କରୋନା ବିରୋଧୀ ଲଢେଇରେ ଡାକ୍ତରଙ୍କୁ ମିଳିଲା ସଫଳତା, ପ୍ଲାଜମା ଥେରାପିରେ ସୁସ୍ଥ ହେଲେ କରୋନା ସଂକ୍ରମିତ


ପ୍ଲାଜମା ଥେରାପୀକୁ ନେଇ କରୋନା ଭାଇରସର ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଆଶାର କିରଣ ସୃଷ୍ଟି ହୋଇଛି । ଏହି ଥେରାପି ଦ୍ୱାରା ଗୁରୁତର ଅବସ୍ଥାରେ କରୋନା ଭାଇରସ ବିରୋଧରେ ଲଢେଇ କରୁଥିବା ୪୯ ବର୍ଷିୟ ବ୍ୟକ୍ତିଙ୍କ ସଫଳତାପୂର୍ବକ ଚିକିତ୍ସା ହେବା ସହ ସେ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି । ଏହି ଉପଲବ୍ଧୀ ଦିଲ୍ଲୀର ମ୍ୟାକ୍ସ ନାମକ ଏକ ଘରୋଇ ହସ୍ପିଟାଲର ଡାକ୍ତରମାନେ ହାସଲ କରିଛନ୍ତି । ଏହି ଥେରାପୀ ଦ୍ୱାରା ସଂକ୍ରମିତ ୪ ଦିନ ମଧ୍ୟରେ ସୁସ୍ଥ ହେବାର ଦେଖି ହସ୍ପିଟାଲ କତ୍ତୃପକ୍ଷ ବେଶ ଉତ୍ସାହିତ ଅଛନ୍ତି ।
ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ଡିଫେନ୍ସ କଲୋନୀରେ ରହୁଥିବା ଏହି ବ୍ୟକ୍ତିଙ୍କୁ ୪ ଏପ୍ରିଲରେ ମ୍ୟାକ୍ସ ହସ୍ପିଟାଲର ପୂର୍ବ ବ୍ଲକରେ ଭର୍ତ୍ତି କରାଯାଇଥିଲା । ସେହି ଦିନ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା । ପ୍ରାରମ୍ଭିକ ସମୟରେ ତାଙ୍କୁ ଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ଉପୁଜୁଥିଲା କିନ୍ତୁ ଗୋଟିଏ ଦିନ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଗମ୍ଭୀର ହୋଇଯାଇଥିଲା । ଏଥିପାଇଁ ତାଙ୍କୁ ଅକ୍ସିଜେନ ଦେବାକୁ ପଡିଥିଲା, କିନ୍ତୁ ତାଙ୍କୁ ନିମୋନିଆ ହୋଇଯାଇଥିଲା । ଫୁସଫୁସ ମଧ୍ୟ ଠିକସେ କାମ କରୁନଥିଲା । ଏଥିପାଇଁ ତାଙ୍କୁ ୮ ଏପ୍ରିଲରୁ ଆଇସିୟୁରେ ଭେଣ୍ଟିଲେଟର ସମର୍ଥନରେ ରଖାଯାଇଥିଲା ।
ସେପଟେ ତାଙ୍କ ପରିବାର ଲୋକଙ୍କୁ ହସ୍ପିଟାଲ ପକ୍ଷରୁ ପ୍ଲାଜମା ଥେରାପୀର ଉପଚାର ପାଇଁ ଇଚ୍ଛା ପ୍ରକଟ କରାଯାଇଥିଲା । ଡୋନର ତାଙ୍କର ସମ୍ପର୍କୀୟ ହୋଇଥିବାବେଳେ ସେ ଗତ ତିନି ସପ୍ତାହ ପୂର୍ବରୁ ଠିକ ହୋଇ ଘରକୁ ଫେରିଥିଲେ । ଏହା ପୂର୍ବରୁ ଡୋନରଙ୍କର ଦୁଇଥର ରିପୋର୍ଟ ନେଗେଟିଭ ମଧ୍ୟ ଆସି ସାରିଥିଲା । ଏହା ପରେ ୧୪ ଏପ୍ରିଲରେ ଡୋନରଙ୍କର ପ୍ଲାଜମା ଉକ୍ତ ସଂକ୍ରମିତଙ୍କ ଠାରେ ଚଢାଯାଇଥିଲା ।
ଡାକ୍ତରଙ୍କ ଅନୁଯାୟୀ ୪ ଦିନ ମଧ୍ୟରେ ହିଁ ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ପରିଣାମ ସାମନାକୁ ଆସିଥିଲା । ସଂକ୍ରମିତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ୧୮ ଏପ୍ରିଲରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା । ଗତ ରବିବାର ଠାରୁ ସେ ଖାଦ୍ୟ ଖାଇବା ଆରମ୍ଭ କରିଛନ୍ତି ।


Share It

Comments are closed.