ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କନ୍ଧମାଳ


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଜିଲ୍ଲାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୬ ଲକ୍ଷ ୫୦ ହଜାର ଲୋକ ଏହି ସୁବିଧା ପାଇବେ । ଏହା ସହିତ ରାଜ୍ୟର ୧୬ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ଓ ଜୈବିକ ଫସଲ ପାଇଁ କନ୍ଧମାଳ ଜିଲ୍ଲାର ଖୁବ୍‌ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କନ୍ଧମାଳ ହେଉଛି ସୁନାର ଭୂମି। ଜୈବିକ ଫସଲ ବିଶେଷ କରି କନ୍ଧମାଳ ହଳଦୀ ଆଜି ସାରା ଦେଶରେ ଏକ ଲୋକପ୍ରିୟ ବ୍ରାଣ୍ଡ ଭାବରେ ପ୍ରତିଷ୍ଠା ଲାଭ କରିଛି। ଜୈବିକ ଫସଲ ପାଇଁ ଏବେ ଆଗ୍ରହ ବଢୁ ଥିବାରୁ ଏ କ୍ଷେତ୍ରରେ କନ୍ଧମାଳର ବହୁତ ସୁଯୋଗ ରହିଛି। ସେହିପରି ଇକୋ ଟୁରିଜିମ୍ ପାଇଁ ମଧ୍ୟ କନ୍ଧମାଳ ସାରା ଦେଶର ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏ ଦୁଇ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ଵ ଦେଇ କାମ କରୁଛନ୍ତି ବୋଲି କହିଥିଲେ।

କନ୍ଧମାଳ ପାଇଁ ମୁଖ୍ୟମନ୍ତ୍ରୀ ୨୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ଏଥିରେ ଭିତ୍ତିଭୂମି ଉପରେ ସ୍ଵତନ୍ତ୍ର ଗୁରୁତ୍ଵ ଦିଆଯାଇଛି ବୋଲି କହିଥିଲେ। ଏହି ଅବସରରେ ୫୦୪ କୋଟି ଟଙ୍କା ବିନିଯୋଗରେ କନ୍ଧମାଳରେ ୫୦୦ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରି କହିଥିଲେ ଯେ ଏଥିରେ ବର୍ଷକୁ ୧୦୦ ଜଣ ପିଲା ଡାକ୍ତରୀ ପାଠ ପଢିପାରିବେ। ଏଥିପାଇଁ ମେଡିକାଲ କଲେଜ ନିର୍ମାଣ କାମ ଠିକ୍‌ ସମୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କନ୍ଧମାଳ ଜିଲ୍ଲାରେ ବିଜୁ ସେତୁ ଯୋଜନାରେ ୧୨୦ କୋଟି ଟଙ୍କା ବିନିଯୋଗରେ ୬୯ ଗ୍ରାମ ପଞ୍ଚାୟତରେ ଯୋଗାଯୋଗର ଉନ୍ନତି କରାଯାଇଛି। ଏହାଦ୍ଵାରା ଜିଲ୍ଲାର ୨ ଲକ୍ଷ ଲୋକ ଉପକୃତ ହେଉଛନ୍ତି। ବାଲିଗୁଡାରେ ନିର୍ମାଣାଧୀନ ୨୨୦/୩୩ କେଭି ଗ୍ରିଡ୍ ଷ୍ଟେସନ ଖୁବ୍‌ ଶୀଘ୍ର ଶେଷ ହେବ। ଏହାଦ୍ଵାରା କେ. ନୂଆଗାଁ, ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗିବାଡି ଓ ବାଲିଗୁଡା ବ୍ଲକର ୭୦ ହଜାର ପରିବାର ଉପକାର ପାଇବେ। ଏହାଦ୍ଵାରା ପାଇପ ପାଣି ଯୋଗାଣରେ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କନ୍ଧମାଳରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ୬ ଲକ୍ଷ ୫୦ ହଜାରେ ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହାଦ୍ଵାରା ସେମାନଙ୍କର ଏକ ବଡ ସମସ୍ୟା ଦୂର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ଵାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ଵାରା ଆମର ଗରିବ ଲୋକମାନେ ସ୍ଵାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ଵାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ। ଚିକିତ୍ସା ସୁବିଧା ଏବେ ସମସ୍ତଙ୍କ ହାତ ପାଆନ୍ତାରେ। ଏହାକୁ ସ୍ମାର୍ଟ ହେଲ୍‌ଥ କାର୍ଡ ସମ୍ଭବ କରିପାରିଛି । ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା -ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।


Share It

Comments are closed.