ନୂଆ ଜୀବନ ଦେଲା ପ୍ଲାଷ୍ଟିକ ସର୍ଜରୀ


ଭୁବନେଶ୍ୱର : ସଡକ ଦୁର୍ଘଟଣା ଦୁର୍ଭାଗ୍ୟଜନକ ଘଟଣା ହୋଇଥାଏ । ସଠିକ ସମୟରେ ଚିକିତ୍ସା ନମିଳିବା ପରିସ୍ଥିତିକୁ ଅଧିକ ସଂଗୀନ କରିଦେଇଥାଏ । ତେବେ ବିଆର ଲାଇଫ୍ କଳିଙ୍ଗ ସୁପର ସ୍ପେଶିଆଲିଟି ହସପିଟାଲ ଡାକ୍ତର ଏଭଳି ଜଣେ ଦୁର୍ଘଟଣାର ଶୀକାର ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିଛନ୍ତି ଯାହାଙ୍କୁ ଠିକ୍ ସମୟରେ ହସପିଟାଲକୁ ଅଣାଯାଇଥିଲା । ଗୁରୁତର ଓ ଅଚେତ ଥିବା ଦୁର୍ଘଟଣା ଶୀକାରଙ୍କୁ ସେହି ସମୟ ମଧ୍ୟରେ ହସପିଟାଲକୁ ଆଣାଯାଇଥିଲା ଯାହାକୁ ଡାକ୍ତରୀ ଭାଷାରେ ଗୋଲ୍ଡେନ ଆୱାର କୁହାଯାଇଥାଏ ।
ବଣ୍ଡମୁଣ୍ଡାର ୩୦ ବର୍ଷୀୟ ବ୍ରହ୍ମାନନ୍ଦ ଗିରୀ ନିକଟରେ ନିଜ ବାଇକରେ ଯାଉଥିବାବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ । ମୁହଁ, ଛାତି ଓ ମୁତ୍ରାଶୟରେ ଆଘାତ ପାଇଥିବା ବ୍ରହ୍ମାନନ୍ଦଙ୍କ ମୁଣ୍ଡ ହେଲମେଟ୍ ପିନ୍ଧିଥିବାରୁ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା । ତାଙ୍କ ମୁହଁ ଦଳି ହୋଇଯାଇଥିବା ବେଳେ ନାକ, ଓଠ ଏବଂ ଉପର ଓ ତଳ ଥୋଡି ନଷ୍ଟ ହୋଇଥିଲା । ହସପିଟାଲ ଅଣାଯିବା ସମୟରେ ତାଙ୍କ ମୁହଁ ଓ ଖପୁରୀର ତଳ ଭାଗରୁ ଗଭୀର ରକ୍ତସ୍ରାବ ହେଉଥିଲା । ଯାହା ଫଳରେ ତାଙ୍କ ରକ୍ତଚାପ କମିଯିବା ସହ ତାକୁ ରେକର୍ଡ କରିବା ସମ୍ଭବପର ନଥିଲା । ବିଆର ଲାଇଫ୍ କଳିଙ୍ଗର ଜରୁରୀ କାଳିନ ଡାକ୍ତରଙ୍କ ସହ ଆନାସ୍ଥେସିଓଲୋଜିଷ୍ଟ ଡ଼ାକ୍ତର, ପଙ୍କଜ ରାଉତ ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ଅଧିକ ରକ୍ତସ୍ରାବ କାରଣରୁ ବ୍ରହ୍ମାନନ୍ଦଙ୍କୁ ୬ ଘଣ୍ଟା ପର୍ଯ୍ୟନ୍ତ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରଖାଯାଇଥିଲା । ଅବସ୍ଥା ସ୍ଥିର ହେବାପରେ ତାଙ୍କୁ ବିଆର ଲାଇଫ୍ କଳିଙ୍ଗ ହସପିଟାଲର ପ୍ଲାଷ୍ଟିକ୍ ଓ କସମେଟିକ୍ ସର୍ଜରୀ ବିଭାଗ ବରିଷ୍ଠ ପରାମର୍ଶଦାତା ଡ଼ାକ୍ତର ଅକ୍ଷୟ ରାଉତଙ୍କ ପାଖକୁ ମୁହଁରେ ସୁଧାରତ୍ମକ ସର୍ଜରୀ ପାଇଁ ପଠାଯାଇଥିଲା ।


