ସିଡନୀ ଟେଷ୍ଟରେ ମାତ୍ର ୨୫% ଦର୍ଶକଙ୍କୁ ମିଳିବ ଖେଳ ଦେଖିବାର ଅନୁମତି


ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଟେଷ୍ଟ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି କ୍ରିକେଟ୍ ଅଷ୍ଟ୍ରେଲିଆ । ସିଡନୀରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ମାତ୍ର ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ବସିବାକୁ ଅନୁମତି ଦିଆଯିବ ।

ସିଡନୀରେ କୋଭିଡ୍-୧୯ର ନୂଆ ମାମଲା ସାମ୍ନାକୁ ଆସିବା ପରେ ନ୍ୟୁ ସାଉଥ୍ ଓ୍ବେଲ୍ସ୍ ସରକାରଙ୍କ ପରାମର୍ଶ ପରେ ଏହି ନିଷ୍ପତ୍ତି ନେଇଛି କ୍ରିକେଟ୍ ଅଷ୍ଟ୍ରେଲିଆ । ସିଡନୀ କ୍ରିକେଟ୍ ଷ୍ଟାଡିୟମର ମୋଟ କ୍ଷମତା ହେଉଛି ୩୮ ହଜାର । ତେବେ ଯଦି ୨୫ ପ୍ରତିଶତ ଦର୍ଶକଙ୍କୁ ଦେଖିବାର ସୂଯୋଗ ମିଳେ ତେବେ ପ୍ରାୟ ୯୫୦୦ ଦର୍ଶକ ହିଁ ମ୍ୟାଚ ଦେଖିପାରିବେ ।

କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ୍ ହୋକଲେ କହିଛନ୍ତି, କୋଭିଡ୍-୧୯ କାରଣରୁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ସଂଖ୍ୟାକୁ କମାଇ ଦିଆଯାଇଛି । ବର୍ତ୍ତମାନ ପାଇଁ ଟିକେଟ ବୁକିଂ କରିଥିବା ଦର୍ଶକଙ୍କୁ ସେମାନଙ୍କ ଦେୟ ଫେରସ୍ତ କରାଯାଇଛି । ଏଥିରେ ସହଯୋଗ କରିଥିବାରୁ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ସିଇଓ ନିକ୍ ହୋକଲେ କହିଛନ୍ତି । ଏହା ସହ ପୁନଶ୍ଚ ସାମାଜିକ ଦୂରତା ନିୟମ ଅନୁଯାୟୀ ସିଟ୍ ବ୍ୟବସ୍ଥା କରାଯିବା ପରେ ଟିକେଟ୍ ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଚଳିତ ଗସ୍ତରେ ଭାରତ ସିଡନୀରେ ୨ଟି ଦିନିକିଆ ଏବଂ ୨ଟି ଟି-ଟ୍ବେଣ୍ଟି ଖେଳି ସାରିଛି । ପ୍ରଥମ ଦୁଇଟି ମ୍ୟାଚରେ ୧୮ ହଜାର ଦର୍ଶକ ଉପସ୍ଥିତ ଥିଲେ ଯେତେବେଳେକି ଡିସେମ୍ବର ୮ ଅର୍ଥାତ ତୃତୀୟ ଟି-ଟ୍ବେଣ୍ଟିରେ ମ୍ୟାଚ ଦେଖିବା ପାଇଁ ୩୦ହଜାର ଦର୍ଶକ ଉପସ୍ଥିତ ଥିଲେ ।


Share It

Comments are closed.