୬୦ ଡିଗ୍ରୀ ତାପମାତ୍ରାରେ ବି ବ୍ୟାପିପାରେ କରୋନା


ନୂଆଦିଲ୍ଲୀ,୧୫ ଏପ୍ରିଲ ୨୦୨୦: କରୋନା ଭାଇରସ୍‌କୁ ନେଇ ନୂଆ ତଥ୍ୟ ସାମ୍‌ନାକୁ ଆସିଛି । ଏହି ତଥ୍ୟ ଅନୁଯାୟୀ, କରୋନା ଭାଇରସ୍ ଅତ୍ୟଧିକ ତାପମାତ୍ରାରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ସକ୍ରିୟ ରହିପାରେ । ଫ୍ରାନ୍ସର ବୈଜ୍ଞାନିକଙ୍କ ଏକ ଟିମ୍ ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏହି ତଥ୍ୟ ଜଣାପଡିଛି । ପୂର୍ବରୁ ଏଭଳି ଦାବି କରାଯାଉଥିଲା ଯେ, କରୋନା ଭାଇରସ୍ ଅଧିକ ତାପମାତ୍ରାରେ ନିଷ୍କ୍ରିୟ ହୋଇଯାଇଥାଏ । କିନ୍ତୁ ଦକ୍ଷିଣ ଫ୍ରାନ୍ସର ଏଇକ୍ସ ମାର୍ସିୟେଲେ ୟୁନିଭର୍ସିଟିର ପ୍ରଫେସର ରେମି ଶେରେଏ ନିଜ ସହଯୋଗୀଙ୍କ ସହ ମିଶି କରିଥିବା ଅନୁସନ୍ଧାନ ମାଧ୍ୟମରେ ଏହି ଭ୍ରାନ୍ତଧାରଣାକୁ ଦୂର କରିଛନ୍ତି । ରେମି କରୋନା ଭାଇରସ୍‌କୁ ୬୦ ଡିଗ୍ରୀ ସେଲ୍‌ସିୟମ ତାପମାତ୍ରାରେ ପରୀକ୍ଷଣ କରିଥିଲେ । ୬୦ ଡିଗ୍ରୀ ତାପମାତ୍ରାରେ ପ୍ରାୟ ଏକ ଘଂଟା ପରୀକ୍ଷଣ କରିବା ପରେ ରେମି ଓ ତାଙ୍କ ଟିମ୍ ଜାଣିବାକୁ ପାଇଥିଲେ ଯେ, ଏହି ଭାଇରସ୍ ୬୦ ଡିଗ୍ରୀ ତାପମାତ୍ରାରେ ମଧ୍ୟ ସଂକ୍ରମଣ ବ୍ୟାପିବା ପାଇଁ ସକ୍ରିୟ ଥିଲା । ଅର୍ଥାତ୍ ଏତେ ଅଧିକ ତାପମାତ୍ରାରେ ମଧ୍ୟ ଏହା ନିଷ୍କ୍ରିୟ ହୋଇନଥିଲା । ଭାରତରେ ଯେଉଁ ଲୋକମାନେ ଭାବୁଥିଲେ ଯେ, ଗରମ ଦେଶ ହେବା କାରଣରୁ ଏଠାରେ କରୋନାର ପ୍ରଭାବ କମ୍ ହେବ ସେମାନଙ୍କ ଆଶାକୁ ଏବେ ବଡ ଝଟ୍‌କା ଲାଗିଛି । ସୂଚନାଯୋଗ୍ୟ ଯେ, ଫ୍ରାନ୍ସର ବୈଜ୍ଞାନିକମାନେ ଏହି ଅନୁସନ୍ଧାନ ପାଇଁ ପ୍ରଥମେ ଆଫ୍ରିକାରେ ଦେଖାଯାଉଥିବା ଏକ ସ୍ୱତନ୍ତ୍ର ପ୍ରଜାତିର ମାଙ୍କଡର କିଡ୍‌ନି ସେଲ୍‌ସକୁ କରୋନା ଭାଇରସ୍‌ରେ ସଂକ୍ରମିତ କରିଥିଲେ । ସେଲ୍‌ସକୁ ସଂକ୍ରମିତ କରିବା ପାଇଁ ବର୍ଲିନରେ ଏକ ଆଇସୋଲେଟେଡ୍ କରୋନା ରୋଗୀଙ୍କ ଶରୀରରୁ ଭାଇରସ୍ ନିଆଯାଇଥିଲା । ଏହାପରେ ଭାଇରସ୍‌କୁ ଦୁଇଟି ଅଲଗା ଅଲଗା ଟ୍ୟୁବ୍‌ରେ ଭରା ଯାଇଥିଲା ଯାହାକି ଦୁଇଟି ଭିନ୍ନ ପରିବେଶ (ସ୍ୱଚ୍ଛ ଓ ଅପରିଷ୍କାର)ରେ ବଢୁଥିଲା । ଶେଷରେ ପରୀକ୍ଷଣ ହେବା ପରେ ଆସିଥିବା ପରିଣାମ ସମସ୍ତଙ୍କୁ ଚକିତ କରିଥିଲା । ସ୍ୱଚ୍ଛ ପରିବେଶରୁ ନିଆଯାଇଥିବା କରୋନା ଭାଇରସ୍ ଅଧିକ ତାପମାତ୍ରାରେ ନିଷ୍କ୍ରିୟ ହୋଇଯାଇଥିବା ବେଳେ ଅପରିଷ୍କାର ପରିବେଶରୁ ନିଆଯାଇଥିବା ଭାଇରସ୍ ଅଧିକ ତାପମାତ୍ରାରେ ମଧ୍ୟ ସକ୍ରିୟ ରହିଥିଲା ।


Share It

Comments are closed.