ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ମାସକୁ 300 ଟଙ୍କା ବଦଳରେ 2000 ଟଙ୍କା କରିବା ନିମନ୍ତେ ଦାବୀ

‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ’, ଓଡିଶା (ଗାସ) ଏଠାରେ ବ୍ୟକ୍ତ କରିବାକୁ ଚାହେଁ ଯେ ଗଲା ଦଶ ବର୍ଷ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ମାସକୁ 300 ଟଙ୍କାରୁ ବୃଦ୍ଧି ନ ଘଟିବା ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା କ୍ଷେତ୍ରରେ ଚରମ ଅବହେଳା । ଏହାକୁ ତୁରନ୍ତ ମାସକୁ 2000 ଟଙ୍କା କରିବା ପାଇଁ ‘ଗାସ’ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରୁଛି ।

         ସାମାଜିକ ସୁରକ୍ଷା ଯୋଜନାରେ ଏବେ ରାଜ୍ୟର ପ୍ରାୟେ 47 ଲକ୍ଷ ହିତାଧିକାରୀ ବିଭିନ୍ନ ଭତ୍ତା ପାଇ ଆସୁଛନ୍ତି । ଇତି ମଧ୍ୟରେ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗନାରେ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ମାସିକ 1000 ଟଙ୍କା ଓ ଭିନ୍ନକ୍ଷମ ଭତ୍ତା 1500 ଟଙ୍କା, ପଶ୍ଚିମ ବଙ୍ଗରେ ସମସ୍ତ ଭତ୍ତା ମାସିକ 750 ଟଙ୍କା, ହରିୟାନାରେ ମାସିକ 1200 ଟଙ୍କା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ 1000 ଟଙ୍କା, ଦିଲ୍ଲୀ ଓ ଗୋଆରେ ଏହା ମାସକୁ 2000 ଟଙ୍କା ଇତ୍ୟାଦି ଥିଲା ବେଳେ ଓଡିଶାରେ ଏହା 300 ଟଙ୍କା ମଧ୍ୟରେ ସୀମିତ ରହିଛି ।

          ସମ୍ବିଧାନର ଧାରା 47ରେ ପ୍ରାବଧାନ ରହିଲା ଯେ ପ୍ରତ୍ୟେକ ନାଗରିକ ଯେ ଭଳି ପୁଷ୍ଟିକର ଖାଦ୍ୟ ପାଇପାରିବେ।  ଜୀବନର ମାନରେ ବୃଦ୍ଧି ଘଟିବା ସହିତ ସ୍ୱାସ୍ଥ୍ୟର ବିକାଶ ଯେପରି ଘଟିବ ସେଥିଲାଗି ସରକାର ପ୍ରାଥମିକତା ଦେବେ। ମାତ୍ର ରାଜ୍ୟ ସରକାର ସମ୍ବିଧାନ ଦେଇଥିବା ଦାୟିତ୍ଵ ଠିକରେ ପାଳନ କରୁ ନାହିଁ ।

          ସାମାଜିକ ସୁରକ୍ଷା ଯୋଜନା 2008 ମସିହାରେ ପ୍ରଣିତ ହେଲା । ଗଲା 2008 ରୁ 2018 ମସିହା, ଏହି ଦଶ ବର୍ଷ ମଧ୍ୟରେ ବିଧାନସଭା ସଦସ୍ୟଙ୍କ ମାସିକ ଦରମା ପାଞ୍ଚଗୁଣା ବୃଦ୍ଧି ଘଟି ସାରିଲାଣି । 2008 ମସିହାରେ ଜଣେ ସାଧାରଣ ବିଧାନସଭା ସଦସ୍ୟ ମାସିକ ଦରମା ଓ ଭତ୍ତାକୁ ମିଶାଇ 21960 ଟଙ୍କା ପାଉଥିଲା ବେଳେ 2018 ମସିହାରେ ଏହା ଏକ ଲକ୍ଷରୁ ଉର୍ଦ୍ଧ ହୋଇଛି । ଷଷ୍ଠ ବେତନ କମିଶନରେ ସଚୀବଙ୍କ ଦରମା ପ୍ରାୟତଃ ଦୁଇ ଗୁଣା ବୃଦ୍ଧି ଘଟି ଥିଲା ଓ ଷଷ୍ଠରୁ ସପ୍ତମ ମଧ୍ୟରେ ଏହା 63% ପ୍ରତିଶତ ବୃଦ୍ଧି ଘଟିଲା । ଅର୍ଥାତ ଗଲା ଦଶ ବର୍ଷ ମଧ୍ୟରେ ଯୁବ ଆଇଏଏସ ଅଫିସରଙ୍କ ଦରମା ଅନ୍ୟୁନ ଚାରିଗୁଣା ବୃଦ୍ଧି ଘଟି ସାରିଲାଣି ଓ ସେ ସଚିବ ପାହ୍ୟା କୁ ଗଲେ ଦୁଇ ଲକ୍ଷରୁ ଅଧିକ ଟଙ୍କା ପାଇଲେଣି ।

