ବିନା ପାଶ୍ୱର୍ ପ୍ରତିକ୍ରିୟାରେ ‘କୋଭାକ୍ସିନ’ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ


କରୋନା କବଳରୁ ବର୍ତ୍ତିବା ପାଇଁ ସମସ୍ତଙ୍କ ନଜର ଟିକା ଉପରେ ରହିଛି । ଅନ୍ୟ ବିକଶିତ ଦେଶମାନଙ୍କ ସହ ତାଳ ଦେଇ ଭାରତ ମଧ୍ୟ ଟିକା ଦୌଡରେ ଆଗରେ ଅଛି । ‘ଭାରତ ବାୟୋଟେକ’ ଏବଂ ‘ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ’(ଆଇସିଏମ୍‌ଆର୍‌) ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ଟିକା ‘କୋଭାକ୍ସିନ’ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଛି । ଅଗଷ୍ଟ ପ୍ରଥମ ସପ୍ତାହରୁ ଦେଶବ୍ୟାପୀ ୧୨ଟି ମେଡିକାଲରେ ୩୭୫ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଥିଲା। ଟିକା ଦିଆଯିବା ପରେ ସମସ୍ତଙ୍କୁ ପର୍ଯ୍ୟାବେକ୍ଷଣରେ ରଖା ଯାଇଥିଲା । ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନସୁଦ୍ଧା ସୁସ୍ଥ ରହିଛି ।

ଏଣୁ ଏହି ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟାନଥିବା ତଥା ଏହା ସୁରକ୍ଷିତ ଥିବା ପ୍ରମାଣିତ ହୋଇଛି । ପ୍ରତ୍ୟେକ ଟିକା କେତେ ସୁରକ୍ଷିତ ତାହା ଜାଣିବା ପାଇଁ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ହୋଇଥାଏ । ଏହି ପରୀକ୍ଷଣରେ କୋଭାକ୍ସିନକୁ ସଫଳତା ମିଳିଛି । ତେବେ ସମସ୍ତ ୧୨ଟି ମେଡିକାଲରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ରିପୋର୍ଟ ମିଳି ସାରିବା ପରେ ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରାଯିବ ।

ଦ୍ୱିତୀୟ ପର୍ଯ୍ୟାୟରେ ଏହି ଟିକା କରୋନା ଭାଇରସ ସହ ଲଢ଼ିବାରେ କେତେ ପ୍ରଭାବୀ ତାହା ପରୀକ୍ଷା କରାଯିବ। ଟିକା ଦ୍ୱାରା ଶରୀରରେ କରୋନା ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି କି ନାହିଁ ଏହା ସମୀକ୍ଷା କରାଯିବ । ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣର ତତ୍ତ୍ୱାବଧାନ କରିବ।

ରୋହତକ ପିଜିଆଇରେ କୋଭାକ୍ସିନ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ପିଜିଆଇ ଟିକା ଟ୍ରାଏଲ ଟିମ୍‌ର ଲିଡର ସବିତା ବର୍ମାଙ୍କ ମୁତାବକ, କୋଭାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ । ଯେଉଁ ସ୍ୱେଚ୍ଛାସେବୀଙ୍କ ଉପରେ ଏହା ପ୍ରୟୋଗ କରାଯାଇଛି ସମସ୍ତେ ସୁରକ୍ଷିତ ଅଛନ୍ତି। କାହା ଶରୀରରେ କିଛି ପ୍ରତିକୂଳ ଲକ୍ଷଣ ଦେଖାଯାଇନି। ଏବେ ଦ୍ୱିତୀୟ ପର୍ଯ୍ୟାୟ ସ୍ୱରୂପ ଟିକାର କ୍ଷମତା ପରୀକ୍ଷା କରାଯିବ। ଏହି ଟିକା କରୋନା ବିରୋଧରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଛି କି ନାହିଁ ଜାଣିବା ପାଇଁ ସ୍ୱେଚ୍ଛାସେବୀମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଉଥିବା ସେ ସୂଚନା ଦେଇଛନ୍ତି । ‘ଜାୟଡସ କୋଡିଲା’ ନାମକ ଏକ ଭାରତୀୟ ଫାର୍ମା କମ୍ପାନୀ ମଧ୍ୟ କରୋନା ଟିକା ବିକଶିତ କରିଛି ।

‘ଜାୟକୋବ-ଡି’ ନାମକ ଏହି ଟିକା ମଧ୍ୟ କ୍ଲିନିକାଲ ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଭାରତ ବାୟୋଟେକ ପରେ ଜାୟଡସ କୋଡିଲା ଦ୍ୱିତୀୟ ଭାରତୀୟ କମ୍ପାନୀ ଭାବେ ଟିକା ପ୍ରସ୍ତୁତ କରିବାକୁ ଅନୁମତି ପାଇଛି । ଭାରତ ବାୟୋଟେକ ଦ୍ୱାରା ବିକଶିତ ଟିକା କୋଭାକ୍ସିନ ଇସିଏମ୍‌ଆର୍ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିର ମିଳିତ ସହଯୋଗରେ ପ୍ରସ୍ତୁତ ହେଉଛି ।


Share It

Comments are closed.