ପରଲୋକରେ ଫୁଟବଲ ଭଗବାନ ‘ମାରାଡୋନା’


ଫୁଟବଲ କିମ୍ବଦନ୍ତୀ ତଥା ଆର୍ଜେଣ୍ଟିନା ବିଶ୍ୱ ଚାମ୍ପିଅନ ଅଧିନାୟକ ଡିଏଗୋ ମାରାଡୋନା। ବିଶ୍ୱ ଫୁଟବଲ୍‌ରେ ସେ ଭଗବାନ। ଫୁଟବଲ୍‌ ପଡ଼ିଆରେ ଥିଲେ ଯାଦୁକର। ଯାହାଙ୍କ ଖେଳ ଦେଖିବା ପାଇଁ ସାରା ବିଶ୍ୱର ପ୍ରଶଂସକ ପାଗଳ ପ୍ରାୟ ହେଉଥିଲେ। ଏହି ଫୁଟବଲ ମହାନାୟକ ଆଉ ନାହାନ୍ତି। ୬୦ ବର୍ଷ ବୟସରେ ହୃଦ୍‌ଘାତରେ ତାଙ୍କର ଅକାଳ ବିୟୋଗ ଘଟିଛି । ମାରାଡୋନାଙ୍କ ପରଲୋକରେ ସାରା ବିଶ୍ୱ କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଯାଇଛି। ତାଙ୍କ ଖେଳରେ ଭରି ରହିଥିଲା ଚମକ । ଯାହା ତାଙ୍କ ପ୍ରଶଂସକଙ୍କୁ ତାଙ୍କ ଖେଳପ୍ରତି ମତୁଆଲା କରିଦେଇଥିଲା। ଗତ ମାସରେ ମାରାଡୋନାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିଲା। ଆର୍ଜେଣ୍ଟିନାର ବୁଏନସ ଏୟାରସ ଡାକ୍ତରଖାନାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ସୁସ୍ଥ ହେବା ପରେ ସେ ଚଳିତ ମାସ ୧୧ ତାରିଖରେ ଡାକ୍ତରଖାନାରୁ ଘରକୁ ଫେରିଥିଲେ । କିନ୍ତୁ ଡାକ୍ତରୀ ଦଳ ତାଙ୍କ ଉପରେ ସତର୍କ ନଜର ରଖିଥିଲେ । ଏହାପୂର୍ବରୁ ସେ ଜଣେ କରୋନା ସଂକ୍ରମିତ ଫୁଟବଲ୍‌ ଖେଳାଳିଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ତାଙ୍କର କୋଭିଡ୍‌-୧୯ ପରୀକ୍ଷା କରାଯାଇଥିଲା । ରିପୋର୍ଟ ନେଗେଟିଭ ଆସିଥିଲା ।

ବିଶ୍ୱ ଫୁଟବଲରେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ମାରାଡୋନା ୧୯୮୬ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଦଳର ନେତୃତ୍ୱ ନେଇଥିଲେ । ଦୃଢ଼ ନେତୃତ୍ୱ ସାଙ୍ଗକୁ ବ୍ୟକ୍ତିଗତ ଭାବରେ ଶ୍ରେଷ୍ଠ ପ୍ରଦର୍ଶନ କରି ସେ ଦଳକୁ ବିଶ୍ୱ ଚାମ୍ପିଅନ କରାଇଥିଲେ। ତାଙ୍କ ଖେଳରେ ଯେତିକି ଯାଦୁକରୀ ଥିଲା, ସେତିକି ଅବିଶ୍ୱସନୀୟ ରହିଥିଲା। କେତେବେଳେ ଏକାଧିକ ବିପକ୍ଷ ଡିଫେଣ୍ଡରଙ୍କ ମଧ୍ୟରେ ସାପ ଭଳି ପ୍ରବେଶ କରି ବିପକ୍ଷ ଦଳକୁ ଚଖ୍‌ମା ଦେଉଥିଲେ। ପୁଣି କେତେବେଳେ ଆକର୍ଷଣୀୟ ଗୋଲ ସ୍କୋର କରି ଦଳକୁ ଜିତାଉଥିଲେ। ସବୁବେଳେ ନିଜର ଖେଳ ପାଇଁ ସେ ଚର୍ଚ୍ଚାରେ ରହି ଆସୁଥିଲେ।

୧୯୮୬ ବିଶ୍ୱକପ୍‌ର ଦୁଇଟି ଘଟଣା ବିଶ୍ୱ ଫୁଟବଲ୍‌ ଇତିହାସରେ ସବୁ ଦିନ ସ୍ମରଣୀୟ ହୋଇ ରହିଛି। ମାରାଡୋନା ଏଥିପାଇଁ ବେଶ୍‌ ଚର୍ଚ୍ଚିତ ହୋଇଯାଇଥିଲେ। ପ୍ରଥମଟି ଥିଲା ‘ହ୍ୟାଣ୍ଡ୍‌ ଅଫ୍‌ ଗଡ୍‌’ ଗୋଲ୍‌ ଏବଂ ଦ୍ୱିତୀୟଟି ଥିଲା ‘ଦ ଗୋଲ୍‌ ଅଫ୍‌ ଦ ସେଞ୍ଚୁରୀ’। ଇଂଲଣ୍ଡ ବିପକ୍ଷରେ ‘ହ୍ୟାଣ୍ଡ୍‌ ଅଫ୍‌ ଗଡ୍‌’ ଗୋଲ୍‌ ଦେବାର ୪ ମିନିଟ୍‌ ପରେ ମାରାଡୋନା ଦ୍ୱିତୀୟ ଗୋଲ୍‌ ଦେଇ ଆର୍ଜେଣ୍ଟିନାକୁ ୨-୦ ଗୋଲ୍‌ରେ ଅଗ୍ରଣୀ କରାଇଥିଲେ ।

