ଦୁର୍ବଳ ହେଉଛି ‘ଜୱାଦ’, ଉପକୂଳ ଛୁଇଁବା ବେଳେ ଗଭୀର ଅବପାତର ରୂପ ନେବ ବାତ୍ୟା


ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଜୱାଦ। ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବା ବେଳେ ଏହା ଗଭୀର ଅବପାତର ରୂପ ନେବ। ଗଭୀର ଅବପାତ ବେଳେ ପବନର ବେଗ ସର୍ବାଧିକ ୭୫ କି.ମି ରହିବ। ଘଣ୍ଟାକୁ ୪ କି.ମି ବେଗରେ ଉତ୍ତର ଦିଗକୁ ଗତି କରୁଛି ବାତ୍ୟା ଜୱାଦ। ବର୍ତ୍ତମାନ ଏହା ବିଶାଖାପାଟଣାରୁ ୨୩୦କି.ମି, ଗୋପାଳପୁର ଠାରୁ ୩୪୦ କି.ମି, ପୁରୀରୁ ୪୧୦ କି.ମି ଦୂରରେ ରହିଛି। ବାତ୍ୟା ଉତ୍ତର ଉତ୍ତର ପୂର୍ବ ଗତି କରିବା ବେଳେ ଏହା ପ୍ରଭାବରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଆଦି ଜିଲ୍ଲାରେ ୨୦ ସେଣ୍ଟିମିଟର ବର୍ଷା ହେବ । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ଆସନ୍ତା ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା ‘ଜୱାଦ୍’। ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ସମୁଦ୍ର ମଧ୍ୟ ଅଶାନ୍ତ ରହିଛି। ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ଉକ୍ତ ୪ ଜିଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡା ଓ କୋରାପୁଟକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମାଲକାନଗିରି ଜିଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଆସନ୍ତା ୫ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ପୁରୀ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବାରୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାତ୍ୟା ପାଇଁ ୫ ତାରିଖ ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।


Share It

Comments are closed.