ବିଶେଷଜ୍ଞଙ୍କ ଚେତାବନୀ, ଶୀତଦିନେ ଆହୁରୀ ଭୟଙ୍କର ହୋଇପାରେ କରୋନାର ପ୍ରକୋପ


ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ (କୋଭିଡ-୧୯) ଏବେ ବିଶ୍ୱର ୨୧୩ଟି ଦେଶକୁ କବଳିତ କରିସାରିଛି । ଏଥିରେ ୨ କୋଟି ୩୮ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲା ବେଳେ ୮ ଲକ୍ଷ ୧୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ବିଶ୍ୱର ବିଭିନ୍ନ ଦେଶରେ ଟିକା ବିକଶିତ କରିବା ଲାଗି ଜୋର୍‌ସୋର ଉଦ୍ୟମ ଜାରି ରହିଛି । କିନ୍ତୁ କରୋନା ନିଜର ରୂପ ବଦଳାଉ ନଥିବାରୁ ତାହା ଟିକା ବିକାଶରେ ସହାୟକ ହୋଇଛି । କିନ୍ତୁ ସଂକ୍ରମଣର ହାର କମିବାର ନାଁ ନେଉନାହିଁ । ଏଭଳି ପରିସ୍ଥିତିରେ ଆସନ୍ତା ଶୀତ ବେଳକୁ ଟିକା ଆସିସାରିଥିବ ବୋଲି କିଛି ବିଶେଷଜ୍ଞ ଆଶା ପ୍ରକାଶ କରିଛନ୍ତି ।

ହେଲେ ଆଉ କିଛି ବିଶେଷଜ୍ଞ ଆଶଙ୍କା କରିଛନ୍ତି ଯେ ଶୀତ ସମୟରେ କରୋନା ଭୟାବହ ରୂପ ଧାରଣ କରିବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସହ କାର୍ଯ୍ୟ କରିଥିବା ବିଶିଷ୍ଟ ସଂକ୍ରମକ ରୋଗ ବିଶେଷଜ୍ଞ କ୍ଲାଉଜ ଷ୍ଟୋହରଙ୍କ କହିବାନୁଯାୟୀ ଶୀତ ସମୟରେ କରୋନାର ଦ୍ୱିତୀୟ ଲହରି ଆସିବାର ସମ୍ଭାବନା ରହିଛି । ଏଭଳି ହେଲେ ତାହା ପ୍ରଥମ ସଂକ୍ରମଣ ଅପେକ୍ଷା ଅଧିକ ଭୟଙ୍କର ହେବ । ସେ କହିଛନ୍ତି କରୋନା ଭାଇରସ୍‌ର ମହାମାରୀ ଆଚରଣ ଅନ୍ୟ ଶ୍ୱାସପ୍ରଶ୍ୱାସ ଜନିତ ରୋଗ ଠାରୁ ଭିନ୍ନ ନୁହେଁ । ସୁପ୍ତ ହୋଇପଡିଥିବା କରୋନା ଭାଇରସ୍ ଶୀତରେ ପୁଣିଥରେ ସକ୍ରିୟ ହେବାର ସମ୍ଭାବନା ରହିଛି । ତେଣୁ କରୋନାର ଦ୍ୱିତୀୟ ଲହରିର ମୁକାବିଲା କିଭଳି କରାଯାଇ ପାରିବ ସେଥିପାଇଁ ପ୍ରସ୍ତୁତି ରହିବାକୁ ହେବ । ବର୍ତ୍ତମାନର ସଂକ୍ରମଣ ଓ ମୃତ୍ୟୁ ଅପେକ୍ଷା ଦ୍ୱିତୀୟ ଲହରି ଆହୁରି ବିପଜ୍ଜନକ ହେବ । ବ୍ରିଟେନର ଏକାଡେମି ଅଫ୍ ମେଡିକାଲ ସାଇନ୍‌ସେସ ପକ୍ଷରୁ ଏଭଳି ମଧ୍ୟ ଆକଳନ କରାଯାଇଛି । ଏହି ସଂସ୍ଥାର ବିଶେଷଜ୍ଞଙ୍କ କହିବାନୁଯାୟୀ ୨୦୨୧ ଜାନୁଆରୀ-ଫେବ୍ରୁଆରୀ ବେଳକୁ ପରିସ୍ଥିତି ଠିକ୍ ସେହିଭଳି ହେବ ଯେଭଳି ଚଳିତବର୍ଷ ପ୍ରାରମ୍ଭରେ କରୋନା ସଂକ୍ରମଣ ବେଳେ ଦେଖିବାକୁ ମିଳିଥିଲା ।