ଏହି ଗୋଲ୍‌ଟି ଥିଲା ଶତାବ୍ଦୀର ଶ୍ରେଷ୍ଠ ଗୋଲ୍‌ । ଯାହାକୁ ‘ଦ ଗୋଲ୍‌ ଅଫ୍‌ ଦ ସେଞ୍ଚୁରୀ’ ବୋଲି କୁହାଯାଏ। ମିଡ୍‌ଫିଲ୍ଡର ହେକ୍ଟର ହିନରିକ୍‌ଙ୍କ ଠାରୁ ପାସ୍‌ ପାଇ ପଡ଼ିଆର ମଧ୍ୟ ଭାଗରୁ ବଲ ନେଇ ଦୌଡ଼ି ଥାନ୍ତି ମାରାଡୋନା। ତାଙ୍କୁ ବାଧାଦେବା ପାଇଁ ଇଂଲଣ୍ଡ ଖେଳାଳି ପଥ ଓଗାଳୁ ଥାନ୍ତି। ମାତ୍ର ଜଣେ ପରେ ଜଣେ ଏମିତି ୫ ଜଣଙ୍କୁ ଭେଦ କରି ଶେଷରେ ଗୋଲ୍‌ପୋଷ୍ଟରେ ବଲ୍‌ ପୂରାଇବାରେ ସଫଳ ହୋଇଥିଲେ ମାରାଡୋନା। ତାଙ୍କୁ ଇଂଲଣ୍ଡର ପିଟର ବିଆର୍ଡସେଲି, ପିଟର ରେଡ୍‌, ଟେରୀ ବାଉଚର (ଦୁଇ ଥର) ଓ ଶେଷରେ ଗୋଲ୍‌କିପର ପିଟର ସିଲଟନ ଅଟକାଇବାକୁ ପ୍ରୟାସ କରିଥିଲେ। ମାତ୍ର ସମସ୍ତଙ୍କୁ ଚଖମା ଦେଇ ଶେଷରେ ମାରାଡୋନା ଗୋଲ୍‌ ସ୍କୋର କରିବାରେ ସଫଳ ହୋଇଥିଲେ।

ମାରାଡୋନାଙ୍କ ଜନ୍ମ ୧୯୬୦ ମସିହାରେ ଏକ ଦରିଦ୍ର ପରିବାରରେ ହୋଇଥିଲା। ବାପା, ମାଆଙ୍କର ସେ ଥିଲେ ପଞ୍ଚମ ସନ୍ତାନ। ୪ ଜଣ ଝିଅ ଜନ୍ମ ହେବା ପରେ ସେ ଥିଲେ ପ୍ରଥମ ପୁଅ । ପରେ ଆଉ ଦୁଇ ଜଣ ଭାଇ ଜନ୍ମ ହୋଇଥିଲେ। ପିଲା ଦିନରୁ ସେ ଫୁଟବଲ୍‌ ଖେଳିବା ଆରମ୍ଭ କରିଥିଲେ। ମାତ୍ର ୮ ବର୍ଷ ବୟସରେ ପ୍ରତିଭା ଚୟନ ମାଧ୍ୟମରେ ଏଷ୍ଟ୍ରେଲା ରୋଜା କ୍ଲବରେ ସାମିଲ ହୋଇଥିଲେ। ୧୨ ବର୍ଷ ବୟସରେ ଆର୍ଜେଣ୍ଟିନୋସ ଜୁନିୟର୍ସ କ୍ଲବରେ ସୁଯୋଗ ପାଇଥିଲେ। ଏହାପରେ ୧୯୭୬ ମସିହାରୁ ପେସାଦାର ଫୁଟବଲରେ ପଦାର୍ପଣ କରିଥିଲେ।

କ୍ୟାରିୟରରେ ମାରାଡୋନା ୯୧ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୩୪ଟି ଗୋଲ୍‌ ସ୍କୋର କରିଥିଲେ। ସେହିପରି କ୍ଲବ୍‌ ଫୁଟବଲ୍‌ରେ ୪୯୧ଟି ମ୍ୟାଚ୍‌ ଖେଳି ୨୫୯ଟି ଗୋଲ୍‌ ଦେବାରେ ସଫଳ ରହିଥିଲେ । ବାର୍ସେଲୋନା ଓ ନେପୋଲି କ୍ଲବରୁ ସେ ଖେଳିଥିଲେ । କ୍ୟାରିୟରରେ ଦୁଇ ଥର ସିରିଜ୍‌ ଏ’ ଟାଇଟଲ ଜିତିଥିଲେ।


Share It

Comments are closed.