ଆହୁରି ବଡ଼ ଧରଣର ପ୍ରଳୟର ଆଶଙ୍କା କଲେ ବୈଜ୍ଞାନିକ


ଦେବଭୂମି ଉତ୍ତରାଖଣ୍ଡରେ ୨୦୧୩ ପରେ ଏବେ ପୁଣିଥରେ ଜଳପ୍ରଳୟ। ରବିବାର ଚମୋଲି ଜିଲ୍ଲାରେ ଗ୍ଲାସିୟର ବା ବିରାଟକାୟ ହିମଖଣ୍ଡ ଧସିଯିବା କାରଣରୁ ବଡ ଧରଣର ବିପତ୍ତି ସୃଷ୍ଟି ହୋଇଛି। ୧୫୦ ରୁ ଅଧିକ ଲୋକ ପ୍ରବଳ ଜଳସ୍ରୋତରେ ଭାସି ନିଖୋଜ ହୋଇଯାଇଥିବା ବେଳେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତଦେହ ମିଳିସାରିଛି। ଏହି କ୍ଷୟକ୍ଷତି ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଏସବୁ ଭିତରେ ଭବିଷ୍ୟତରେ ଆହୁରି ବଡ ବଡ ଦୁର୍ଘଟଣା ଘଟିପାରେ ବୋଲି ଏକ ଗବେଷଣାରୁ ଜଣାପଡିଛି। ବିଶେଷଜ୍ଞମାନେ କହିଛନ୍ତି, ଆଗାମୀ ଦଶକରେ ପୃଥିବୀ ପୃଷ୍ଠରୁ ଗାୟବ ହୋଇଯିବ ହିମାଳୟ। କାରଣ ୬୫୦ଟି ଗ୍ଲାସିୟର ଦୃତ ଗତିରେ ତରଳିବାରେ ଲାଗିଛି। ଏଥିପାଇଁ ଗ୍ଲୋବାଲ ୱାର୍ମିଂ ଦାୟୀ ବୋଲି କୁହାଯାଉଛି। ୨୦୧୯ରେ କରାଯାଇଥିବା ଏକ ଷ୍ଟଡିରୁ ଜଣାପଡିଛି, ୧୯୭୫ ରୁ ୨୦୦୦ ପର୍ଯ୍ୟନ୍ତ ପ୍ରତିବର୍ଷ ୪୦୦୦ ଏକର ଟନ୍ ବରଫ ତରଳୁଛି, କିନ୍ତୁ ଏହାପରେ ଗ୍ଲାସିୟର ତରଳିବାର ବେଗ ଦୁଇଗୁଣା ହୋଇଯାଇଛି। ସ୍ଥିତିର ସଠିକତା ସମ୍ପର୍କ ଜାଣିବା ପାଇଁ ଗବେଷକମାନେ ୪୦ ବର୍ଷ ପୁରୁଣା ଭାରତ, ଚୀନ୍, ନେପାଳ ଓ ଭୁଟାନ ପର୍ଯ୍ୟନ୍ତ ବ୍ୟାପିଥିବା ହିମାଳୟର ଗ୍ଲାସିୟର ଉପରେ ସାଟେଲାଇଟ୍ ଯୋଗେ ନଜର ରଖିଥିଲେ। ଗ୍ଲୋବାଲ ୱାର୍ମିଂର ବିପଦ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏପରି ସ୍ଥଳେ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି, ଏହା ଉପରେ ଯଦି ନିୟନ୍ତ୍ରଣ କରାନଯାଏ ତେବେ ୨୧୦୦ ପର୍ଯ୍ୟନ୍ତ ହିମାଳୟରୁ ଦୁଇ ତୃତୀୟାଂଶ ଗ୍ଲାସିୟର ତରଳି ସାରିଥିବ। ଏହା ଆଗକୁ ଯାଇ ଭୟଙ୍କର ଧ୍ୱଂସ ସୃଷ୍ଟି କରିପାରେ। ଗ୍ଲାସିୟର ତରଳିବା ଦ୍ୱାରା ସବୁଠାରୁ ଅଧିକ କ୍ଷତି ଭାରତ, ଚୀନ୍, ମିଆଁମାର, ନେପାଳ, ଅଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଓ ଭୁଟାନକୁ ହେବ। ବିଜ୍ଞାନ ପତ୍ରିକା ସାଇନ୍ସ ଆଡଭାନ୍ସଜରେ ଛପା ଯାଇଥିବା ଷ୍ଟଡି ରିପୋର୍ଟ ଅନୁସାରେ, ୨ ହଜାର କିଲୋମିଟରରୁ ଅଧିକ କ୍ଷେତ୍ର ପର୍ଯ୍ୟନ୍ତ ବ୍ୟାପିଥିବା ହିମାଳୟ ଅଞ୍ଚଳର ତାପମାତ୍ରା ୧ ଡିଗ୍ରୀରୁ ଅଧିକ ବଢିସାରିଛି। ନାସା ଓ ଜାପାନର ମହାକାଶ ଏଜେନ୍ସି ଜାକ୍ସାର ଡାଟା ବିଶ୍ଲେଷଣ ଅନୁସାରେ, ହିମାଳୟ ଅଞ୍ଚଳ ବଦଳୁଛି। ଏହାଦ୍ୱାରା ୬୫୦ଟି ଗ୍ଲାସିୟର ଉପରେ ବିପଦ ବଢିଯାଇଛି।


Share It

Comments are closed.