ମା ଦୁର୍ଗାଙ୍କ ଟୁଇଟକୁ ନେଇ ବିବାଦରେ ଡେମୋକ୍ରାଟ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌


ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ସେଠାରେ ଥିବା ହିନ୍ଦୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଭୟ ରିପବ୍ଲିକାନ ଓ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ଜୋର୍‌ଦାର ଉଦ୍ୟମ ଚାଲିଛି। ଏହି ପରିପ୍ରେକ୍ଷୀରେ ଡେମୋକ୍ରାଟ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ ଦୁର୍ଗା ଦେବୀଙ୍କ ଏକ ଟୁଇଟ୍‌କୁ ନେଇ ବିବାଦରେ ଫସିଛନ୍ତି। ଏହା ହିନ୍ଦୁମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଦର୍ଶାଇ ହିନ୍ଦୁ ଆମେରିକାନ୍‌ ଫାଉଣ୍ଡେଶନ କମଲାଙ୍କୁ କ୍ଷମା ମାଗିବାକୁ କହିଛି।

Image :IBTimes India

ଭାରତୀୟ ବଂଶୋଦ୍ଭବ ତଥା କାଲିଫର୍ନିଆ ସିନେଟର କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌(୩୫) ପେସାରେ ଜଣେ ଆଇନଜୀବୀ, ଲେଖିକା ଓ ଫେନୋମେନାନ୍‌ ଓ୍ବିମେନ ଆକ୍ସନ କ୍ୟାମ୍ପେନର ପ୍ରତିଷ୍ଠାତ୍ରୀ। କମଲା ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପରଠାରୁ ମୀନା ତାଙ୍କ ପାଇଁ ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି। କିଛିଦିନ ତଳେ ମୀନା ଏକ ଫଟୋ ଟୁଇଟ୍‌ କରିଥିଲେ। ଏଥିରେ କମଲାଙ୍କୁ ଦୁର୍ଗା ଦେବୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ମହିଷାସୁର ଭାବେ ଦର୍ଶାଯାଇଥିଲା।
Image :Free Press Journal

ଫଟୋରେ କମଲା ଏକ ସିଂହ ଉପରେ ବସିଥିବାବେଳେ ରିପବ୍ଲିକାନ୍‌ ଟ୍ରମ୍ପ୍‌ଙ୍କୁ ତ୍ରିଶୂଳରେ ବଧ କରୁଛନ୍ତି। ବାହନ ସିଂହ ମୁହଁରେ ଡେମୋକ୍ରାଟ ପ୍ରେସିଡେନ୍ସିଆଲ ନୋମିନି ଜୋ ବିଡେନଙ୍କ ଫଟୋ ରହିଛି। ଉକ୍ତ ଫଟୋକୁ କମଲା ରିଟୁଇଟ୍‌ କରିଥିଲେ। ପରେ ବିବାଦ ହେବାରୁ ଉଭୟେ ତାକୁ ଡିଲିଟ୍‌ କରିଦେଇଥିଲେ। କିନ୍ତୁ ସେତେବେଳକୁ ତାହା ଭାଇରଲ ହୋଇଯାଇଥିଲା। ଅନେକଙ୍କ ମୋବାଇଲରେ ଏବେ ମଧ୍ୟ ତା’ର ସ୍କ୍ରିନ୍‌ ଶଟ ରହିଛି। ଏହାକୁ ନେଇ ଉଭୟ କମଲା ଓ ବିଡେନ ଦୁଃଖ ପ୍ରକାଶ କରିଛନ୍ତି। କିନ୍ତୁ ହିନ୍ଦୁ ସଙ୍ଗଠନଗୁଡ଼ିକ ସେମାନେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି।

ଏହାର ଜବାବରେ ବିଡେନ୍‌-କମଲା ଯୋଡ଼ି ଏକ ନୂଆ ବିଜ୍ଞାପନ ଦେଇ ଭାରତୀୟ-ଆମେରିକୀୟଙ୍କ ବିରୋଧରେ ଘୃଣା ଓ ଭେଦଭାବର ଅନ୍ତ ଘଟାଇବାକୁ ଅନୁରୋଧ କରିଛନ୍ତି। ଉକ୍ତ ବିଜ୍ଞାପନରେ ଜଣେ ହିନ୍ଦୁ, ମୁସ୍‌ଲିମ ଓ ଶିଖ୍‌ଙ୍କ ମିଳିତ ଫଟୋ ରହିଛି। କ୍ୟାପ୍ସନ ଲେଖାଯାଇଛି, ବିଡେନ୍‌-ହାରିସ୍‌ ପ୍ରଶାସନ ସବୁ ଧର୍ମର ଭାରତୀୟ-ଆମେରିକୀୟଙ୍କ ବିରୋଧରେ ଘୃଣା ଓ ବୈଷମ୍ୟକୁ ଶେଷ କରିଦେବ।

ଆମେରିକାରେ ମୋଟ ୧.୮ ନିୟୁତ ଭାରତୀୟ ବଂଶୋଦ୍ଭବ ଯୋଗ୍ୟ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬୫% ମତଦାତା ଡେମୋକ୍ରାଟ୍ସଙ୍କ ଆଡ଼କୁ ଢଳୁଥିବା ଇଣ୍ଡିଆନ୍‌-ଆମେରିକାନ୍‌ ଆଟିଟ୍ୟୁଡ୍‌ ସର୍ଭେ (ଆଇଏଏଏସ୍‌) ଏବଂ ୨୦୨୦ ଏସିଆନ୍‌ ଆମେରିକାନ୍‌ ଭୋଟର ପକ୍ଷରୁ କରାଯାଇଥିବା ସଦ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି।


Share It

Comments are closed.