ଚଳିତ ବର୍ଷ ହେବ ଟେଲିକମ୍ ପାଇଁ ସୁଧାର ବର୍ଷ: ସୁନୀଲ ମିତଲ


ଭାରତୀୟ ଟେଲିକମ୍ ଶିଳ୍ପରେ ଯେଉଁ ଅସ୍ଥିରତା ଲାଗି ରହିଛି ତାହା ଦୂର ହୋଇଯିବ । ସବୁ ପ୍ରକାର ସମସ୍ୟା ବନ୍ଦ ହେବ । ଚଳିତ ବର୍ଷଟି ଭାରତୀୟ ଟେଲିକମ୍ ଶିଳ୍ପ ପାଇଁ ସୁଧାର ବର୍ଷ ହେବ ବୋଲି ଭାରତୀ ଗ୍ରୁପର ମୁଖ୍ୟ ସୁନିଲ ଭାରତୀ ମିତଲ କହିଛନ୍ତି । ଡାଭୋସ୍ ଠାରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲୁଇଏଫ୍) ସମ୍ମିଳନୀରେ ଦି କ୍ୱିଂଟ ସହ ବାର୍ତାଳାପ କରିବା ସମୟରେ ସେ ଅନେକ ବିଷୟରେ ଆଲୋଚନା କରିଛନ୍ତି । ଚଳିତ ବର୍ଷ ସବୁ ସମସ୍ୟା ଦୂର ହୋଇଯିବ ଏବଂ ୨୦୨୦ରେ ସବୁ କିଛି ଠିକ୍ ହୋଇଯିବ ବୋଲି ସେ କହିଛନ୍ତି । କିନ୍ତୁ ଏଥିପାଇଁ ବଜାରରେ ଯେଉଁ ବଡ଼ କଂପାନିଟି ଅତି ସୁଲଭ ଦର ଏବଂ ଉଚ୍ଚ ସବ୍ସିଡି ଖେଳ ଖେଳୁଛି, ସେହି କଂପାନିକୁ ହିଁ ପଦକ୍ଷେପ ନେବାକୁ ହେବ । ୨୦୧୮ ବର୍ଷଟି ଟେଲିକମ ଶିଳ୍ପ ପାଇଁ ଯନ୍ତ୍ରଣାର ବର୍ଷ ଥିଲା । ଏହି କ୍ଷେତ୍ରରେ ମୁକେଶ ଅମ୍ବାନିଙ୍କ ଜିଓର ପ୍ରବେଶ ପରେ ଅନ୍ୟ କଂପାନିଗୁଡ଼ିକର ହାରାହାରି ରାଜସ୍ୱ ଏବଂ ଲାଭ ପ୍ରଭାବିତ ହୋଇଥିଲା । ଫଳରେ ବହୁତ ସଂସ୍ଥା ମଧ୍ୟରେ ମିଶ୍ରଣ ହୋଇ ଏବେ ପ୍ରାୟ ତିନୋଟି ବଡ଼ ସଂସ୍ଥା ଉଭା ହୋଇଛନ୍ତି । ସେମାନଙ୍କୁ ହାରାହାରି ରାଜସ୍ୱ ବଢ଼ାଇବା ଉପରେ ଗୁରୁତ୍ୱ ଦେବାକୁ ହେବ ।
ଆମେ ସବୁବେଳେ ଗୁଣାତ୍ମକ ସେବା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଉଛୁ ବୋଲି ମିତଲ କହିଛନ୍ତି । ମୁକେଶ ଅମ୍ବାନିଙ୍କ ଜିଓ ଏବେ କଂଟେଟ୍ ଏବଂ ଇ-କମର୍ସରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି । ସେ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମିତଲ କହିଛନ୍ତି ଯେ, ଆମେ ଯେଉଁ ବ୍ୟବସାୟକୁ ଭଲ ଭାବେ ବୁଝିନାହୁଁ ସେ କ୍ଷେତ୍ରରେ ପ୍ରବେଶ କରିବୁ ନାହିଁ । କିନ୍ତୁ କଂଟେଟ୍ ପ୍ରଦାନକାରୀ ଏବଂ ଇ-କମର୍ସ ସଂସ୍ଥାଗୁଡ଼ିକ ସହିତ ଏୟାରଟେଲ୍ ଏହାର ସହଯୋଗିତା ଜାରି ରଖିବ ଏବଂ ବଢ଼ାଇବ ।
ଟେଲିକମ୍ ଶିଳ୍ପରେ ହୋଇଥିବା ପରିବର୍ତନ ବିଷୟରେ ନିଜର ମତ ଦେଇ ସେ କହିଛନ୍ତି ଯେ, ୨୦୦୮ରେ ୧୦ଟି ନୂଆ ଲାଇସେନ୍ସ ବଂଟନ କରାଯାଇଥିଲା । ସେମାନେ ବିପୁଳ ପରିମାଣର ନିବେଶ କରି କଂପାନି ପ୍ରତିଷ୍ଠା କଲେ । ଏହା ପରେ ହଠାତ ଜିଓର ଆବିର୍ଭାବ ହେଲା ଏବଂ ସେସବୁ କଂପାନି ଅଦୃଶ୍ୟ ହୋଇଗଲେ । ଏବେ ମାତ୍ର ତିନିଟି କଂପାନି ରହିିଛି ଯେଉଁମାନଙ୍କ ଆକାର ପ୍ରାୟ ପାଖାପାଖି ସମାନ । ସେମାନଙ୍କ ଭିତରେ ଆଗକୁ ଯାହା କିଛି ଉପରତଳ ହେବ ।
ଟେଲିକମ୍ ଶିଳ୍ପର ଭବିଷ୍ୟତ ବିଷୟରେ ସେ କହିଛନ୍ତି, ଏଠାରେ ମୋବାଇଲ୍ ଫୋନ୍ ହେଉଛି ସବୁ କିଛି । ସରକାର ହୁଅନ୍ତୁ କିମ୍ବା ନାଗରିକ ସମସ୍ତଙ୍କ ପାଖରେ ତାହା ରହିଛି । ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ । ଆମେ ନିଜର କୌଣସି ବିଷୟବସ୍ତୁ ପ୍ରସ୍ତୁତ କରୁନାହୁଁ । ଆମେ କିନ୍ତୁ ଆମାଜନ, ନେଟଫ୍ଲିକ୍ସ, ହୁଲୁ, ଜି ଏବଂ ଏରସ ସହିତ ବୁଝାମଣା କରିଛୁ । ଆମେ କଂଟେଟ ପ୍ରଦାନକାରୀଙ୍କ ପସନ୍ଦର ସଂସ୍ଥା ଭାବେ ଉଭା ହୋଇଛୁ ବୋଲି ସେ କହିଛନ୍ତି ।


Share It

Comments are closed.