୨୦୨୧ ଅକ୍ଟୋବର ସୁଦ୍ଧା ଦେଶରେ ସମସ୍ତଙ୍କର ଟିକାକରଣର ହୋଇସାରିଥିବ: ଆଦର ପୁନାୱାଲା


ଆସନ୍ତା ବର୍ଷ ଜାନୁଆରୀରୁ ଭାରତରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବ। ଅଗ୍ରାଧିକାର ଭିତ୍ତିରେ ୩୦ କୋଟି ଲୋକଙ୍କୁ ପ୍ରଥମେ ଡୋଜ୍‌ ଦିଆଯିବ। ଆସନ୍ତା ବର୍ଷ ଅକ୍ଟୋବର ସୁଦ୍ଧା ଦେଶରେ ସମସ୍ତଙ୍କର ଟିକାକରଣ ହୋଇସାରିଥିବ । ଏହାଦ୍ୱାରା ଜୀବନ ପୁଣି ସ୍ୱାଭାବିକ ହୋଇଯିବ। ଅକ୍ସଫୋର୍ଡ ଟିକା (କୋଭିସିଲ୍ଡ)ର ଉତ୍ପାଦନ ଦାୟିତ୍ୱ ହାତକୁ ନେଇଥିବା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଦର ପୁନାୱାଲା ରବିବାର ଏଭଳି ଆଶା ଦେଖାଇଛନ୍ତି । ଏକ ଅନ୍ତର୍ଜାତୀୟ ବ୍ୟବସାୟିକ ଶିଖର ସମ୍ମିଳନୀରେ ଉଦ୍‌ବୋଧନ ଦେଇ ପୁନାୱାଲା କହିଛନ୍ତି, ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡକୁ ଭାରତରେ ଚଳିତମାସ ଶେଷ ସୁଦ୍ଧା ଜରୁରି ଲାଇସେନ୍ସ ମିଳିପାରେ। ନିୟାମକ ଅନୁମତି ମିଳିବା କ୍ଷଣି ଟିକାକରଣ ଅଭିଯାନ ଆରମ୍ଭ କରାଯିବ। ତେବେ ପ୍ରକୃତ ଲାଇସେନ୍ସ ମିଳିବା ନେଇ ଆଉ କିଛି ଦିନ ଲାଗିଯିବ। ତାଙ୍କ ମୁତାବକ ଦେଶର ୨୦% ଲୋକଙ୍କର ଟିକାକରଣ ହେବା ପରେ ସ୍ଥିତି ସୁଧୁରିବା ନେଇ ଆଶା ବଢ଼ିବ। ୨୦୨୧ ସେପ୍ଟେମ୍ବର-ଅକ୍ଟୋବର ବେଳକୁ ସମସ୍ତଙ୍କ ପାଇଁ ଟିକା ଉପଲବ୍ଧ ହୋଇଯିବ, ଯାହାଦ୍ୱାରା ସ୍ୱାଭାବିକ ଜୀବନ ପୁଣି ଫେରିଆସିବ ।

ଉଲ୍ଲେଖଯୋଗ୍ୟ, କୋଭିସିଲ୍ଡ ଟିକାର ଜରୁରି ବ୍ୟବହାର ପାଇଁ ଅନୁମତି ଦେବା ନିମନ୍ତେ ଚଳିତମାସ ୭ ତାରିଖରେ ଡିସିଜିଆଇ ନିକଟରେ ଆବେଦନ କରାଯାଇଥିଲା । କିନ୍ତୁ ଟିକାଟି କେତେଦୂର ପ୍ରଭାବୀ ଓ ନିରାପଦ ତାହା ବାବଦରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସିଓ)ର ଏକ ବିଶେଷଜ୍ଞ କମିଟି ଅତିରିକ୍ତ ତଥ୍ୟ ଲୋଡ଼ିଛି । ଏହି ତଥ୍ୟକୁ ଅବଲୋକନ କରାଯିବା ପରେ ଟିକାକୁ ମଞ୍ଜୁରି ମିଳିପାରେ ବୋଲି ଆଶା କରାଯାଉଛି ।


Share It

Comments are closed.