ଝାରସୁଗୁଡ଼ାରେ ସିଆଇଆଇ ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜ ୨୦୨୪ ଅନୁଷ୍ଠିତ


ଝାରସୁଗୁଡ଼ା: ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଝାରସୁଗୁଡ଼ାଠାରେ ସିଆଇଆଇ ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜ୍ ୨୦୨୪ ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ସିଆଇଆଇ ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜର ପ୍ରଥମ ସଂସ୍କରଣରେ ଓଡ଼ିଶା ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର ଦୃଶ୍ୟମାନତା ଓ ଅଭିବୃଦ୍ଧି ସୁଯୋଗ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ଉଦ୍ଦିଷ୍ଟ ଏକ ପ୍ଲାଟଫର୍ମ ‘ବ୍ୟବସାୟିକ ଦିଗବଳୟ ବିସ୍ତାର\’ ଶୀର୍ଷକ ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅବସରରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ତଥା ଏସଏନଏମ ଗ୍ରୁପର ଅଧ୍ୟକ୍ଷ ଡା. ପ୍ରଦୀପ୍ତ ମହାନ୍ତି କହିଛନ୍ତି, “ରାଜ୍ୟରେ ଶିଳ୍ପର ଅଭିବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଓ ବଜାୟ ରଖିବା, ଉପଦେଷ୍ଟା ଓ ପରାମର୍ଶଦାତା ପ୍ରକ୍ରିୟା ମାଧ୍ୟମରେ ଶିଳ୍ପ ଓ ସରକାରଙ୍କ ସହ ଭାଗିଦାରୀ କରିବା ଦିଗରେ ସିଆଇଆଇ କାର୍ଯ୍ୟ କରୁଛି । ଏମଏସଏମଇ କ୍ଷେତ୍ର ଆମ ଅର୍ଥନୀତିର ମେରୁଦଣ୍ଡ, ଯାହା ଜିଡିପି ଅଭିବୃଦ୍ଧି, ଶିଳ୍ପ ଉତ୍ପାଦନ ଏବଂ ରପ୍ତାନିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ । ସିଆଇଆଇ ଏମଏସ ଏମଇ ଭେଣ୍ଡର କନେକ୍ଟ ସିରିଜ୍ ଏମଏସଏମଇଗୁଡ଼ିକୁ ବୃହତ୍ ଶିଳ୍ପ ଏବଂ ରାଷ୍ଟ୍ରାୟତ ଉଦ୍ୟୋଗ (ପିଏସୟୁ) ସହ ଯୋଡ଼ିବା ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରୁଛି ।”
ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ତଥା ବେଦାନ୍ତ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ଗୁପ୍ତା କହିଛନ୍ତି ଯେ, “ଧାତୁ, କୃଷି ପ୍ରକ୍ରିୟାକରଣ, ବୟନଶିଳ୍ପ, ରସାୟନ, ପର୍ଯ୍ୟଟନ ଏବଂ ଅକ୍ଷୟ ଶକ୍ତି, ବୈଦ୍ୟୁତିକ ଯାନ, ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ଭଳି ଉଦୀୟମାନ ଶିଳ୍ପକ୍ଷେତ୍ରରେ ଓଡ଼ିଶାରେ ଅଭିବୃଦ୍ଧିର ପ୍ରଚୁର ସମ୍ଭାବନା ରହିଛି । ଏହାର ରଣନୈତିକ ଅବସ୍ଥିତି, ଦକ୍ଷ କର୍ମଶକ୍ତି ଏବଂ ସୁଦୃଢ଼ ଭିତିଭୂମି ଉନ୍ନତ ନୀତି, ବିହନ ପାଣ୍ଠି, ପରାମର୍ଶ ଏବଂ ଅନ୍ୟାନ୍ୟ ସହିତ ଏକ ସମୃଦ୍ଧ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସମର୍ଥନ କରେ । ସିଆଇଆଇ ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜ୍ ଓଡ଼ିଶାରେ ଏମଏସଏମଇଗୁଡ଼ିକର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୋଚନ କରିବା ର ସୁଯୋଗ ପ୍ରଦାନ କରିବ ଏବଂ ଅର୍ଥ, ବୈଷୟିକ ଜ୍ଞାନକୌଶଳ ଗ୍ରହଣ, ନିୟାମକ ଅନୁପାଳନ, ବଜାର ପ୍ରବେଶ ଠାରୁ ଆରମ୍ଭ କରି ଦକ୍ଷତା ବିକାଶ ପର୍ଯ୍ୟନ୍ତ ଆହ୍ୱାନର ମୁକାବିଲା କରିବାରେ ସହାୟକ ହେବ ।”