କରୋନା ଟିକା ବିକାଶରେ ସାମିଲ ବ୍ରିଟେନର ଚିଫ ମେଡିକାଲ ଅଫିସର କ୍ରିସ୍ ହ୍ୱିଟିଙ୍କ କହିବାନୁଯାୟୀ ଆମେ କୌଣସି ଟିକା ଉପରେ ଭରସା କରି ରହିପାରିବା ନାହିଁ । ଆଗାମୀ ଶୀତ ସମୟରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଯେଭଳି ବିଭିନ୍ନ ଦାବି ହେଉଛି ତାକୁ ଭରସା କରାଯାଇପାରିବ ନାହିଁ । ଏଭଳି ବିଶ୍ୱାସ କରିବା ହିଁ ମୁର୍ଖାମୀ । ଆମକୁ କରୋନା ମୁକାବିଲା ଲାଗି ଆସନ୍ତାବର୍ଷ ଶୀତ ସମୟ ପର‌୍ୟ୍ୟନ୍ତ ପ୍ରସ୍ତୁତ ରହିବାକୁ ପଡିବ । ତେବେ ତାଙ୍କ ଆକଳନ ଭୁଲ ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି । ବିଶ୍ୱର ବହୁଦେଶର ବୈଜ୍ଞାନିକ ଓ ବିଶେଷଷଜ୍ଞମାନେ ଟିକା ବିକାଶିତ କରିବାରେ ଲାଗିଛନ୍ତି । ଯାହାଫଳରେ କି ଖୁବଶୀଘ୍ର ଏହି ଘାତକ ଭାଇରସ୍ ଠାରୁ ଲୋକମାନଙ୍କୁ ସୁରକ୍ଷା ମିଳିପାରିବ । କିନ୍ତୁ ଆମକୁ ଯାଞ୍ଚ କରିବାକୁ ପଡିବ ଯେ ଏହି ଟିକା ସୁରକ୍ଷିତ କି ନୁହେଁ । ସାଧାରଣତଃ ଟିକା ବିକଶିତ ଠାରୁ ଆରମ୍ଭ କରି ପ୍ରସ୍ତୁତ ପର୍ଯ୍ୟନ୍ତ ବହୁତ ସମୟ ଲାଗିଥାଏ । ତେଣୁ ତରବରରେ ଟିକା ପ୍ରସ୍ତୁତ କରାଯିବା ଦ୍ୱାରା ତାର ପରିଣତି ବିଷୟରେ ଆମକୁ ଧ୍ୟାନ ଦେବାକୁ ପଡିବ । ତେଣୁ ଆଗାମୀ ଶୀତ ସମୟ ବେଳକୁ ଟିକା ମିଳିବ ନାହିଁ ବୋଲି ସେହି ବିଶ୍ୱାସରେ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ଅତିକମ୍‌ରେ ଆମକୁ ୬ମାସ ଯାଏ ପ୍ରସ୍ତୁତ ରହିବାକୁ ହେବ । ଯଦି କିଛି ଭଲ ଟିକା ମିଳିଗଲା ତେବେ କରୋନା ଲଢ଼େଇରେ ତାହା ଆମକୁ ସହାୟକ ହୋଇପାରିବ ।


Share It

Comments are closed.