ସୀମାଶୁଳ୍କ ଅଧିନିୟମ, ୧୯୬୨ର ୬୦ତମ ବାର୍ଷିକ ଉତ୍ସବ ପାଳନ


ଭୁବନେଶ୍ୱର :ଭୁବନେଶ୍ୱର, ନାଲ୍‌କୋ ଛକସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ଅଡିଟୋରିୟମରେ ଚଳିତ ୫ ଡିସେମ୍ବର ୨୦୨୨ରେ ସୀମାଶୁଳ୍କ ଆୟୋଗ, ଭୁବନେଶ୍ୱର ପକ୍ଷରୁ କଷ୍ଟମ୍‌ସ ଆକ୍ଟ ବା ସୀମଶୁଳ୍କ ଅଧିନିୟମ ୧୯୬୨ର ୬୦ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ସରସ୍ୱତୀ ବନ୍ଦନା ପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଛି । ଏହି ଅବସରରେ ସୀମାଶୁଳ୍କ ବିଭାଗର କମିଶନର୍ ଶ୍ରୀମାଧବ ମିଶ୍ର ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ମଂଚକୁ ସ୍ୱାଗତ କରିଛନ୍ତି । ପୂର୍ବତଟ ରେଳ ବିଭାଗ, ଭୁବନେଶ୍ୱରର ସାଧାରଣ ସମ୍ପାଦକ ଶ୍ରୀରୁପ୍ ନାରାୟଣ ସୁନ୍‌କର ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ, ଭୁବନେଶ୍ୱର ଶ୍ରୀ ଶୁଭେନ୍ଦୁ କୁମାର ସ୍ୱାଇଁ,  ପୋଲିସ୍ କମିଶ୍‌ନର, ଭୁବନେଶ୍ୱର ଶ୍ରୀ ଏସ୍‌.କେ ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଜିଏସ୍‌ଟି, କେନ୍ଦ୍ରୀୟଉତ୍ପାଦ ଓ ସୀମାଶୁଳ୍କବିଭାଗ, ଭୁବନେଶ୍ୱରର ମୁଖ୍ୟ କମିଶ୍‌ନର ଶ୍ରୀ ବିଜୟ କୁମାର କର ମୁଖ୍ୟ ଆୟୋଜକ ଥିଲେ ଓ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ସୀମାଶୁଳ୍କ ବିଭାଗ (ନିବାରକ), ଭୁବନେଶ୍ୱରର କମିଶନର୍ ଶ୍ରୀ ମାଧବ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ସମସ୍ତଙ୍କୁ ସୀମାଶୁଳ୍କ ଅଧିନିୟମ, ୧୯୬୨ର ୬୦ ବର୍ଷ ପୂର୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସେ ସମଗ୍ର ଇକୋସିଷ୍ଟମର ହିତାଧିକାରୀଙ୍କ ମଧ୍ୟରେ ପରିବ୍ୟାପ୍ତ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର  ନିର୍ଦ୍ଦେଶାବଳୀ ଅନୁଯାୟୀ ସହଜ ବ୍ୟବସାୟ ଓ କାରବାର ସୁବିଧା ଏବଂ ଆନ୍ତର୍ଜାତୀୟ ସମ୍ପର୍କକୁ ମଜଭୁତ କରିବା ପାଇଁ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡିକ ଉପରେ ଆଲୋକପାତ କରିଥିଲେ । ସେ ବାଣିଜ୍ୟ ସୁବିଧା ବୃଦ୍ଧି କରିବା ଏବଂ ଅଂଶଗ୍ରହଣକାରୀ ସରକାରୀ ଏଜେନ୍ସିଗୁଡିକ ସମେତ ଅନ୍ୟ ହିତାଧିକାରୀଙ୍କ ଭୂମିକା ସମ୍ପର୍କରେ କହିଛନ୍ତି । ସେ ଆତ୍ମବିଶ୍ୱାସର ସହ କହିଛନ୍ତି ଯେ, ବିଭାଗର ମିଳିତ ପ୍ରୟାସ ସହିତ ଭାରତ ବାଣିଜ୍ୟିକ ସୁବିଧା ପ୍ରଦାନ କରିବା କ୍ଷେତ୍ରରେ ନିଜର ସ୍ଥିତିକୁ ଆହୁରି ଉନ୍ନତ କରିପାରିବ । ସେ ଅଧିକାରୀମାନଙ୍କୁ ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ନୂଆ ଆହ୍ୱାନଗୁଡିକର ମୁକାବିଲା କରିବା ପାଇଁ ନିଜର ଦକ୍ଷତା ବିକାଶ କରିବା ପାଇଁ ଅନୁରୋଧ କରିଛନ୍ତି ।