          ଅର୍ଥନୈତିକ ସର୍ଭେର ତଥ୍ୟ ଅନୁସାରେ 2008 ମସିହା ଠାରୁ ଦରଦାମ ବା ମୁଦ୍ରା ସ୍ଫୀତି 5.5 ରୁ 6% ବୃଦ୍ଧି ଘଟିଲେ 2018 ମସିହା ବେଳକୁ ଶହେ ଟଙ୍କାର ଜିନିଷଟି ଅନ୍ୟୁନ 180 ଟଙ୍କାରେ ଉପଲବ୍ଧ ହେଲାଣି । ଅଥଚ ଯେଉଁ ଗଲା ଦଶ ବର୍ଷ ତଳେ ବାର୍ଦ୍ଧକ୍ୟ ଭତ୍ତା ମାସକୁ ଯେଉଁ 300 ଟଙ୍କା ଥିଲା 2018 ମସିହାରେ ସେହି 300 ଟଙ୍କାରେ ଅଛି । ନା ବିଧାନସଭାରେ ଏହାର ଗୁରୁତ୍ଵ ଉପଲବ୍ଧି ହେଉଛି ନା ସଚିବାଳୟରେ।

          ଆଜିର ବୃଦ୍ଧ ମଣିଷ ଗଲା କାଲିର ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ଗ୍ରାମ୍ୟ କଳାକାର, କ୍ଷୁଦ୍ର ଚାଷୀ, ଖଣି ଖାଦାନର ଶ୍ରମିକ, କ୍ଷୁଦ୍ର ଦୋକାନୀ ଅଥବା ଉଦ୍ୟୋଗର ଅସଂଗଠିତ ଶ୍ରମିକ । ଦେଶର ଜିଡିପି (gross domestic product)ରେ ତା’ର ଅବଦାନ ରହିଛି । ଅଥଚ ରାଜ୍ୟର ସେହି ବୃଦ୍ଧ ବୃଦ୍ଧାମାନେ ନିଜର ଭବିଷ୍ୟତକୁ ସୁରକ୍ଷିତ କରିନପାରିବା ଅଥବା ଏକ ଅବହେଳିତ ଜୀବନ ବିତାଇବା ପଛରେ କାରଣ ହେଲା ଶସ୍ତା ଶ୍ରମ,ଅସଂଗଠିତ ଶ୍ରମଶକ୍ତି, କୃଷି କ୍ଷେତ୍ରରୁ ବିସ୍ଥାପନ, କ୍ରମାଗତ ଜଙ୍ଗଲ ସମ୍ପଦର ଅବକ୍ଷୟ ସାଙ୍ଗକୁ ସ୍ୱାସ୍ଥ୍ୟ, ପରିବହନ ଭଳି ଅତ୍ୟାବଶ୍ୟକ ବ୍ୟବସ୍ଥାର ନିଜସ୍ଵିକରଣ । ଏହାସହିତ କ୍ରମାଗତ ପ୍ରାକୃତିକ ଦୁର୍ବିପାକ, ନିଜ ଶ୍ରମର ଅବମୂଲ୍ୟାୟନ ଓ ଦରଦାମ ବୃଦ୍ଧି ଜଣେ କାର୍ଯ୍ୟକ୍ଷମ ବ୍ୟକ୍ତିକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିଦେଇ ଥାଏ ।

          ହିତାଧିକାରୀଙ୍କୁ ଭତ୍ତା ଦେଇ ସରକାର ସେମାନଙ୍କ କୌଣସି ପ୍ରକାରରେ ଦୟା କରୁନାହାନ୍ତି । ଏହା ରାଷ୍ଟ୍ରର ଦାୟିତ୍ଵ ଯେ ଅତୀତର ସେହି ସୁଯୋଗ୍ୟ ଶ୍ରମିକ, ଚାଷୀ ଇତ୍ୟାଦିଙ୍କୁ ଥଇଥାନ କରିବା । ଏ ଭଳି ସ୍ଥିତିରେ ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା (ଗାସ) ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରେ କି;

1)    ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଭଳି ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଅନୁନ୍ୟ ମାସକୁ 2000 ଟଙ୍କା ଦେବାର ପ୍ରାବଧାନ କରାଯିବା ସହିତ ବାର୍ଦ୍ଧକ୍ୟ ଭତ୍ତା ପାଇବାର ବୟସ ସୀମା 55 ବର୍ଷ ରଖାଯାଉ।  

2) ସରକାରୀ କର୍ମଚାରୀଙ୍କ ପେନସନ କ୍ଷେତ୍ରରେ ପ୍ରତି 6 ମାସରେ ସରକାର ଘୋଷଣା କରୁଥିବା ମହଙ୍ଗା ଭତ୍ତା ଭଳି ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଭତ୍ତାକୁ ମୁଦ୍ରାସ୍ଫୀତି ଅନୁସାରେ ବୃଦ୍ଧି କରାଯାଉ

3) ସ୍ୱାସ୍ଥ୍ୟ ବିଭାଗର ଘରୋଇକରଣକୁ ବନ୍ଦ କରାଯାଉ ଓ ଅବହେଳିତ ବର୍ଗ ଯେପରି ସ୍ୱାସ୍ଥ୍ୟ ସୁବିଧା ପାଇବେ ସେ ଦିଗରେ ଧ୍ୟାନ ଦିଆଯାଉ 

4) ସମାଜର ବିଭିନ୍ନ କାରଣ ହେତୁ ଅବହେଳିତ ହେଉଥିବା ମହିଳା, ଏକୁଟିଆ ଥିବା ମହିଳା ଓ କିନ୍ନରମାନଙ୍କୁ ଏହି  ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଉ ।  

Comments are closed.