ବ୍ରହ୍ମାନନ୍ଦଙ୍କ ଅପରେସନ କରିଥିବା ଡ଼ାକ୍ତର ଅକ୍ଷୟ ରାଉତଙ୍କ ଅନୁସାରେ “ଆମ ପାଖକୁ ଗିରୀଙ୍କୁ ଅଣାଯିବା ବେଳେ ତାଙ୍କ ଅବସ୍ଥା ସଂଗୀନ ଥିଲା । ତାଙ୍କ ମୁହଁ ଓ ନାକର ହାଡ ନଷ୍ଟ ହୋଇଯାଇଥିଲା । ନାକକୁ ଧୋଇ ସଫା କରିବା ପ୍ରକ୍ରିୟାରେ ହାଡ଼ ସବୁ ମଧ୍ୟ ସଫା ହୋଇଯାଇଥିଲା । ଯେହେତୁ ସେ ଶରୀରରୁ ରକ୍ତ ହରାଇ ସାରିଥିଲେ ତେଣୁ ଆମ ତାଙ୍କୁ ରକ୍ତ ଚଢାଇବାକୁ ନିଷ୍ପତି ନେଇଥିଲୁ । ରକ୍ତଦାନ ପରେ ତାଙ୍କ ଅବସ୍ଥା ସ୍ଥିର ହୋଇଥିଲା । ତା’ପରେ ଆମେ ଅନ୍ତିମ ସର୍ଜରୀ ଆରମ୍ଭ କରିଥିଲୁ । ଏହି ସର୍ଜରୀ ଦ୍ୱାରା ଆମେ ଲୋକାଲ ଫ୍ଲାପ୍ ଟିସୁ ବ୍ୟବହାରକରି ତାଙ୍କ ନାକ ପୁନଃଗଠନ କରିଥିଲୁ । ଏହାସହ ଓଠ ଏବଂ ଉଭୟ ଥୋଡିକୁ ସୁଧାରିଥିଲୁ ।”
ବ୍ରହ୍ମାନନ୍ଦ ଗିରୀ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ଦୁର୍ଘଟଣା ଯୋଗୁ ତାଙ୍କୁ ଜୀବନ ଚାଲିଯାଇଥାନ୍ତା କିମ୍ବା ସେ ବାକି ଜୀବନ ଅଚଳ ହୋଇଯିବା ସହ ତାଙ୍କ ଶରୀରରେ ଅନେକ ଦୋଷ ଦେଖିବାକୁ ମିଳିଥାନ୍ତା । ଦୁର୍ଘଟଣାକୁ ନେଇ ସେ କୁହନ୍ତି ଯେ, “ଗାଡି ସହ ଧକ୍କା ହେବା ପରେ କଣ ଘଟିଲା ମୋର କିଛି ମଧ୍ୟ ମନେ ନାହିଁ । ଏହା ମୋ ଜୀବନର ଅନ୍ତ ବୋଲି ମୁଁ ଭାବିଥିଲି କିନ୍ତୁ ଚମକ୍ରାର ଘଟେ । ସଠିକ ଚିକିତ୍ସା ଲାଗି ମୁଁ ବିଆର ଲାଇଫ୍ କଳିଙ୍ଗ ହସପିଟାଲର ଡାକ୍ତରମାନଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି । ଏହାସହ ମୁଁ ସେହିମାନଙ୍କ ପ୍ରତି ମଧ୍ୟ କୃତଜ୍ଞ ଯେଉଁମାନ ମୋତେ ଠିକ୍ ସମୟରେ ହସପିଟାଲକୁ ଆଣିଥିଲେ । ସର୍ଜରୀ ପରେ ମୁଁ ଏବେ ଭଲ ଅଛି ଓ ମୋ ଅବସ୍ଥା ଏବେ ସ୍ଥିର ରହିଛି ।”


Share It

Comments are closed.