ଜିଏସ୍‌ଟି ଏବଂ କେନ୍ଦ୍ରୀୟ ଉତ୍ପାଦ ଓ ସୀମାଶୁଳ୍କ ବିଭାଗ, ଭୁବନେଶ୍ୱରର ମୁଖ୍ୟ କମିଶନର୍ ବିଜୟ କୁମାର କର ଏହି କାର୍ଯ୍ୟକ୍ରମରେ ଦର୍ଶକଙ୍କୁ ଆନ୍ତର୍ଜାତୀୟ ସୀମାକୁ ସୁରକ୍ଷିତ ରଖିବାରେ ସୀମାଶୁଳ୍କର ଭୂମିକା ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ଦେଶର ପ୍ରତ୍ୟେକ କୋଣରେ ସୀମାଶୁଳ୍କ ବିଭାଗର ଅଧିକାରୀମାନେ ଦେଉଥିବା ସେବା ପାଇଁ ସେମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଭାରତୀୟ ସୀମାଶୁଳ୍କ ବିଭାଗ ସୀମା ପାର ବାଣିଜ୍ୟକୁ ଆଗକୁ ବଢାଇବା ଏବଂ ଅର୍ଥନୈତିକ ଅପରାଧୀମାନଙ୍କୁ ରୋକିବାର ଉଦ୍ଦେଶ୍ୟ ସହିତ ଦେଶର ସ୍ଥଳ, ଜଳ ଓ ଆକାଶମାର୍ଗରେ ଅର୍ଥନୈତିକ ଫ୍ରଂଟିୟରଙ୍କୁ ପ୍ରଭାବୀରୂପେ ବ୍ୟବହାର କରିବାର ଆହ୍ୱାନରୁ ଉପରକୁ ଉଠିଛି ।

ଏହି କାର୍ଯ୍ୟକ୍ରମରେ ଗତ ଡିସେମ୍ବର ୩ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସୀମାଶୁଳ୍କ (ନିବାରକ) ଆୟୋଗ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ଏକ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଓ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହା ବ୍ୟତୀତ ୧୦ ଜଣ ଏନ୍‌ସିସି କ୍ୟାଡେଟ୍‌ଙ୍କୁ ବିଭିନ୍ନ ସଫଳତା ପାଇଁ ସମ୍ମାନିତ କରାଯାଇଛି ।

ସେହିପରି କାର୍ଯ୍ୟକ୍ରମରେ ଜିଏସ୍‌ଟି, କେନ୍ଦ୍ରୀୟ ଉତ୍ପାଦ ଓ ସୀମାଶୁଳ୍କ ବିଭାଗ, ଭୁବନେଶ୍ୱର ଅତିରିକ୍ତ କମିଶନର ଶ୍ରୀ ଗୋପଳ କୃଷ୍ଣା ପତି ଧନ୍ୟବାଦ ଜଣାଇଛନ୍ତି ।ଏହି କାର୍ଯ୍ୟକ୍ରମ ସହିତ ଦେଶବ୍ୟାପୀ ସୀମାଶୁଳ୍କ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ସୀମାଶୁଳ୍କ ଅଧିନିୟମ, ୧୯୬୨ର ୬୦ ବର୍ଷ ପୂର୍ତି ଅବସରରେ ସପ୍ତାହବ୍ୟାପୀ ଉତ୍ସବ ଆରମ୍ଭ ହୋଇଛି ।


Share It

Comments are closed.