ବିଶେଷଜ୍ଞଙ୍କ ଚେତାବନୀ, ଶୀତଦିନେ ଆସିବ କରୋନାର ଦ୍ୱିତୀୟ ଲହରୀ


ପାର୍ବଣ ଋତୁ ଅର୍ଥାତ ଅକ୍ଟୋବର ଓ ନଭେମ୍ବରରେ କଟକଣା କୋହଳ ହେଲେ ସଂକ୍ରମଣ ପୁଣି ମାଡ଼ିଯିବ। ମାସକରେ ୨୬ ଲକ୍ଷ ସଂକ୍ରମିତ ହେବା ଆଶଙ୍କା ରହିଛି । ଶୀତ ପଡ଼ିଲେ ସାରା ଦେଶରେ ଦ୍ୱିତୀୟ କରୋନା ଲହରି ବ୍ୟାପିବା ଆଶଙ୍କା ରହିଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ଏମିତିି ସତର୍କ ବାଣୀ ଶୁଣାଇଛି । କିନ୍ତୁ ଆଶ୍ୱସ୍ତି ବି କରିଛି ଯେ ଏବେ ଜନସଂଖ୍ୟାର ପାଖାପାଖି ୩୦ ପ୍ରତିଶତଙ୍କ ଶରୀରରେ କୋଭିଡ୍‌ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ସାରିଲାଣି । ଲୋକେ ସତର୍କ ରହିଲେ ଏବଂ କଟକଣାକୁ ମାନିଲେ ଆସନ୍ତା ବର୍ଷ (୨୦୨୧) ଫେବୃଆରୀ ମାସ ବେଳକୁ ଦେଶରେ କରୋନା ମହାମାରୀ ନିୟନ୍ତ୍ରଣକୁ ଆସିଯିବ । ସଂକ୍ରମଣ ହାର ନଗଣ୍ୟ ରହିବ ।

ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଏମ୍‌ ବିଦ୍ୟାସାଗରଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କରୋନା ସଂକ୍ରମଣ ଉପରେ ଅନୁଧ୍ୟାନ କରିବା ଲାଗି ଏକ ୧୦ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ । କମିଟି ଲକ୍‌ଡାଉନ, ପ୍ରବାସୀ ଶ୍ରମିକଙ୍କ ଫେରିବା ପରେ ସଂକ୍ରମଣ ବ୍ୟାପିବା ଏବଂ ଅର୍ଥନୀତି ଉପରେ କରୋନାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିଥିଲା । କମ୍ପ୍ୟୁଟର ମଡେଲ ବ୍ୟବହାର କରି ରିପୋର୍ଟ ପ୍ରସ୍ତୁତ କରିଛି । ରିପୋର୍ଟରେ କୁହାଯାଇଛି, ସେପ୍ଟେମ୍ବର ମାସରେ କରୋନା ସଂଭବତଃ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ବର୍ତ୍ତମାନ ହ୍ରାସ ପାଇଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ନୂଆ ସଂକ୍ରମଣ ମାମଲା ଲକ୍ଷଣହୀନ ରହିବ । ଯଦି କୋଭିଡ-୧୯ କଟକଣା ଠିକ୍‌ ଭାବେ ପାଳନ କରାଯାଏ ତେବେ ୪ ମାସ ଭିତରେ କରୋନା ନିୟନ୍ତ୍ରଣକୁ ଆସିବ । କିନ୍ତୁ ଏଥି ପାଇଁ ଲୋକଙ୍କୁ ସଚେତନ ହେବାକୁ ପଡିବ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ହେବ । କେନ୍ଦ୍ର ସରକାର ଲାଗୁ କରିଥିବା ଲକ୍‌ଡାଉନ ସମ୍ପର୍କରେ କମିଟି କହିଛି ଯେ, ମାର୍ଚ୍ଚମାସରେ ଲକ୍‌ଡାଉନ ଲାଗୁ କରା ଯାଇନଥିଲେ ଜୁନ ସୁଦ୍ଧା ୧ କୋଟି ୪୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥାନ୍ତେ । ୨୫ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାନ୍ତା । ସ୍ୱାସ୍ଥ୍ୟକର୍ମୀମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତେ ।

