ଋଣ ବୋଝରେ ବୁଡିଥିବା ଚାଷୀ ହେଲେ ବିଧାୟକ


ଭାରତୀୟ ଗଣତନ୍ତ୍ରରେ କେତେବେଳେ ବି କିଛି ଘଟିପାରେ । ୧୧ ଡିସେମ୍ବରରେ ପ୍ରକାଶ ପାଇଥିବା ବିଧାନସଭା ଫଳାଫଳରେ ଏକ ଅଜବ ଉଦାହରଣ ଦେଖିବାକୁ ମିଳିଛି । ଚଳିତ ନିର୍ବାଚନରେ ଏଠାରେ ଜଣେ ଋଣରେ ବୁଡିଥିବା ଚାଷୀ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ଏଇ ବିରଳ ସଫଳତା ନିଜ ନାମରେ କରିଛନ୍ତି । ପ୍ରକାଶ ଥାଉକି, କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦୀ କରୁଥିବା ପ୍ରର୍ଥୀ ଜଣକ ନିଜ ବିଜୟକୁ ସୁନିଶ୍ଚିତ କରାଇବା ପାଇଁ ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରିଦେଉଥିବାବେଳେ ସେପଟେ ଏଇ ନବନିର୍ବାଚିତ ବିଧାୟକ ପ୍ରାର୍ଥୀ ଜଣକ ନିର୍ବାଚନରେ ଜିତିବା ପାଇଁ ଟଙ୍କା ଟିଏ ମଧ୍ୟ ଖର୍ଚ୍ଚ କରିନାହନ୍ତି ।
ଏହି ନବନିର୍ବାଚିତ ବିଧାୟକ ପ୍ରାର୍ଥୀ ଜଣକ ଲୋକଙ୍କ ଠାରୁ ଚାନ୍ଦା ନେଇ, ତାଙ୍କ ଟଙ୍କାରେ ହିଁ ନିର୍ବାଚନ ଲଢିଥିଲେ । ବର୍ତ୍ତମାନ ସେ ଶ୍ରୀଣ୍ଡୁଗରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସିପିଏମ ବିଧାୟକ ଅଛନ୍ତି । ଲୋକଙ୍କ ଭଲ ପାଇବା ଆର୍ଶୀବାଦ ଦ୍ୱାରା ହିଁ ସେ ଏହି ନିର୍ବାଚନରେ ବିଜୟ ହାସଲ କରିପାରିଛନ୍ତି । ସେ ଚାଷ ପାଇଁ ନେଇଥିବା ଧାର ଟଙ୍କାରୁ କିଛି ବି ଖର୍ଚ୍ଚ ନକରି ଚଳିତ ନିର୍ବାଚନରେ ସହଜରେ ବିଜୟ ହାସଲ କରିଛନ୍ତି । ଏହି ବ୍ୟକ୍ତି ଜଣକ ହେଲେ ଗିରିଧାରୀଲାଲ ମାହିଆ, ଯିଏକି ପେଶାରେ ଜଣେ ଚାଷୀ । ଚଳିତ ନିର୍ବାଚନରେ ସିପିଏମ ଟିକେଟରୁ ନିର୍ବାଚନ ଲଢିଥିବା ଏହି ବ୍ୟକ୍ତି ଜଣକ ପ୍ରାୟ ୨୪୦୦୦ରୁ ଉର୍ଦ୍ଧ ଭୋଟ ପାଇ ବିଜୟ ହାସଲ କରିଛନ୍ତି ।
ଯେତେବେଳେ ଗାଁ ଲୋକମାନେ ଗିରିଧାରୀଲାଲଙ୍କୁ ନିର୍ବାଚନ ଲଢିବା ପାଇଁ କହିଲେ ସେ ପ୍ରଥମେ ମନା କରିଦେଲେ । ତାଙ୍କର ବିଶ୍ୱାସ ଥିଲା ଯେ, ନିର୍ବାଚନ ଲଢିବା ପାଇଁ ବହୁତ ଗୁଡାଏ ଟଙ୍କାର ଆବଶ୍ୟକତା ରହିଥାଏ, ଯାହାକି ତାଙ୍କ ପାଖରେ ନଥିଲା । କେବଳ ଏତିକି ନୁହେଁ ତାଙ୍କ ପରିବାର ମଧ୍ୟ ଏହି ନିଷ୍ପତି ପକ୍ଷରେ ନଥିଲେ । କିନ୍ତୁ ଲୋକମାନେ ତାଙ୍କୁ ଅନେକ ବୁଝାସୁଝା କରିବା ପରେ ସେ ଏହି ନିର୍ବାଚନ ଲଢିବା ପାଇଁ ରାଜି ହୋଇଥିଲେ ।
ପେଶାରେ ଚାଷୀଥିବା ଏହି ବ୍ୟକ୍ତି ଜଣକ ୩୫ ବର୍ଷଧରି କୃଷକ ନେତା ଋପେ ଚାଷୀଙ୍କ ହକ ପାଇଁ ଲଢେଇ କରିଆସିଛନ୍ତି । ସେ ଅନେକ ଥର ଚାଷ ପାଇଁ ଲୋକଙ୍କ ଠାରୁ ଧାର ମଧ୍ୟ ନେଇଛନ୍ତି ।
ଏହି ବିଜୟ ହାସଲ କରିବା ପରେ ଗିରିଧାରୀଲାଲ କହିଛନ୍ତି ଯେ, ‘ଏହା ଲୋକଙ୍କର ନିର୍ବାଚନ ଥିଲା ଏବଂ ସେମାନେ ଲଢୁଥିଲେ । ଏହି ବିଜୟ ପାଇଁ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ସମସ୍ତ ବଳ ପ୍ରୟୋଗ କରିଦେଇଥିଲେ କିନ୍ତୁ ମୋ ପ୍ରତି ଥିବା ଲୋକଙ୍କ ଭଲ ପାଇବା ଯୋଗୁଁ ମୁଁ ଏହି ସଫଳତା ହାସଲ କରିପାରିଛି ଏବଂ ଏହା ମୋ ବିଜୟ ନୁହେଁ, ଲୋକଙ୍କ ବିଜୟ । ’


Share It

Comments are closed.