କାହିଁକି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ୍ ରହିଛି?


ସମ୍ପୁର୍ଣ୍ଣ ବିଶ୍ୱ ଏବେ କରୋନା କବଳରେ ଆଉଟୁ ପାଉଟୁ ହେଉଥିବାବେଳେ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ଏବଂ ପ୍ରାୟ ୫୫୦୦ରୁ ଅଧିକ ଲୋକ ଏଥିରେ ମୃତ୍ୟୁବରଣ କରିଛନ୍ତି । ପୁରା ବିଶ୍ୱ ଅର୍ଥନୀତି ଏଥି ପାଇଁ ଭୁଷୁଡ଼ିବାରେ ଲାଗିଲାଣି, ସମସ୍ତ କ୍ଷେତ୍ରରେ ଦେଖାଦେଇଛି ଘୋର ମାନ୍ଦାବସ୍ଥା । ସତେ ଯେପରି କରୋନା ରୂପି ରାକ୍ଷାସ ଆଁରେ ବିଲୀନ ହୋଇଯିବକି ସମ୍ପୁର୍ଣ୍ଣ ପୃଥିବୀ । ବିଶ୍ୱର ପ୍ରାୟ ସମସ୍ତ ରାଷ୍ଟ୍ରରେ ଏବେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିବାବେଳେ ଅର୍ଦ୍ଧାଧିକ କ୍ଷେତ୍ର ଠପ୍ ହେବାକୁ ବସିଲାଣି । ଏପରି ଆକଳନକୁ ଦେଖିବାକୁଗଲେ ବିଶ୍ୱର ଅନେକ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାବେଳେ ଭାରତରେ ତାହା ତୁଳନାରେ ଏପର୍ଯ୍ୟନ୍ତ କମ୍ ରହିଛି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ କମ୍ ରହିବାର କାରଣ କ’ଣ?

ସମାଚାର ଏଜେନ୍ସି ପିଟିଆଇ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି ଏବଂ ଏଥି ମଧ୍ୟରୁ ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ବିଶ୍ୱରେ ୧୨୦ଟି ଦେଶରେ ଯେପରିଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି, ଭାରତରେ ଏହାର ସଂଖ୍ୟା ଏପର୍ଯ୍ୟନ୍ତ ଏତେମାତ୍ରାରେ ବୃଦ୍ଧି ହୋଇନାହିଁ । ବିଶେଷଜ୍ଞଙ୍କ ଅନୁଯାୟୀ କରୋନା ଭାଇରସ ଟେଷ୍ଟ ପାଇଁ ଭାରତରେ ଆହୁରୀ ସଚେତନତା ସୃଷ୍ଟି ହେବା ଆବଶ୍ୟକ ।

ଶହେ କୋଟିରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଏହି ଦେଶରେ କରୋନା ଭାଇରସକୁନେଇ ଯେଉଁଭଳି ଭାବରେ ସ୍କ୍ରିନିଂ ଏବଂ ଟେଷ୍ଟ କରାଯାଉଛି, ତାହା ପର୍ଯ୍ୟାପ୍ତ ନୁହେଁ । କେତେକ ହାତଗଣତି ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ରରେ କେବଳ ଏହି ପରୀକ୍ଷା ସୁବିଧା ଉପଲବ୍ଧ ହେଉଛି । ବିଶେଷଜ୍ଞଙ୍କ ମତରେ ଯଦି ଏପରି କୌଣସି ବ୍ୟକ୍ତିଠାରେ ଏହି ଭାଇରସ ରହିଛି, ଯିଏକି କେବେବି ବିଦେଶ ଯାଇନି କିମ୍ବା ଏପରି କୌଣସି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିନି, ତେବେ ସେ କ୍ଷେତ୍ରରେ ସମସ୍ୟା ଆହୁରି ବଢିଯାଇଥାଏ । ଉଦାହରଣ ସୁରୂପ ଦକ୍ଷିଣ କୋରିଆର ଜନସଂଖ୍ୟା ୫.୧ କୋଟି ଅଟେ । ସେଠାରେ ୨୦ ଜାନୁୟାରୀରୁ ଏପର୍ଯ୍ୟନ୍ତ ୨.୫ ଲକ୍ଷରୁ ଅଧିକ ଲୋକଙ୍କର ପରୀକ୍ଷା କରାଯାଇ ସାରିଛି । ସେଥି ପାଇଁ ଟେଷ୍ଟିଂ ସେଣ୍ଟରମାନ ତିଆରି କରାଯାଇଛି, ଯାହାଫଳରେ ଏହି ମହାମାରୀରୁ ରକ୍ଷା କରାଯାଇପାରିବ । ଏହିପରି ଦେଖିବାକୁଗଲେ ଅନୁମାନ କରାଯାଉଛିକି ଭାରତରେ ଟେଷ୍ଟିଂ ସେଣ୍ଟରର ଅଭାବ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ କମ୍ ରହିଛି ।


Share It

Comments are closed.