ଦେବାଶିଷ ମହାନ୍ତି ବିସିସିଆଇ ଚୟନକର୍ତ୍ତା ସମିତି ସଦସ୍ୟ ଭାବେ ମନୋନୀତ


ଟିମ୍‌ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଦେବାଶିଷ ମହାନ୍ତି ବିସିସିଆଇ ସିନିୟର ଚୟନ କମିଟିର ସଦସ୍ୟ ନିଯୁକ୍ତ ହୋଇଛନ୍ତି । ଏହି କମିଟିରେ ମୋଟ୍‌ ୫ ଜଣ ସଦସ୍ୟ ରହିଛନ୍ତି । ୩ ନୂଆ ସଦସ୍ୟ ହେଲେ ପୂର୍ବତନ କ୍ରିକେଟର ଚେତନ ଶର୍ମା, ଆବେ କୁରୁଭିଲ୍ଲା ଓ ଦେବାଶିଷ ମହାନ୍ତି । ଦ୍ୱିତୀୟ ଓଡ଼ିଆ ଭାବେ ସେ ଏହି କମିଟିରେ ସାମିଲ ହୋଇଛନ୍ତି । ପୂର୍ବରୁ ରଞ୍ଜିବ ବିଶ୍ୱାଳ ସିନିୟର ଚୟନ କମିଟିର ସଦସ୍ୟ ଥିଲେ ।

ମଦନ ଲାଲ୍‌, ରୁଦ୍ର ପ୍ରତାପ ସିଂହ ଓ ସୁରକ୍ଷଣା ନାୟିକଙ୍କୁ ନେଇ ଗଠିତ କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି) ଏହି ୩ ଜଣଙ୍କ ନାମ ସୁପାରିସ କରିଛି। ଯାହାକୁ ବିସିସିଆଇ ମଧ୍ୟ ମୋହର ମାରିଛି। ବରିଷ୍ଠତା ଦୃଷ୍ଟିରୁ ଚେତନ ଶର୍ମା ଚୟନ କମିଟିର ଅଧ୍ୟକ୍ଷ ହୋଇଛନ୍ତି।

ଦେବାଶିଷ ପୂର୍ବରୁ ବିସିସିଆଇ ଜୁନିୟର ଚୟନ କମିଟିର ସଦସ୍ୟ ଥିଲେ । ଅନ୍ତର୍ଜାତୀୟ କ୍ରିକେଟରେ ୨ଟି ଟେଷ୍ଟ ଓ ୪୫ଟି ଦିନିକିଆ ଖେଳିଥିଲେ । ସେ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ୍‌ ୬୧ଟି (ଟେଷ୍ଟରେ ୪, ଦିନିକିଆରେ ୫୭) ଏବଂ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୧୭ଟି ୱିକେଟ୍‌ ହାସଲ କରିଥିଲେ ।


Share It

Comments are closed.