ଯଦିଓ କମିଟି ପାର୍ବଣ ସମୟ ଓ ଶୀତଋତୁରେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି ବୋଲି ଦର୍ଶାଇଛି ତଥାପି ଜିଲ୍ଲା କିମ୍ବା ରାଜ୍ୟସ୍ତରରେ ଆଉ ଲକ୍‌ଡାଉନ ଲାଗୁ କରାଯିବା ସପକ୍ଷରେ ନାହିଁ । ସୁରକ୍ଷା ବ୍ୟବସ୍ଥା କଡାକଡି ଭାବେ ପାଳନ କରିବାକୁ କମିଟି ପ୍ରସ୍ତାବ ଦେଇଛି । କମିଟି କହିଛି, ଭାରତରେ ବିଶ୍ୱର ଏକ-ଷଷ୍ଠାଂଶ ଲୋକ ରହୁଥିଲା ବେଳେ ମୋଟ ସଂକ୍ରମଣର ଏକ-ଷଷ୍ଠାଂଶ ମଧ୍ୟ ଭାରତରେ ଚିହ୍ନଟ ହୋଇଛନ୍ତି । କିନ୍ତୁ ବିଶ୍ୱରେ ଯେତେ କରୋନା ମୃତ୍ୟୁ ଘଟୁଛି ଭାରତରେ ତାର ୧୦ ପ୍ରତିଶତ ରହିଛି । ଭାରତରେ ମୃତ୍ୟୁହାର ୨ ପ୍ରତିଶତରୁ କମ୍‌ ରହିଛି, ଯାହାକି ବିଶ୍ୱରେ ସର୍ବନିମ୍ନ ।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ତଥା କୋଭିଡ-୧୯ ଟିକା ପ୍ରଶାସନ ପାଇଁ ଗଠିତ ବିଶେଷଜ୍ଞ କମିଟିର ମୁଖ୍ୟ ଡକ୍ଟର ଭି. କେ ପଲ୍‌ କହିଛନ୍ତି ଯେ, ଗତ ୩ ସପ୍ତାହ ହେବ ନୂଆ ସଂକ୍ରମଣ ମାମଲା ଏବଂ ନୂଆ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଚାଲିଛି । କିନ୍ତୁ ଶୀତ ଦିନେ ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦେଖିବାକୁ ମିଳିିପାରେ । ୟୁରୋପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ବର୍ତ୍ତମାନ ଭାରତରେ କରୋନା ସ୍ଥିତି ପୂର୍ବ ତୁଳନାରେ ଭଲ ରହିଛି । କିନ୍ତୁ କରୋନା ସହ ଲଢ଼େଇର ଲମ୍ବା ରାସ୍ତା ବାକି ରହିଛି । କାହିଁକି ନା ଦେଶର ୯୦ ପ୍ରତିଶତ ଲୋକ ସହଜରେ ସଂକ୍ରମିତ ହୋଇପାରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଟିକା ମିଳିଯିବା ପରେ ତାକୁ ସବୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।

ସେପଟେ ଦେଶର କେତେକ ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସ୍ୱୀକାର କରିଛନ୍ତି । ତେବେ ସମଗ୍ର ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଗୋଷ୍ଠୀ ସଂକ୍ରମଣ ଅଭିଯୋଗ ହୋଇଥିଲେ ମଧ୍ୟ ତାକୁ ସରକାର ଖଣ୍ଡନ କରିଥିଲେ।

କିଛି ଦିନ ତଳେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଥିଲେ ତାଙ୍କ ରାଜ୍ୟର କିଛି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଘଟିଛି । ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ତାଙ୍କ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଘଟିଥିବା କହିଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖି ହର୍ଷବର୍ଦ୍ଧନ କହିଛନ୍ତି କିଛି ଜନବହୁଳ ଅଞ୍ଚଳରେ ହୁଏତ ଗୋଷ୍ଠୀ ସଂକ୍ରମଣ ଘଟିଥିବ। କେତେକ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ନେଇ ସୂଚନା ମିଳିଛି । କିନ୍ତୁ ସମଗ୍ର ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଏହା କିଛି ଜିଲ୍ଲା ଭିତରେ ସୀମିତ ରହିଛି।

ଅନ୍ୟପକ୍ଷରେ ଓନମ ଉତ୍ସବ ଅବସରରେ କେରଳରେ କୋଭିଡ କଟକଣା ଢ଼ିଲା ଯୋଗୁ ସେଠାରେ କରୋନା ସଂକ୍ରମଣ ପୁଣି ବ୍ୟାପିଥିବା ସେ କହିଛନ୍ତି। ଏହି ଢ଼ିଲାର ପରିଣତି ଏବେ କେରଳ ଭୋଗୁଥିବା ସେ ପ୍ରକାଶ କରିିଛନ୍ତି। ଏହା ସବୁ ରାଜ୍ୟ ପାଇଁ ଶିକ୍ଷା। ତେଣୁ ପାର୍ବଣ ସମୟରେ ସବୁ ରାଜ୍ୟ ସରକାରମାନେ ସତର୍କତା ଅବଲମ୍ବନ କରିବା ସହ କୋଭିଡ୍‌ ନିୟମ କଡାକଡି ଭାବେ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।


Share It

Comments are closed.