କ୍ଷମତାରେ ହେଉ କିମ୍ବା ବିରୋଧୀ ଭୂମିକାରେ ବିଜେପି ସର୍ବଦା ଜନଜାତିଙ୍କ ବିକାଶ ପାଇଁ ସମର୍ପିତ – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର – ବିଜେପି କ୍ଷମତାରେ ରହୁ କିମ୍ବା ବିରୋଧୀ ଦଳ ଭୂମିକାରେ ସର୍ବଦା ଗରିବ, ବଂଚିତ ଏବଂ ଜନଜାତିଙ୍କ ବିକାଶ ପାଇଁ ସମର୍ପିତ ରହିବ ବୋଲି ସୋମବାର ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଛତିଶଗଡ କାର୍ଯ୍ୟକାରିଣୀ ବୈଠକରେ ଯୋଡିହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ଆହ୍ୱାନକୁ ସଠିକ୍ ଭାବରେ କ୍ରିୟାନ୍ୱୟନ କରିବା ପାଇଁ ଦାୟିତ୍ୱ ନେବାକୁ କାର୍ଯ୍ୟକର୍ତା ମାନଙ୍କୁ ସେ ଆହ୍ୱାନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ନୂଆ କୃଷି ନୀତି କାରଣରୁ ଛତିଶଗଡ ସମେତ ଭାରତବର୍ଷର ସବୁ ଚାଷୀମାନେ ଲାଭବାନ ହେବେ । ଏହି ନୂଆ ନୀତି ଆସିବା ଦ୍ୱାରା ଚାଷୀମାନେ ଯେକୌଣସି ସ୍ଥାନରେ ନିଜର କୃଷିଜାତ ସାମଗ୍ରୀକୁ ବିକ୍ରି କରି ନିଜ ହିସାବରେ ସଠିକ୍ ମୂଲ୍ୟପାଇପାରିବେ । ଏହି ନୂଆ କୃଷି ନୀତି କଂଟ୍ରାକ୍ଟ ଫାର୍ମିଂକୁ ସୁବିଧା ପ୍ରଦାନ କରିବ । ସେହିପରି ଆତ୍ମନିର୍ଭର ଭାରତ ପ୍ୟାକେଜରେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି କୃଷି ଭିତ୍ତିଭୂମିକୁ ମଜବୁତ୍ କରିବ ଏବଂ ଛତିଶଗଡର ଚାଷୀମାନେ ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ କରିବା କରିବା ସହ ଅନେକ ସୁବିଧା ପାଇପାରିବେ ।
ପ୍ରଧାନମନ୍ତ୍ରୀଙ୍କ କୃଷି ନୀତିରେ ସଂସ୍କାର କାରଣରୁ ଛତିଶଗଡରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହେଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆତ୍ମନିର୍ଭର ଭାରତ ଏବଂ ଲୋକାଲ ଫର୍ ଭୋକାଲ ଭଳି ଉଦ୍ୟମ ଛତିଶଗଡ ଭଳି ରାଜ୍ୟ ସବୁଠୁ ଅଧିକ ଲାଭ ନେଇପାରିବ ବୋଲି ସେ କହିଛନ୍ତି ।
ଅପରପକ୍ଷରେ କରୋନା ମହାମାରୀର ଘଡିସନ୍ଧି ମୁହୂର୍ତରେ ଗରିବ ଓ ଅସହାୟଙ୍କୁ ଖାଦ୍ୟାନ୍ନ ଦେବା ପାଇଁ ପ୍ରଧାନମନ୍ତ୍ରୀ ‘ଗରିବ କଲ୍ୟାଣ ଯୋଜନା’ ଆରମ୍ଭ କରି ଭାରତ ଓ କରୋନା ମୁକାବିଲାକୁ ମଜବୁତ୍ କରିଛନ୍ତି । ନିକଟରେ ପ୍ରତିଷେଧକ ଟୀକା ନଆସିବା ପର୍ଯ୍ୟନ୍ତ କରୋନା ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ଜନଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ଦେଶର ସାଧାରଣ ଜନତାଙ୍କୁ ଠିକ୍ ଭାବରେ ମାସ୍କ ପିନ୍ଧିବା, ସର୍ବସାଧାରଣରେ ଦୁଇ ମିଟର ଦୂରତା ଅବଲମ୍ବନ କରିବା ଏବଂ ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୋଇବା ପାଇଁ ଆହ୍ୱାନ କରିଛନ୍ତି । ତେବେ ଏହି ଜନଆନ୍ଦୋଳନରେ ସବୁ ବର୍ଗର ଲୋକଙ୍କୁ ସାମିଲ କରିବା ପାଇଁ କାମ କରିବାକୁ କାର୍ଯ୍ୟକର୍ତା ମାନଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।


Share It

Comments are closed.