‘କାନ୍‌ରେ ଭାରତ ନୁହେଁ, ଭାରତରେ କାନ୍‌ ହେବ’…ଅନୁରାଗ ଠାକୁରଙ୍କ ଉପସ୍ଥିତିରେ କିଛି ଏପରି କହିଲେ ଦୀପିକା


ବର୍ଷର ସବୁଠୁ ବଡ ଫିଲ୍ମ ଇଭେଣ୍ଟ ମଧ୍ୟରୁ ଗୋଟିଏ କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୭ରୁ ଆରମ୍ଭ ହୋଇଛି। ଭାରତର ବଲିଉଡ ସେଲିବ୍ରିଟିଙ୍କ ବ୍ୟତୀତ ଅନେକ ରାଜନୈତିକ ବ୍ୟକ୍ତି ମଧ୍ୟ ଏହି ଉତ୍ସବରେ ଭାଗ ନେଇଛନ୍ତି। ଦୀପିକା ପାଦୁକୋନ କାନ୍ସରେ ଏକ ଜୁରି ସଦସ୍ୟ ଭାବରେ ଯୋଗ ଦେଇଛନ୍ତି। ଏଥି ସହ ଆର ମାଧବନ, ରିକ୍କି ତେଜ, ବାଣୀ ତ୍ରିପାଣି, ପ୍ରସୁନ ଯୋଶୀ, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ନୱାଜୁଦ୍ଦିନ ସିଦ୍ଦିକି ଏବଂ ଶେଖର କପୁର ଏହି ଫେଷ୍ଟିଭାଲରେ ଭାରତକୁ ରୁପ୍ରେଜେଣ୍ଟ କରିବାକୁ ପହଞ୍ଚିଛନ୍ତି। ଚଳିତ ବର୍ଷ ଏହି ଫେଷ୍ଟିଭାଲ୍ ଭାରତ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ଏଥର ଭାରତକୁ ‘କଣ୍ଟ୍ରି ଅଫ୍ ଅନର୍’ ଭାବରେ ମନୋନୀତ କରାଯାଇଛି। ଏହାର ବିଶେଷ କାରଣ ହେଉଛି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ ୭୫ ବର୍ଷ ପୂରଣ ହୋଇଛି। ଉତ୍ସବର ଦ୍ୱିତୀୟ ଦିନରେ ଭାରତୀୟ ଅତିଥିମାନେ କାନ୍ସରେ ‘ଇଣ୍ଡିଆ ପାଭିଲିଅନ୍’ର ଉଦଘାଟନ କରିଛନ୍ତି। ଏହି ସମୟରେ ଜୁରି ସଦସ୍ୟ ଦୀପିକା ପଦ ପାଇବା ପରେ ସେ କିପରି ଅନୁଭବ କରୁଛନ୍ତି ତାହା ସମସ୍ତଙ୍କ ସାମ୍ନାରେ କହିଛନ୍ତି। ୭୫ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତର ଅନେକ ପ୍ରସିଦ୍ଧ ଚେହେରା ଦେଖିବାକୁ ମିଳୁଛି। କିନ୍ତୁ ସେମାନଙ୍କ ମଧ୍ୟରେ ସବୁଠୁ ଖାସ୍ ଦୀପିକା ପାଦୁକୋନ୍, କାରଣ ସେ ଏହି ଫେଷ୍ଟିଭାଲରେ ଭାରତକୁ ଏକ ଭିନ୍ନ ସ୍ତରକୁ ନେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଦୀପିକା କହିଛନ୍ତି, “ମୁଁ ଅତ୍ୟଧିକ ଗର୍ବିତ କାରଣ କାନ୍ସ ସହିତ ଏହା ହେଉଛି ଭାରତର ୭୫ ତମ ବର୍ଷ। ଏହି ଅବସରରେ ଭାରତକୁ ସ୍ପଟଲାଇଟରେ ରହୁଥିବା ଦେଶ ଭାବରେ ଦେଖିବା ବହୁତ ଭଲ। ଏହା ସହିତ ଏହି ଫେଷ୍ଟିଭାଲର ଜୁରିର ଅଂଶ ଏପରି, ଯାହାକି ମୁଁ ମୋ ଜୀବନରେ କଳ୍ପନା କେବେ କରି ନ ଥିଲି। ୧୫ ବର୍ଷ ପୂର୍ବେ ଯେବେ ମୁଁ ବଲିଉଡକୁ ଆସିଥିଲି, ମୋତେ ଲାଗୁନଥିଲା ଯେ ମୋ ଉପରେ କିମ୍ବା ମୋର ଟାଲେଣ୍ଟ ଉପରେ କାହାର ବିଶ୍ୱାସ ଥିଲା । ସେଥିପାଇଁ ୧୫ ବର୍ଷ ପରେ ଆଜି ଏହି ପଦରେ ରହିବା ଏବଂ ଏହା ହେତୁ ସମଗ୍ର ଦୁନିଆର ସିନେମାକୁ ଅନୁଭବ କରିବା ମୋ ଜୀବନର ସର୍ବୋତ୍ତମ ଜିନିଷ ଭିତରୁ ଗୋଟିଏ।

ଅଭିନେତ୍ରୀ ଆହୁରି କହିଛନ୍ତି, ଆଜି ଭାରତକୁ ଏହି ସ୍ଥାନକୁ ନେବା ପଛରେ ଅନେକ ଲୋକଙ୍କର ହାତ ଅଛି। ମୁଁ ରହମାନ ସାର୍, ଶେଖର ସାର୍ ଏବଂ ଆପଣଙ୍କ ପରି ଅନେକ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କାରଣ ଆପଣଙ୍କ ହେତୁ ଭାରତ ଏଠାରେ ଅଛି। ଆମ ଦେଶକୁ ଆହୁରି ଆଗକୁ ନେବାର ଅଛି। ମୁଁ ଜଣେ ଭାରତୀୟ ହୋଇଥିବାରୁ ଗର୍ବିତ। କିନ୍ତୁ ଏକ ଦେଶ ଭାବରେ ଆମର ଟାଲେଣ୍ଟ, ଏବିଲିଟି ଏବଂ ସବୁକିଛି ଅଛି ଯାହା ଏହି ଯାତ୍ରାକୁ ଆଗକୁ ନେଇଯିବ। ଯଦି ଏହା ଏହିପରି ଜାରି ରହେ, ତେବେ ଗୋଟିଏ ଦିନ ନିଶ୍ଚିତ ଆସିବ ଯେତେବେଳେ କାନରେ ଭାରତ ନୁହେଁ, ଭାରତରେ କାନ୍ ହେବ।


Share It

Comments are closed.