ନିଷ୍ପତି ବଦଳାଇଲା କଟକ ଜିଲ୍ଲା ପ୍ରଶାସନ, ଶ୍ରଦ୍ଧାଳୁଙ୍କ ବିନା ବିଭିନ୍ନ ମଣ୍ଡପରେ ପୂଜା ପାଇବେ ମା’


କଟକରେ ଦୁର୍ଗାପୂଜାକୁ ନେଇ ବଢିଲା ଆଶା । ମଣ୍ଡପରେ ହୋଇପାରିବ ମା’ ଦୁର୍ଗାଙ୍କ ପୂଜା । ପୂଜା କମିଟି ଗୁଡିକ ଭିଡ ନ ଜମାଇ ପୂଜା କରି ପାରିବେ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ କଟକ ସହରର ବିଭିନ୍ନ ପୂଜା କମିଟି ସ୍ୱାଗତ କରିଛନ୍ତି ।

କୋଭିଡ୍ ଗାଇଡ୍ ଲାଇନ୍‌କୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକରେ ଦୁର୍ଗାପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ ମଙ୍ଗଳବାର ଦିନ କହିଥିଲେ । ଚଳିତ ବର୍ଷ କୌଣସି ମଣ୍ଡପରେ ଦୁର୍ଗାପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ । କଟକରେ ପୂଜା କଲେ ସହରରେ ସାମାଜିକ ଦୂରତା ରହିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ପୂଜା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଆଜି ପୁଣି ଜିଲ୍ଲାପାଳ ମଣ୍ଡପରେ ପୂଜାକୁ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ।

ସେପଟେ କଟକ ଦଶହରା ସହିତ ୫ ଶହ ବର୍ଷର ଇତିହାସ ଓ ପରମ୍ପରା ଯୋଡି ହୋଇ ରହିଛି । ତେଣୁ ଗୋଟିଏ ମହାମାରୀ କାରଣରୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ । କିଛି ଏହିଭଳି ଯୁକ୍ତିକୁ ଆଧାର କରି ହାଇକୋର୍ଟରେ ଦାଏର ହୋଇଥିଲା ଜନସ୍ୱାର୍ଥ ମାମଲା । ମାମଲା ଦାଏର କରିଥିଲେ କଟକ ବାଲୁବଜାର ପୁଜା କମିଟି ସଭାପତି ତଥା ଆଡଭୋକେଟ୍ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ । ଦାଏର ପିଟିସନରେ ସେ ଉଲ୍ଲେଖ କରିଥିଲେ ଯେ, କଟକ ଦଶହରା ବିଶେଷ କରି ବାଲୁବଜାର ସ୍ଥିତ ବିନୋଦବିହାରୀ ପୀଠ ସହିତ ୫ ଶହ ବର୍ଷର ପରମ୍ପରା ଯୋଡି ହୋଇ ରହିଛି । ଅଗଣିତ ଶ୍ରଦ୍ଧାଳୁଙ୍କ ଆସ୍ଥାର ପ୍ରତୀକ ହେଉଛି କଟକ ଦଶହରା । ତେଣୁ କୋଭିଡ୍ କଟକଣାର ଆଳ ଦେଖାଇ ଦଶହରାକୁ ବନ୍ଦ କରିବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ସର୍ତ୍ତ ଆଧାରରେ ପୂଜା ପାଇଁ ଅନୁମତି ଦେବାକୁ ସେ ଆବେଦନ କରିଥିଲେ । ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଯେପରି ଅନୁମତି ଦିଆଗଲା ସେହି ଆଧାରରେ କଟକ ଦଶହରା ଲାଗି ଅନୁମତି ଦେବାକୁ ଆବେଦନ କରିଥିଲେ ମାମଲାର ଆବେଦନକାରୀ ଆଡଭୋକେଟ୍ ସୂର୍ଯ୍ୟକାନ୍ତ ।


Share It

Comments are closed.