ପରଲୋକରେ କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ


କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ ଆଉ ନାହାନ୍ତି । ଯିଏ ପେଣ୍ଡାଲ୍ ଉପରକୁ ଚଢ଼ିଗଲେ ଦର୍ଶକଙ୍କ ମଧ୍ୟରେ ହସର ଢେଉ ଖେଳିଯାଏ, ତାଙ୍କୁ ଆଉ ମଞ୍ଚରେ ଦେଖିବାକୁ ମିଳିବ ନାହିଁ। ୫୮ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ମାସାଧିକ କାଳ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ତାଙ୍କର ପରଲୋକ ଘଟିଛି। ଆଜି ସକାଳେ ହାସ୍ୟଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପରିବାର ଲୋକେ ସୁନିଶ୍ଚିତ  କରିଥିବା  ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ଜିମ୍‌ରେ କସରତ କରୁଥିବା ବେଳେ ଛାତିରେ କଷ୍ଟ ହେବାରୁ ତଳେ ପଡ଼ିଯାଇଥିବା ରାଜୁଙ୍କୁ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ ‘ଏମ୍‌ସ୍‌’ରେ ଭର୍ତ୍ତି କରାଯାଇଥିଲା।ସେ ହୃଦ୍‌ଘାତରେ ଶିକାର ହୋଇଥିବା କଥା ଜଣାପଡ଼ିବା ପରେ ତାଙ୍କୁ ୧୫ ଦିନ ଧରି ‘ଭେଣ୍ଟିଲେଟର୍‌ ସପୋର୍ଟ’ରେ ରଖାଯାଇଥିଲା। ଏହା ପରେ ତାଙ୍କର ଚେତା ଫେରିଥିଲା। କିନ୍ତୁ, ସେପ୍ଟେମ୍ବର ପହିଲାରେ ଜ୍ବର ହେବାରୁ ପୁଣି ତାଙ୍କୁ ‘ଭେଣ୍ଟିଲେଟର୍‌ ସପୋର୍ଟ’ରେ ରଖାଯାଇଥିଲା। ରାଜୁ ଶ୍ରୀବାସ୍ତବଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସାକ୍‌ସେନା କହିଛନ୍ତି ଯେ, ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ବେ ହାସ୍ୟାଭିନେତାଙ୍କୁ ବଞ୍ଚାଇ ହେଲାନାହିଁ।

ଟୁଇଟ୍‌ କରି କବି କୁମାର ବିଶ୍ବାସ ଲେଖିଛନ୍ତି, ସ୍ବର୍ଗଲୋକର ଉଦାସୀ ଦୂର କରିବା ଲାଗି ଶେଷରେ ରାଜୁଭାଇ ସାଂସାରିକ ଯାତ୍ରାରୁ ଅବ୍ୟାହତି ନେଲେ। ତାଙ୍କର ସଂଘର୍ଷପୂର୍ଣ୍ଣ ଦିନରୁ ଆରମ୍ଭ କରି ଯଶର ଶିଖରରେ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରା କୋଟି ଜନତାଙ୍କ ଆଖି ଆଗରେ ଦୃଶ୍ୟମାନ ହୋଇ ରହିବ। ଉଦାସ ଜନତାଙ୍କ ମୁହଁରେ ହସ ଫୁଟାଉ ଥିବା ସମ୍ରାଟଙ୍କ ପ୍ରତି ଅନ୍ତିମ ପ୍ରଣାମ।

ଅତି ସାଧାରଣ କଥା କହି ସେ ସମସ୍ତଙ୍କୁ ହସାଇ ହସାଇ ବେଦମ କରିଦିଅନ୍ତି। କିଛି କହିବାକୁ କି କରିବାକୁ ପଡ଼େନି, ରାଜୁଙ୍କୁ ଦେଖିଦେଲେ ଲୋକଙ୍କ ମୁହଁରୁ ଆପେ ଆପେ ହସର ଝରଣା ବହେ। ହେଲେ ଏବେ ଫ୍ୟାନମାନେ ତାଙ୍କ ପାଇଁ ଲୁହ ଗଡ଼ାଉଛନ୍ତି।


Share It

Comments are closed.