ଏହି ଦିନିକିଆ ଏମଏସଏମଇ କନକ୍ଲେଭରେ ରାଜ୍ୟର ଶିଳ୍ପନେତା, ନିଷ୍ପତି ଗ୍ରହଣକାରୀ, ବିଶେଷଜ୍ଞ ଏବଂ ଏମଏସଏମଇ ସହଯୋଗୀମାନେ ଭବିଷ୍ୟତର ବ୍ୟବସାୟିକ ମାର୍ଗ ଖୋଜିବା ଏବଂ ରାଜ୍ୟରେ ଏମଏସଏମଇ ଇକୋସିଷ୍ଟମ୍ କୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅଧିବେଶନରେ ଏମଏସଏମଇ ବ୍ୟବସାୟ ର ସୁଯୋଗ ବୃଦ୍ଧି ଉପରେ ବିସ୍ତୃତ ଉପସ୍ଥାପନା କରାଯାଇଥିଲା ଏବଂ ଏଥିରେ ବେଦାନ୍ତ, ହିଣ୍ଡାଲକୋ, ରାଉରକେଲା ଇସ୍ପାତ କାରଖାନା, ମହାନଦୀ କୋଲଫିଲ୍ଡ ଲିମିଟେଡ, ଜେଏସଡବ୍ଲୁ, ଶ୍ୟାମ ମେଟାଲିକ୍ସ, ଟାଟା ପାୱାର, ଟିଆରଏଲ କ୍ରୋସାକି ଏବଂ ଡାଲମିଆ ସିମେଂଟ ଭଳି ବଡ଼ ବଡ଼ କମ୍ପାନୀମାନଙ୍କ ସହିତ ବି୨ବି ଅଧିବେଶନ ସାମିଲ ଥିଲା ।
ଉଦଘାଟନୀ ଅଧିବେଶନରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ତଥା ଏସଏନଏମ ଗ୍ରୁପର ଅଧ୍ୟକ୍ଷ ଡା. ପ୍ରଦୀପ୍ତ ମହାନ୍ତି, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ତଥା ବେଦାନ୍ତ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ଗୁପ୍ତା, ବାଣିଜ୍ୟିକ ଜେଏସଡବ୍ଲୁ ବିପିଏସଏଲ ୱାର୍କସ ମୁଖ୍ୟ ଗିରିଶ ନାୟକ, ଏଚଆଇଏଲ ଆଦିତ୍ୟ ଆଲୁମିନାର ସଭାପତି ସମୀର ନାୟକ ଏବଂ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଓଆଇଏସ (ଏସଏଜି) ପ୍ରଭୁ ପ୍ରସାଦ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଉପରୋକ୍ତ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଝାରସୁଗୁଡ଼ାରେ ସିଆଇଆଇ ପଶ୍ଚିମ ଓଡ଼ିଶା ଜୋନାଲ କାଉନସିଲ ଭାବରେ ଏହାର ଦ୍ୱିତୀୟ ଜୋନାଲ କାଉନସିଲ ଆରମ୍ଭ କରିବାକୁ ଘୋଷଣା କରିଛି । ଜେଏସଡବ୍ଲୁ ବିପିଏସଏଲର ସଭାପତି ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଶ୍ରୀ ଅନୀଲ ସିଂ ଏବଂ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡର ନିର୍ଦ୍ଦେଶକ ଦେବ କୁମାର ତିୱାରୀ ୨୦୨୪-୨୫ ପାଇଁ ନବଗଠିତ ସିଆଇଆଇ ପଶ୍ଚିମ ଓଡ଼ିଶା ଜୋନାଲ କାଉନସିଲ ପାଇଁ ଯଥାକ୍ରମେ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ୧୯ ଜୁଲାଇ ୨୦୨୪ରେ ଝାରସୁଗୁଡ଼ାଠାରେ ଅନୁଷ୍ଠିତ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ବୈଠକ ୨୦୨୪-୨୫ରେ ସେମାନଙ୍କ ନାମ ପ୍ରସ୍ତାବିତ ଓ ଅନୁମୋଦନ କରାଯାଇଥିଲା ।


Share It

Comments are closed.