ସୁନା ମୂଲ୍ୟ ନିର୍ଦ୍ଧାରଣରେ ବିଶ୍ୱସନୀୟତା ରକ୍ଷା କରାଯିବା ଆବଶ୍ୟକ: ଏମ୍ ପି ଅହମ୍ମଦ
ଭୁବନେଶ୍ବର: ମାଲାବାର ଗ୍ରୁପ୍ର ଅଧ୍ୟକ୍ଷ ଏମ୍ ପି ଅହମ୍ମଦ ସତର୍କ କରାଇ ଦେଇଛନ୍ତି ଯେ ଭାରତରେ ସୁନା ମୂଲ୍ୟ ନିର୍ଦ୍ଧାରଣରେ କିଛି ପ୍ରଥା ପ୍ରତିଷ୍ଠିତ ମାନଦଣ୍ଡରୁ ବିଚ୍ୟୁତ ହେଉଛି ଏବଂ ଦେଶର ସୁନା ବ୍ୟବସାୟର ଦୀର୍ଘକାଳୀନ ବିଶ୍ୱସନୀୟତାକୁ ଦୁର୍ବଳ କରିବାର ବିପଦ ସୃଷ୍ଟି କରୁଛି।
ସେ କହିଛନ୍ତି ଯେ ସୁନା ମୂଲ୍ୟ ତିନୋଟି ପ୍ରମୁଖ କାରଣ ମାଧ୍ୟମରେ ନିର୍ଦ୍ଧାରଣ କରାଯାଏ: ଅନ୍ତର୍ଜାତୀୟ ସୁନା ମୂଲ୍ୟ, ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ହାର ଏବଂ ଆମଦାନୀ ଶୁଳ୍କ। ସୀମା ଶୁଳ୍କ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ସ୍ଥିର ରହିଲେ ମଧ୍ୟ, ବିଶ୍ୱ ମୂଲ୍ୟରେ ଉତ୍ଥାନ-ପତନ ଏବଂ ମୁଦ୍ରା ଗତିବିଧି ଦୈନିକ ମୂଲ୍ୟ ନିର୍ଦ୍ଧାରଣରେ ସଂଶୋଧନ ଆବଶ୍ୟକ କରିଥାଏ।
ପାରମ୍ପରିକ ଭାବରେ, ବାଣିଜ୍ୟ ସଂଗଠନଗୁଡ଼ିକ ଦ୍ୱାରା ସୁନା ମୂଲ୍ୟ ଏକ ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ଉପାୟରେ ସ୍ଥିର କରାଯାଏ ଏବଂ ସକାଳ ୯:୩୦ ପୂର୍ବରୁ ପ୍ରକାଶିତ ହୋଇଥାଏ। ପ୍ରତ୍ୟେକ ଦିନ ପାଇଁ ନିର୍ଦ୍ଧାରିତ ମୂଲ୍ୟ କେବଳ ବଜାର ଅସ୍ଥିରତା କ୍ଷେତ୍ରରେ ସଂଶୋଧନ କରାଯାଏ।
ତଥାପି, ଏମ୍ ପି ଅହମ୍ମଦ ଉଲ୍ଲେଖ କରିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ, ବ୍ୟବସାୟୀ ବର୍ଗର ଏକ ଅଂଶ ଗ୍ରାହକଙ୍କୁ ସ୍ପଷ୍ଟ ଯଥାର୍ଥତା ପ୍ରଦାନ ନକରି, ପ୍ରତିଷ୍ଠିତ ତନ୍ତ୍ରର ବିପରୀତ, ମନଇଚ୍ଛା ମୂଲ୍ୟ ବୃଦ୍ଧି କରୁଛନ୍ତି। ସେ ପ୍ରକାଶ କରିଛନ୍ତି ଯେ, ଏପରି ପ୍ରଥା କ୍ଷେତ୍ର ଗତ ବ୍ୟବସାୟ ପ୍ରତି ବିଶ୍ୱାସକୁ ହ୍ରାସ କରିପାରେ ଏବଂ ଗ୍ରାହକ, ନିବେଶକ ଓ ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ଏହା ଚିନ୍ତା ସୃଷ୍ଟି କରିପାରେ। ସେ ସମସ୍ତ ସମ୍ପୃକ୍ତଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି, ଯାହା ବାଣିଜ୍ୟର ଅଖଣ୍ଡତାକୁ କ୍ଷତି ପହଞ୍ଚାଉଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ପାଇଁ ଗ୍ରାହକ ସ୍ୱାର୍ଥ ସର୍ବୋଚ୍ଚ ପ୍ରାଥମିକତା ରହିଛି ଏବଂ ସମସ୍ତ ବ୍ୟବସାୟିକ ପରିଚାଳନା ସ୍ୱଚ୍ଛତା ଓ ନିରପେକ୍ଷତାର ସହ ପରିଚାଳିତ ହେଉଛି। ସେ ରାଜ୍ୟଗୁଡିକ ମଧ୍ୟରେ ମୂଲ୍ୟ ବୈଷମ୍ୟ ଦୂର କରିବା ପାଇଁ ପ୍ରଚଳିତ କମ୍ପାନୀର ‘ଏକ ଭାରତ ଏକ ସୁନା ହାର’ ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରି ପ୍ରକାଶ କରିଛନ୍ତି ଯେ, ଯେହେତୁ ଟିକସ ହାର ସାରା ଦେଶରେ ସମାନ, ସୁନା – ଯାହାର ମୂଲ୍ୟ ଆନ୍ତର୍ଜାତୀୟ ମାନଦଣ୍ଡ ସହିତ ଜଡିତ – ସାରା ଦେଶରେ ସମାନ ମୂଲ୍ୟରେ ବିକ୍ରି ହେବା ଉଚିତ।
Comments are closed.