ଓଡିଶାରୁ ମଦ ବନ୍ଦ ପାଇଁ ଦାବି ସହ ତୁରନ୍ତ ୧୯୫୬ ଓଡିଶା ନିଶା ନିବାରଣ ଆଇନକୁ ଲାଗୁ କରିବା ପାଇଁ ଦାବି


ଭୁବନେଶ୍ୱର : ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଓଡିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସଂଗଠନ ପକ୍ଷରୁ ସ୍ଥାନୀୟ ଲୋୟର ପିଏମଜୀ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ସଂଗଠନର ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇ ତାଙ୍କର ସ୍ମୃତି ଚାରଣ କରିଛନ୍ତି । ଏହି ଅବସରରେ ସଂଗଠନ ପକ୍ଷରୁ ତାଙ୍କ ଦ୍ୱାରା ପାରିତ ୧୯୫୬ ଓଡିଶା ନିଶା ନିବାରଣ ଆଇନକୁ ତୁରନ୍ତ ଲାଗୁ କରିବା ପାଇଁ ଦାବୀ କରାଯାଇଛି ।
ଏହି ଅବସରରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା)ର ସଭାପତି ଶ୍ରୀ ପଦ୍ମ ଚରଣ ନାୟକ କହିଛନ୍ତି ଯେ, “ଶ୍ରୀ ଚୌଧୁରୀ ରାଜନୀତି, ପଦ ପଦବୀ, ସାମନ୍ତବାଦୀ ବିରୋଧରେ ଏବଂ ଲୋକଙ୍କ ଅଧିକାର ପକ୍ଷରେ ସର୍ବଦା ଲଢୁଥିବା ଏକ ଅନନ୍ୟ ଜନନେତା ଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ପାଇଁ ସେ ନେଇଥିବା ଅନେକ ନିର୍ଣ୍ଣୟ ଆଧୁନିକ ଓଡିଶା ଗଠନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଓଡିଶାର ବିକାଶରେ ମଦ ଏକ ମୁଖ୍ୟ ବାଧକ ବୋଲି ସେ ବୁଝିଥିଲେ, ତେଣୁ ସେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳରେ ୧୯୫୬ ନିଶା ନିବାରଣ ଆଇନ ବିଧାନସଭାରେ ପାରିତ କରିଥିଲେ, ଯେବେକି ତାଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ମାନେ ଏହାକୁ କାର୍ଯ୍ୟକାରୀ ନକରିବା ଅତି ଦୁର୍ଭାଜ୍ୟଜନକ । ”
ସେ କହିଛନ୍ତି, “ଗତ ବିହାର ନିର୍ବାଚନରେ ନୀତିଶ କୁମାରଙ୍କ ଜିତିବା ପଛରେ ରାଜ୍ୟରେ ମଦ ବନ୍ଦ ଯୋଗୁଁ ତାଙ୍କ ସହ ଥିବ ଅଗଣିତ ମା’ ଓ ଭଉଣୀଙ୍କ ସମର୍ଥନ ରହିଛି । ତେବେ ଆଗାମୀ ଦିନରେ ବିହାର ଭଳି ଓଡିଶାର ଏହି ନୀରବ ମତଦାତା (ପ୍ରାୟ ଶତକଡା ୫୦ ଭୋଟର ମହିଳା ମତଦାତା) ନିଜର ସ୍ଥିତି ଜାହିର କରିବା ସହ ଶାସନକଳକୁ ମଦ ବନ୍ଦ କରିବାକୁ ବାଧ୍ୟ କରନ୍ତୁ । ଅନ୍ୟ ପକ୍ଷରେ ରାଜ୍ୟ ସରକାର ଜନ ସଧାରଣଙ୍କ ହିତକୁ ମନରେ ରଖି କୋଭିଡ ସମୟର ସଚେତନତା ବାର୍ତ୍ତା ଅନୁସାରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ପାରିତ ୧୯୫୬ ଓଡିଶା ନିଶା ନିବାରଣ ଆଇନକୁ ଦୃଢ ଦଣ୍ଡ ବିଧାନର ପ୍ରାବଧାନ ସହ ତୁରନ୍ତ ଲାଗୁ କରନ୍ତୁ । ”
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ପ୍ରହଲ୍ଲାଦ ସିଂହ(ବିଶିଷ୍ଟ ଗାନ୍ଧୀବାଦୀ ନେତା), ପ୍ରଫେସର ଡଃ ବିଶ୍ୱପ୍ରକାଶ, ମୋନା ପକ୍ଷରୁ ଶ୍ରୀ ଅଦୌତ୍ୱ ପାତ୍ର, ଉପସଭାପତି କାହ୍ନୁଚରଣ ବେହୁରା, ସଂଗଠନ ସଂପାଦକ ରମାକାନ୍ତ ମଣ୍ଡଳ, ଇନ୍ଦୁମତୀ ସାହୁ, ମଳୟ ତ୍ରପାଠୀ, ଖଗେଶ୍ୱର ବଳ, ସୌମ୍ୟ ରଞ୍ଜନ ମହାନ୍ତି , ପ୍ରଭାତ ରାଉତରାୟ, ଅରୁଣ ସାମନ୍ତରାୟ, ମଦ ମୁକ୍ତି ମାତୃଶକ୍ତିରୁ ଶ୍ରୀମତୀ କବିତା ରାଣୀ ପରିଡା, ମଦ ମୁକ୍ତି ମହିଳାବାହିନୀରୁ ଶ୍ରୀମତୀ ଅପର୍ଣ୍ଣା ନାୟକ, ବାସନ୍ତୀ ଆଚାର୍ଯ୍ୟ, କନକଲତା ଭଞ୍ଜ, ଯୋଗଗୁରୁ ଡଃ ବିଶ୍ୱ ରଞ୍ଜନ, ମଦମୁକ୍ତି ଯୁବ ବାହିନୀରୁ ଆତିଶ ରାଉତ, ଅଭିଜିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।


Share It

Comments are closed.