ଭାରତର ଅକ୍ଷୟ ଶକ୍ତିଲକ୍ଷ୍ୟ ହାସଲ ପାଇଁ ସବୁଜ ଶିକ୍ଷା ଓ ଦକ୍ଷତାର ଗୁରୁତ୍ୱ ଉପରେ ଇରେଡା ସିଏମଡିଙ୍କ ଆଲୋକପାତ
ଭୁବନେଶ୍ୱର: ଆସନ୍ତା ୨୦୩୦ ସୁଦ୍ଧା ପ୍ରାୟ ୩ ନିୟୁତ ସବୁଜ ନିଯୁକ୍ତି ଆଶା କରାଯାଉଥିବା ବେଳେ ତୁରନ୍ତ ଉତ୍ସର୍ଗୀକୃତ ସବୁଜ ଦକ୍ଷତା ଉତ୍କର୍ଷ କେନ୍ଦ୍ରର ଆବଶ୍ୟକତା ଉପରେ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ ସେଂଟରରେ ମୋବିଅସ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ୭ତମ ଅନ୍ତର୍ଜାତୀୟ ସ୍ଥାୟିତ୍ୱ ଶିକ୍ଷା ସମ୍ମିଳନୀ (ଆଇସିଏସଇ)କୁ ସମ୍ବୋଧିତ କରି ଶ୍ରୀ ଦାସ କହିଥିଲେ ଯେ ଭରତର ସ୍ୱଚ୍ଛ ଶକ୍ତି ପରିବର୍ତନ କେବଳ ପ୍ରଯୁକ୍ତି ଓ ପୁଞ୍ଜି ଉପରେ ନୁହେଁ, ବରଂ ଦକ୍ଷ ଶ୍ରମଶକ୍ତି ଉପରେ ମଧ୍ୟ ନିର୍ଭରଶୀଳ।
ଇରେଡାର ଅଭିଯାନଗୁଡ଼ିକ ଉପରେ ଆଲୋକପାତ କରି ଶ୍ରୀ ଦାସ କହିଥିଲେ ଯେ ସଂସ୍ଥା ସମ୍ପୂର୍ଣ୍ଣ କାଗଜବିହୀନ ଭାବେ ପରିଚାଳିତ ହେଉଥିବା ବେଳେ ନବସୃଜନ ଓ ସବୁଜ ଶକ୍ତି ଦକ୍ଷତାକୁ ସୁଦୃଢ଼ କରିବା ପାଇଁ ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ସହିତ ସହଯୋଗିତାରେ ଜ୍ଞାନ ବ୍ୟାଙ୍କ ଗଠନ କରୁଛି।
ଭାରତର ଅକ୍ଷୟ ଶକ୍ତି ଲକ୍ଷ୍ୟ ଓ ବିକଶିତ ଭାରତ ୨୦୪୭ ଆକାଂକ୍ଷା ପୂରଣ କରିବା ପାଇଁ ଉଭୟ ବିପୁଳ ପୁଞ୍ଜି ନିବେଶ ଓ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଥିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଇରେଡା ପକ୍ଷରୁ ୨୭ ଗିଗାୱାଟରୁ ଅଧିକ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ପାଣ୍ଠି ଦିଆଯାଇଛି ଯାହା ୬,୦୦,୦୦୦ ନିର୍ମାଣ ନିଯୁକ୍ତି ଏବଂ ୫୦ ହଜାର ଦୀର୍ଘକାଳୀନ ପରିଚାଳନା ଓ ରକ୍ଷଣାବେକ୍ଷଣ ନିଯୁକ୍ତି ସୃଷ୍ଟି କରିପାରିଛି।
ଏକ ସ୍ଥାୟୀ ଓ ଅନ୍ତର୍ଭୁକ୍ତୀକରଣ ସବୁଜ ଅର୍ଥନୀତି ଗଠନ କରିବା ପାଇଁ ସରକାର, ଶିଳ୍ପ, ଫାଇନାନ୍ସ, ଶିକ୍ଷାନୁଷ୍ଠାନ ଓ ନାଗରିକ ସମାଜ ମିଳିତ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଥିଲେ।
ଇରେଡାର ପ୍ରତିବଦ୍ଧତାକୁ ଦୋହରାଇ ସେ କହିଥିଲେ ଯେ, ‘ଆମର ମିସନ କେବଳ ଅକ୍ଷୟ ଶକ୍ତି ପାଇଁ ଫାଇନାନ୍ସ ଦେବା ନୁହେଁ, ବରଂ ଜ୍ଞାନ, ଦକ୍ଷତା ଓ ଗୋଷ୍ଠୀ ବିକାଶର ଏକ ବ୍ୟାପକ ବ୍ୟବସ୍ଥାକୁ ସମର୍ଥନ ଦେବା। ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମୀଣ ଭିତିଭୂମି କ୍ଷେତ୍ରରେ ପ୍ରଭାବଶାଳୀ ସିଏସଆର ଅଭିଯାନ ଜରିଆରେ ଭାରତ ସ୍ୱଚ୍ଛ ଶକ୍ତି ପରିବର୍ତନ ମୋଟ ଉପରେ ସମାଜର ଉନ୍ନତି କରୁଥିବାକୁ ଆମେ ନିଶ୍ଚିତ କରୁଛୁ।
ସେବା ପକ୍ଷର ଅଂଶ ସ୍ୱରୂପ ଇରେଡା ପକ୍ଷରୁ ଦିଲ୍ଲୀ-ଏନସିଆର ବିଭିନ୍ନ ସ୍କୁଲରେ ସବୁଜ ଶକ୍ତି ଶିକ୍ଷା ଓ ଅକ୍ଷୟ ଶକ୍ତି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହା ଯୁବସମାଜର ସମ୍ପୃକ୍ତି ଓ ଗୋଷ୍ଠୀ ଆଉଟରିଚ ପ୍ରତି ଏହାର ପ୍ରତିବଦ୍ଧତାକୁ ଦୋହରାଉଛି।
Comments are closed.