୩୫ ସାଂସଦଙ୍କୁ ନେଇ ପୁଣିଥରେ ହାଥରସ ଯିବେ ରାହୁଲ, ସେପଟେ ୟୁପି ପୋଲିସ ପୁରା ଆଲର୍ଟ


ହାଥରସ ମାମଲାକୁ ନେଇ ରାଜନୈତିକ ଝଡତୋଫାନ ଜାରି ରହିଛି । ଲକ୍ଷ୍ନୌରୁ ନେଇ ଦିଲ୍ଲୀ ରାଜନୀତି ପୁରା ସରଗରମ ହେବାରେ ଲାଗିଛି । ଏପରିକି ଦେଶର ବିଭିନ୍ନ ସହରରେ ମଧ୍ୟ ଘଟଣାକୁ ନେଇ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରାଯାଉଛି । କଂଗ୍ରେସ ବାରମ୍ବାର ଉତ୍ତରପ୍ରଦେଶର ଯୋଗୀ ସରକାର ଉପରେ ନିଜର ଅସନ୍ତୋଷର ନିଆଁ ଝାଡୁଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ହାଥରସ ଯିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଏହାକୁ ନେଇ ଏବେ ଉତ୍ତରପ୍ରଦେଶ ପୋଲିସ ପୁରା ଆକ୍ସନ ମୋଡରେ ରହିଛି ।

ନୋଇଡା ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିପୁଳ ପରିମାଣରେ ପୋଲିସ ବଳ ସେଠାରେ ମୁତୟନ କରାଯାଇଛି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ୩୫ ଜଣ ସାଂସଦ ହାଥରସ ଅଭିମୁଖେ ବାହାରିଥିବା ସୂଚନା ମିଳିଛି । ଏମାନେ ସମସ୍ତେ ଆଜି ଦିଲ୍ଲୀରୁ ଏକ ବସ ଯୋଗେ ହାଥରସ ଯିବାର ଯୋଜନା କରିଛନ୍ତି ।

ସେପଟେ ଲକ୍ଷ୍ନୌରୁ ଉତ୍ତରପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲ୍ଲୁଙ୍କୁ ତାଙ୍କ ବାସ ଭବନରୁ ଉଠାଇ ନେଇଛି ପୋଲିସ । ଏଥିସହ ତାଙ୍କ ବାସଭବନ ସାମ୍ନାରେ ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି । ଯେତେବେଳେ ରାହୁଲ ହାଥରସ ଯିବାର ଯୋଜନା କଲେ ସେତେବେଳେ ଅଜୟ ଲାଲ୍ଲୁଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏନେଇ ରାହୁଲ କହିଛନ୍ତି ଯେ ତାଙ୍କୁ ହାଥରସ ଯିବାରେ କୌଣସି ବ୍ୟକ୍ତି ଅଟକାଇ ପାରିବେ ନାହିଁ । ପୀଡିତାଙ୍କ ପରିବାରକୁ ଭେଟିବେ ବୋଲି ସେ କହିଛନ୍ତି । ତାଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପୀଡିତାଙ୍କ ପରିବାରକୁ ଭେଟିବାକୁ କହିଛନ୍ତି ।


Share It

Comments are closed.