଲିସକୁ ନିବେଦନ କଲେ ରାଇନା


ସୁରେଶ ରାଇନା ଆଇପିଏଲ ଏବଂ ଚେନ୍ନାଇ ସୁପର କିଙ୍ଗସକୁ ଛାଡି ଭାରତ ପ୍ରତ୍ୟାବର୍ତ୍ତନ କରି ସାରଛନ୍ତି । ରାଇନାଙ୍କର ଭାରତ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରକୃତ କାରଣ କ’ଣ ତାହାକୁ ନେଇ ସବୁ ଆଡେ ଚର୍ଚ୍ଚା ଲାଗି ରହିଥିଲା । ରାଇନା ଦଳ ଛାଡି ଭାରତ ପ୍ରତ୍ୟାବର୍ତ୍ତନ କରିବାର ନିଷ୍ପତି ତାଙ୍କର ବ୍ୟକ୍ତିଗତ କାରଣ ବୋଲି ଚେନ୍ନାଇ ପୂର୍ବରୁ କହି ସାରିଥିବାବେଳେ କିନ୍ତୁ ଦଳର ମାଲିକ ଏନ ଶ୍ରୀନିବାସନ କିଛି ଅଲଗା ମତ ରଖିଥିଲେ ।

ଏହି ମଧ୍ୟରେ ରାଇନା ମଙ୍ଗଳବାର ଦିନ ଟ୍ୱିଟ କରି ପଞ୍ଜାବ ପୋଲିସକୁ ଆପିଲ କରିଛନ୍ତି । ରାଇନା ଟ୍ୱିଟ କରି କହିଛନ୍ତି ଯେ, “ପଞ୍ଜାବରେ ମୋ ପରିବାର ସହ ଯାହା ହୋଇଛି ତାହା ଅତ୍ୟନ୍ତ ଭୟଙ୍କର । ମୋ ଦାଦାଙ୍କର ସେହି ସମୟରେ ମୃତ୍ୟୁ ହୋଇଗଲା । ମୋ ବୁଆ ଏବଂ କସନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଦୁଃର୍ଭାଗ୍ୟବଶତଃ ସେମାନେ ଜୀବନ ମରଣ ସହ ସଂଗ୍ରାମ କରୁଥିବାବେଳେ ଗତ କାଲି ରାତିରେ ମୋ କସନ ମଧ୍ୟ ଆଖି ବୁଜିଛନ୍ତି । ମୋ ବୁଆ ବର୍ତ୍ତମାନ ପର୍ଯ୍ୟନ୍ତ ଗମ୍ଭୀରସ୍ଥିତିରେ ଭେଣ୍ଟିଲେଟରରେ ଭର୍ତ୍ତି ଅଛନ୍ତି ।”
ରାଇନା କହିଛନ୍ତି ଯେ, “ବର୍ତ୍ତମାନ ପର୍ଯ୍ୟନ୍ତ ଆମକୁ ଜଣା ପଡି ନାହିଁ ସେଦିନ ରାତିରେ କ’ଣ ଘଟିଥିଲା । ମୁଁ ପଞ୍ଜାବ ପୋଲିସକୁ ନିବେଦନ କରୁଛି ସେ ଏହି ମାମଲାକୁ ଦେଖନ୍ତୁ । ଆମେ ଅତି କମରେ ଏହା ଜାଣିବା ପାଇଁ ଚାହୁଁଛୁ ଯେ, ତାଙ୍କ ସହ ଏହି ଘଟଣା କିଏ ଘଟାଇଲା । ସେହି ଅପରାଧିଙ୍କୁ ଆଉ ଅଧିକ ଅପରାଧ କରିବା ପାଇଁ ଛଡା ନଯାଉ । ”


Share It

Comments are closed.