କାର୍ଗିଲ ଯୁଦ୍ଧର ଖଳନାୟକଙ୍କୁ ଫାଶୀଦଣ୍ଡ


କାର୍ଗିଲ ଯୁଦ୍ଧର ଖଳନାୟକଙ୍କୁ ତଥା ଭାରତ ବିରୋଧରେ ବାରମ୍ବାର ପରମାଣୁ ଧମକ ଦେଉଥିବା ଏବଂ କାଶ୍ମୀରରେ ବିଚ୍ଛିନ୍ନବାଦୀନେତାଙ୍କୁ ସମର୍ଥନ ଦେଉଥିବା ପାକିସ୍ତାନର ଏକଛତ୍ର ସାମରିକ ଶାସକ ପରଭେଜ ମୁସାରଫଙ୍କୁ ଫାଶୀଦଣ୍ଡାଦେଶ ଦିଆଯାଇଛି । ଗତ ୨୦୦୭ ନଭେମ୍ବର ୩ ତାରିଖରେ ପାକିସ୍ତାନରେ ମନମୁଖୀ ଭାବେ ଆପାତକାଳୀନ ପରିସ୍ଥିତି ଲାଗୁ କରିଥିବା ହେତୁ ପେଶାୱର କୋର୍ଟ ପରଭେଜଙ୍କୁ ଦେଶଦ୍ରୋହର ଆଖ୍ୟା ଦେଇ ମୃତ୍ୟୁଦଣ୍ଡାଦେଶରେ ଦଣ୍ଡିତ କରିଛି ।
ପେଶୱାର କୋର୍ଟ ମୁଖ୍ୟ ବିଚାରପତି ୱାକର ଅହମ୍ମଦ ସେଠଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ୩ ଜଣିଆ ଖଣ୍ଡପିଠ ଏ ସଂକ୍ରାନ୍ତରେ ନିଜ ରାୟ ପ୍ରକାଶ କରି ପୂର୍ବତ୍ତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ପାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନାଯୋଗ୍ୟ, ପରଭେଜ ରାଷ୍ଟ୍ରପତି ଥିବାବେଳେ ଗତ ୨୦୦୭ରେ ସେ ଦେଶରେ ଏକ ସ୍ୱତନ୍ତ୍ର ଅଦାଲତ ଗଠନ କରିବାକୁ ଚ୍ୟାଲେଞ୍ଜ ଦେବା ସହ ଦେଶରେ ହଠାତ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଇଦେଇଥିଲେ । ଏପରିକି ସେ ୨୦୦୭ ଜାନୁଆରୀରୁ ଜୁଲାଇ ପର୍ଯ୍ୟନ୍ତ ପାକିସ୍ତାନର ସମ୍ବିଧାନକୁ ମଧ୍ୟ ଅବୈଧ ଘୋଷଣା କରି ଏହାକୁ ଅଚଳ କରିଦେଇଥିଲେ । ସେଥିପାଇଁ ତାଙ୍କର ଏହି ହିଟଲାରୀ ଶାସନକୁ ବିରୋଧ କରି ଆବେଦନକାରୀ ତଥା ଆଇନଜୀବୀ ଖ୍ୱାଜା ଅହମ୍ମଦ ତାରିକ ରହିମ ଏବଂ ଅଜହର ସଦ୍ଦିକୀ ଗତ ୨୦୧୩ ଡିସେମ୍ବରରେ ପେଶାୱର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
ରାଷ୍ଟ୍ରପତି ଭାବେ ଆସୀନ ହୋଇଥିବା ଜଣେ ସେନାଧ୍ୟକ୍ଷଙ୍କ ଏଭଳି ଏକଚାଟିଆ ନିଷ୍ପତି ଆଦୌ ଦେଶର ସମ୍ବିଧାନ ସମ୍ମତ ନୁହଁ ଦର୍ଶାଇ ସେମାନେ ପରଭେଜଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି ୨୦୧୪ ମାର୍ଚ୍ଚ ୩୧ରେ ମୁଶାରଫଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛି ।


Share It

Comments are closed.