ବିଧାୟକଙ୍କୁ ଜୟପୁର ପଠାଇବ କଂଗ୍ରେସ, ସେପଟେ ବିଜେପି ପଠାଇଲା ଗୁଡଗାଓଁ


ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ବର୍ତ୍ତମାନ ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ ଖେଳିଯାଇଛି । ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସରୁ ୨୨ ବିଧାୟକ ନିଜ ଇସ୍ତଫା ଦେଇ ସାରିଲେଣି । ସେଥିପାଇଁ ବାକି ବିଧାୟକଙ୍କୁ କଂଗ୍ରେସ ମଧ୍ୟପ୍ରଦେଶରୁ ଜୟପୁର ନେବା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଥିବାବେଳେ ଅନ୍ୟପଟେ ବିଜେପି ମଧ୍ୟ ନିଜ ବିଧାୟକଙ୍କୁ ଗୁରୁଗାଓଁ ସ୍ଥାନାନ୍ତରଣ କରି ସାରିଲାଣି । ବିଜେପି ବିଧାୟକ ଭୋପାଳସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ବସ ଯୋଗେ ବିମାନ ବନ୍ଦର ଯାଇଥିବାବେଳେ ସେଠାରେ ସମସ୍ତେ ସିଧା ଦିଲ୍ଲୀ ଯାଇଥିଲେ ଏବଂ ଦିଲ୍ଲୀରୁ ସମସ୍ତଙ୍କୁ ଏକ ହୋଟେଲ ନିଆ ଯାଇଥିଲା ।
ଅନ୍ୟପଟେ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଉପରେ କୌଣସି ବିପଦ ନାହିଁ ବୋଲି କମଲନାଥ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, “ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ଆମେ ନିଜର ବହୁମତ ପ୍ରମାଣିତ କରିବୁ ଏବଂ ସରକାର ନିଜ କାର୍ଯ୍ୟକାଳ ପୂରଣ କରିବ । ”

ସେପଟେ ଅନ୍ୟଜଣେ କଂଗ୍ରେସ ବିଧାୟକ କହିଛନ୍ତି ଯେ, “କମଲନାଥ ସରକାର ଭାଙ୍ଗିବାର ପ୍ରଶ୍ନ ନାହିଁ । ଆମ ପାଖରେ ବହୁମତ ରହିଛି । ସିନ୍ଧିଆଙ୍କ ଯିବାରୁ ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ରାଜା – ମହାରାଜାଙ୍କ ଦିନ ଶେଷ ହୋଇଯାଇଛି ।”


Share It

Comments are closed.